ମୁଦ୍ରା ଋଣ ଦେବ ବଡ଼ ଝଟ୍‌କା, ଏନ୍‌ପିଏ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଆର୍‌ବିଆଇ

Advertisment
ମୁଦ୍ରା ଋଣ ଦେବ ବଡ଼ ଝଟ୍‌କା, ଏନ୍‌ପିଏ ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲା ଆର୍‌ବିଆଇ

Image Source: Zee News

ମୁମ୍ବାଇ: ଦେଶରେ ମୁଦ୍ରା ‌ଯୋଜନାରେ ବ୍ୟାଙ୍କ ଗୁଡ଼ିକ ପ୍ରଦାନ କରୁଥିବା ଋଣ ଅନାଦାୟ ପରିସମ୍ପତ୍ତି (ଏନ୍‌ପିଏ)ରେ ପରିଣତ ହୋଇଯାଉଛି। ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିନ୍ତା ପ୍ରକଟ କରିଛି। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଏମ୍‌.କେ. ଜୈନ ଏଥିପାଇଁ ବ୍ୟାଙ୍କ ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଛନ୍ତି। ମୁଦ୍ରା ଋଣ ପରିମାଣ ୩ ଲକ୍ଷ ୨୧ ହଜାର କୋଟି ଟଙ୍କା ଟପିସାରିଲାଣି। ତେଣୁ ଏହି ଋଣ ଯୋଜନାରେ ହେଉଥିବା ଅଭିବୃଦ୍ଧିକୁ ଠିକ୍ ନୁହେଁ ବୋଲି କହିବା ସହିତ ଏହାକୁ ଅନୁଧ୍ୟାନ କରିବା ଲାଗି ମତ ସେ ଦେଇଛନ୍ତି। ମୁଦ୍ରା ଋଣ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଏପ୍ରିଲରେ ଆରମ୍ଭ କରିଥିଲେ। ଏହି ଯୋଜନାରେ ଅଣ କର୍ପୋରେଟ୍ ଏବଂ ଅଣ କୃଷି ଋଣ ପ୍ରଦାନ କରାଯାଉଛି। ବିଶେଷକରି ଯେଉଁମାନେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସ୍ଥାପନ କରିବାକୁ ଆଗ୍ରହୀ ସେମାନଙ୍କୁ ଶୀଘ୍ର ପାଣ୍ଠି ଯୋଗାଇ ଦେବା ନିମନ୍ତେ ଏହି ଋଣ ଯୋଗାଇ ଦିଆଯାଉଛି। ଉଦ୍ୟୋଗୀ ମନୋଭାବ ଥିବା ଗରିବ ଲୋକ, ଯେଉଁମାନଙ୍କର କ୍ରେଡିଟ୍ ଇତିହାସ ନାହିଁ ସେମାନଙ୍କୁ ଏହି ଋଣ ଯୋଗାଇ ଦିଆଯାଉଛି। ବ୍ୟାଙ୍କ ସମେତ ଏନବିଏଫସି, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ କ୍ଷୁଦ୍ର ଆର୍ଥିକ ବ୍ୟାଙ୍କ ଉକ୍ତ ଋଣ ପ୍ରଦାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ , ଉକ୍ତ ଯୋଜନା ଆରମ୍ଭ ହେବାର ବର୍ଷକ ମଧ୍ୟରେ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ରଘୁରାମ ରାଜନ ଏ ନେଇ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଏହାକୁ ଅଣଦେଖା କରିଥିଲେ।

ସିଡ୍‌ବି ପକ୍ଷରୁ ମାଇକ୍ରୋଫାଇନାନ୍ସ ଉପରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଶ୍ରୀ ଜୈନ୍ କହିଛନ୍ତି, ମୁଦ୍ରା‌ ଋଣକୁ ଗୁରୁତ୍ବ ଦିଆଯିବା ଯୋଗୁ ଅନେକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥାଇ ପାରନ୍ତି, କିନ୍ତୁ ଋଣପ୍ରଦାନକାରୀଙ୍କ ମଧ୍ୟରେ ଅନାଦାୟ ଋଣ ନେଇ ଚିନ୍ତା ବୃଦ୍ଧି ପାଇଛି। ଋଣ ମଞ୍ଜୁରି ସମୟରେ ସଂପୃକ୍ତ ବ୍ୟକ୍ତିର ପରିଶୋଧ କ୍ଷମତାକୁ ବ୍ୟାଙ୍କ ଅଧିକାରୀମାନେ ‌ଗୁରୁତ୍ବ ଦେବା ଆବଶ୍ୟକ। ଏଥିସହିତ ଏହି ଋଣ ଆକାଉଣ୍ଟ ଗୁଡ଼ିକୁ ଅଧିକ ମାତ୍ରାରେ ନିରୀକ୍ଷଣ କରାଯିବା ଉଚିତ। ଗତ ଜୁଲାଇରେ ସରକାର ସଂସଦରେ ସୂଚନା ଦେଇଥିଲେ ଯେ, ମୁଦ୍ରା ସ୍କିମ୍‌ରେ ଏନ୍‌ପିଏ ହାର ୨୦୧୭-୧୮ ଆର୍ଥିକ ବର୍ଷରେ ୨.୫୨ ପ୍ରତିଶତ ଥିବାବେଳେ ୨୦୧୮-୧୯ରେ ୨.୬୮ ପ୍ରତିଶତକୁ ବୃଦ୍ଧି ପାଇଛି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ୨୦୧୯ ଜୁନ୍ ସୁଦ୍ଧା ୧୯ କୋଟିରୁ ଅଧିକ ଲୋକଙ୍କୁ ଋଣ ଦିଆଯାଇଛି। ଏଥିରୁ ୩.୬୩ କୋଟିରୁ ଅଧିକ ଆକାଉଣ୍ଟ ୨୦୧୯ ମାର୍ଚ୍ଚ ସୁଦ୍ଧା ଏନ୍‌ପିଏ ହୋଇଯାଇଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାଯାଇଛି, ମୁଦ୍ରା ଋଣ ଯୋଜନାରେ ଏନ୍‌ପିଏ ରାଶି ୨୦୧୮-୧୯ ଆର୍ଥିକ ବର୍ଷରେ ୧୨୬ ପ୍ରତିଶତ ବୃଦ୍ଧି ଘଟି ୧୬,୪୮୧.୪୫ କୋଟି ଟଙ୍କାରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe