ଜିଏସ୍‌ଟି ଆଦାୟରେ ରେକର୍ଡ: ଓଡ଼ିଶା ଜିଏସ୍‌ଟି ୯୫୪ କୋଟି, ଦେଶରେ ଆଦାୟ ୧.୨୪ ଲକ୍ଷ କୋଟି

Advertisment
ପେନ୍‌ ଉପରୁ ଜିଏସ୍‌ଟି କମାଇବାକୁ ନିବେଦନ

Jagran

ଭୁବନେଶ୍ବର/ନୂଆଦିଲ୍ଲୀ: କରୋନା ମହାମାରୀ ସତ୍ତ୍ବେ ୨୦୨୧ ମାର୍ଚ୍ଚରେ ଦେଶରେ ଏବଂ ରାଜ୍ୟରେ ରେକର୍ଡ ପରିମାଣର ଜିଏସ୍‌ଟି ଆଦାୟ ହୋଇଛି। ଦେଶରେ ଜିଏସ୍‌ଟି ଲାଗୁ ହେବା ଦିନଠାରୁ ପ୍ରଥମ ଥର ପାଇଁ ଓଜିଏସ୍‌ଟି ବାବଦରେ ମାର୍ଚ୍ଚ ମାସରେ ରାଜ୍ୟରେ ସର୍ବାଧିକ ୯୨୭.୬୦ କୋଟି ଟଙ୍କା ଆଦାୟ ହୋଇଛି ବୋଲି ଓଡ଼ିଶା ବାଣିଜ୍ୟକର ଓ ଜିଏସ୍‌ଟି କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ୨୦୨୦ ମାର୍ଚ୍ଚ ତୁଳନାରେ ଓଜିଏସ୍‌ଟି ଆଦାୟ ୨୧.୫୫ ପ୍ରତିଶତ ବଢ଼ିଛି। ତେବେ ଜିଏସ୍‌ଟି ବାବଦରେ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୩୨୮୫.୨୯ କୋଟି ଟଙ୍କା ଆଦାୟ କରିଛି। ପୂର୍ବବର୍ଷ ମାର୍ଚ୍ଚ ତୁଳନାରେ ଏହା ୨୫ ପ୍ରତିଶତ ଅଧିକ। କ୍ରମାଗତ ଭାବେ ୪ ମାସ ହେଲା ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ଜିଏସ୍‌ଟି ଆଦାୟ ଅଭିବୃଦ୍ଧି ସର୍ବାଧିକ ରହୁଛି।

ସେହିଭଳି ଦେଶରେ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଏଥିରୁ ସିଜିଏସ୍‌ଟି ବାବଦରେ ୨୨,୯୭୩ କୋଟି, ଏସ୍‌ଜିଏସ୍‌ଟି ବାବଦରେ ୨୯,୩୨୯ କୋଟି, ଆଇଜିଏସ୍‌ଟି ବାବଦରେ ୬୨,୮୪୨ କୋଟି ଏବଂ ସେସ୍ ବାବଦରେ ୮୭୫୭ କୋଟି ଆଦାୟ ହୋଇଛି। ମାର୍ଚ୍ଚ ମାସରେ ଦେଶର ଜିଏସ୍‌ଟି ଆଦାୟରେ ୨୭ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦେଶରେ କ୍ରମାଗତ ଭାବେ ଗତ ୬ ମାସ ହେଲା ଜିଏସ୍‌ଟି ଆଦାୟ ରାଶି ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହୁଛି।
ବାଣିଜ୍ୟ କର ଓ ଜିଏସଟି କମିସନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ମୋଟ ଜିଏସ୍‌ଟି ଆଦାୟରେ ୦.୫୬ ପ୍ରତିଶତ ବୃଦ୍ଧି ଘଟିଛି। ଗତ ଆର୍ଥିକ ବର୍ଷରେ ଓଡ଼ିଶାର ମୋଟ ଜିଏସ୍‌ଟି ଆଦାୟ ରାଶି ୨୯,୮୫୨ ‌କୋଟି ଟଙ୍କା ରହିଛି, ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ରାଶି ୨୯,୬୮୭ କୋଟି ଟଙ୍କା ରହିଥିଲା। ତେବେ ସଂପୂର୍ଣ୍ଣ ଆର୍ଥିକ ବର୍ଷର ଓଜିଏସ୍‌ଟି ଆଦାୟ ରାଶି ୮୨୯୨.୧୫ କୋଟି ଟଙ୍କା ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ଏହା ୪୨୯.୮୫ କୋଟି ଟଙ୍କା କମ୍‌।

ପେଟ୍ରୋଲ ଏବଂ ମଦ ଆଦିରୁ ଭାଟ୍ ବାବଦରେ ମାର୍ଚ୍ଚରେ ରାଜ୍ୟରେ ୧୫୧୮.୬୧ କୋଟି ଟଙ୍କା ଆଦାୟ ହୋଇଛି ଯାହା ପୂର୍ବ ବର୍ଷ ଏହି ମାସରେ ୧୧୧୬.୨୮ କୋଟି ଟଙ୍କା ଥିଲା। ଅର୍ଥାତ ୨୦୨୧ ମାର୍ଚ୍ଚ ଭାଟ୍ ଆଦାୟରେ ୩୬.୦୪ ପ୍ରତିଶତ ବୃଦ୍ଧି ଘଟିଛି। ପୂରା ବର୍ଷରେ ଏ ବାବଦରେ ୭୭୧୫.୮୪ କୋଟି ଟଙ୍କା ଆଦାୟ ହୋଇଛି। ଗତ ମାର୍ଚ୍ଚରେ ଆଦାୟ ହୋଇଥିବା ଭାଟ୍ ରାଶି ମଧ୍ୟରୁ ପେଟ୍ରୋଲିୟମ ଉତ୍ପାଦରେ ଭାଟ୍ ଆଦାୟ ୪୧.୮୫ ପ୍ରତିଶତ ବୃଦ୍ଧି ପାଇ ୧୨୨୫.୯୩ କୋଟି ଟଙ୍କା ରହିଛି। ୨୦୨୦ ମାର୍ଚ୍ଚରେ ଏହା ୮୬୪.୨୬ କୋଟି ଟଙ୍କା ରହିଥିଲା। ସେହିଭଳି ମଦରୁ ଭାଟ୍ ଆଦାୟ ମାର୍ଚ୍ଚ ମାସରେ ୧୬.୧୩ ପ୍ରତିଶତ ବୃଦ୍ଧି ଘଟି ୨୯୨.୬୨ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ଗତ ଆର୍ଥିକ ବର୍ଷରେ ୪୭,୧୯୧ ଜଣ ନୂଆ ଟିକସଦାତାଙ୍କୁ ଜିଏସ୍‌ଟି ପରିସରଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe