Conde Nast Traveler
ନୂଆଦିଲ୍ଲୀ: ପ୍ରାଚୁର୍ଯ୍ୟ ଭିତରେ ଜୀବନଯାପନ କରୁଥିବା ଭାରତୀୟ ଧନୀଙ୍କୁ କରୋନା ଭୟ ଘାରିଛି। ଏହି ମାରାତ୍ମକ ଭୂତାଣୁ ଠାରୁ ନିଜକୁ ଦୂରେଇ ରଖିବା ଲାଗି କିଛି ଧନୀ ବ୍ୟକ୍ତି ଦେଶ ଛାଡ଼ି ବ୍ରିଟେନ୍ ପଳାଇଛନ୍ତି। ସେମାନେ ବିପୁଳ ପରିମାଣର ଟଙ୍କା ଦେଇ ପ୍ରାଇଭେଟ୍ ଜେଟ୍ ଭଡ଼ା କରି ବ୍ରିଟେନ୍ ଯାଇଥିବା ଜଣାପଡ଼ିଛି। କରୋନା ମହାମାରୀର ଭୟଙ୍କର ରୂପକୁ ନଜରରେ ରଖି ବ୍ରିଟେନ୍ ପକ୍ଷରୁ ଭାରତକୁ ଗମନାଗମନ ‘ରେଡ୍ ଲିଷ୍ଟ୍’ରେ ସାମିଲ କରାଯାଇଥିଲା। ଏହି କଟକଣା ଆରମ୍ଭ ହେବାର ୨୪ ଘଣ୍ଟା ପୂର୍ବରୁ ଭାରତରୁ ଆସିଥିବା ୮ଟି ପ୍ରାଇଭେଟ୍ ଜେଟ୍ ଲଣ୍ଡନ ଲୁଟନ୍ ବିମାନବନ୍ଦରରେ ଅବତରଣ କରିଥିଲା। ଭାରତୀୟ ଧନୀମାନେ ୭୨ ଲକ୍ଷ ଟଙ୍କା ଭଳି ଉଚ୍ଚ ମୂଲ୍ୟ ଦେଇ ପ୍ରାଇଭେଟ୍ ଜେଟ୍ ବୁକ୍ କରିଥିଲେ। ଚାରିଟି ବିମାନ ମୁମ୍ବାଇରୁ, ତିନିଟି ଦିଲ୍ଲୀରୁ ଓ ଗୋଟିଏ ଅହମ୍ମଦାବାଦରୁ ଯାଇଛି।
ଅନ୍ୟ ଏକ ପ୍ରାଇଭେଟ୍ ଜେଟ୍ ମୁମ୍ବାଇରୁ ଉଡ଼ାଣ ଆରମ୍ଭ କରି କଟକଣା ଲାଗୁ ହେବାର ଦେଢ଼ ଘଣ୍ଟା ପୂର୍ବରୁ ଲଣ୍ଡନରେ ପହଞ୍ଚିଥିଲା। ଆଉ ଏକ ବିମାନ କଟକଣା ଲାଗୁ ହେବାର ୪୦ ମିନିଟ୍ ପୂର୍ବରୁ ପହଞ୍ଚିଥିଲା। କେବଳ ଧନୀ ନୁହନ୍ତି କିଛି ଛାତ୍ରଛାତ୍ରୀ ଓ ଅନ୍ୟ କିଛି ବ୍ୟକ୍ତି ୧୬୦୦ ଡଲାର ଭଳି ଚଢ଼ା ଦାମ୍ରେ ଟିକଟ କିଣି କତାର ଏୟାରୱେଜ୍ର ଏକ ଚାର୍ଟଡ୍ ବିମାନ ବୁକ୍ କରିଥିଲେ। କିନ୍ତୁ ସେହି ବିମାନକୁ ଲଣ୍ଡନରେ ଅବତରଣ ଅନୁମତି ମିଳିଲା ନାହିଁ। ତେଣୁ ବାଧ୍ୟ ହୋଇ ସବୁ ଯାତ୍ରୀଙ୍କ ଟିକଟ ମୂଲ୍ୟ ଫେରସ୍ତ କରାଯାଇଥିଲା। ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ସପ୍ତାହକୁ ୧୫ଟି ଚାର୍ଟଡ୍ ଫ୍ଲାଇଟ୍ର ଉଡ଼ାଣ ହୋଇପାରିବ।
Follow Us