ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନି ନାଲକୋ ଗତ ଆର୍ଥିକ ବର୍ଷରେ ଉଭୟ ଉତ୍ପାଦନ ଓ ଆର୍ଥିକ ପ୍ରଦର୍ଶନରେ ଏହାର ଦକ୍ଷତା ପୁନଃ ପ୍ରତିପାଦିତ କରିଛି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ କମ୍ପାନିର ନିର୍ଦେଶକ ମଣ୍ଡଳୀ ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ଫଳାଫଳକୁ ମଞ୍ଜୁରି ଦିଆଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ନାଲ୍କୋ ୧୭୩୨ କୋଟି ଟଙ୍କାର ନିଟ୍ ଲାଭ କରିଛି, ଯାହାକି ୨୦୧୭-୧୮ ଆର୍ଥିକ ବର୍ଷର ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ତୁଳନାରେ ୩୯୦ କୋଟି ଟଙ୍କା ବା ୨୯ ପ୍ରତିଶତ ଅଧିକ। ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ କମ୍ପାନି ୨୩୩ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ଏଥିସହିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସର୍ଭେ ଅନୁଯାୟୀ, ନାଲ୍କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ମାନ୍ୟତା ହାସଲ କରିଛି। ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନିର ମୋଟ ବିକ୍ରିଲବ୍ଧ ଆୟ ୧୧,୩୮୬ କୋଟି ଟଙ୍କା ରହିଛି, ଯାହା କି ପୂର୍ବ ବର୍ଷ ତୁଳନାରେ ୨୧ ପ୍ରତିଶତ ଅଧିକ ଏବଂ କମ୍ପାନି ଆରମ୍ଭ ପରଠାରୁ ସର୍ବାଧିକ। ସେହିଭଳି ଏଯାବତ୍ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ବା ୪୭୯୨.୭୨ କୋଟି ଟଙ୍କାର ରପ୍ତାନିଲବ୍ଧ ଆୟ ହାସଲ କରିଛି।
ଉଲ୍ଲେଖଯୋଗ୍ୟ, ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହିତ ନାଲ୍କୋ ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଖନନ କରିଛି, ଯାହାକି କମ୍ପାନି ଇତିହାସରେ ସର୍ବାଧିକ। ସେହିପରି ୭୨.୩୧ ଲକ୍ଷ ଟନ୍ ବକ୍ସାଇଟ୍ ପରିବହନ କରିଛି, ଯାହାକି ଏଯାବତ୍ ସର୍ବାଧିକ। ୨୧.୫୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ କରି କମ୍ପାନି ଏହାର ଇତିହାସରେ ରେକର୍ଡ ସୃଷ୍ଟି କରିଛି। ଏଥିସହିତ ଷ୍ଟିମ୍ ଏବଂ ପାୱାର ପ୍ଲାଣ୍ଟରୁ ସର୍ବାଧିକ ବିଦ୍ୟୁତ୍ ଉତ୍ପାଦିତ ହୋଇଛି। ନାଲ୍କୋର ସ୍ମେଲଟର ଗତ ୮ ବର୍ଷ ମଧ୍ୟରେ ସର୍ବାଧିକ ୪.୪୦ ଲକ୍ଷ ଟନ୍ ଆଲୁମିନିୟମ ଉତ୍ପାଦନ କରିଛି। ଆହୁରି ମଧ୍ୟ କମ୍ପାନି ପ୍ରତିଷ୍ଠା ଦିନଠାରୁ ସର୍ବାଧିକ ଓୟାର ରଡ୍, ବିଲେଟ୍, ଗ୍ରିନ୍ ଆନୋଡ୍, ରଡେଡ୍ ଆନୋଡ, ଟି-ଇନଗୋଟ୍ ଉତ୍ପାଦିତ ହୋଇଛି। ୩୬୩ ନିୟୁତ ୟୁନିଟ୍ ପବନ ଚାଳିତ ବିଦ୍ୟୁତ୍ ଉତ୍ପାଦନ ହୋଇଛି, ଯାହାକି ଏପର୍ଯ୍ୟନ୍ତ ସର୍ବାଧିକ। ଗତ ଆର୍ଥିକ ବର୍ଷରେ କମ୍ପାନିର ଧାତୁ ବିକ୍ରିରେ ୩.୫ ପ୍ରତିଶତ ବୃଦ୍ଧି ଘଟି ୪.୪୧ ଲକ୍ଷ ଟନ୍ ଆଲୁମିନିୟମ ବିକ୍ରି କରାଯାଇଥିବାବେଳେ ଘରୋଇ ବଜାରରେ ୧୪.୯ ପ୍ରତିଶତ ବୃଦ୍ଧି ଘଟି ୪.୦୨ ଲକ୍ଷ ଟନ୍ ଧାତୁ ବିକ୍ରି ହୋଇଛି। ୨୦୧୮-୧୯ରେ କମ୍ପାନି ଅନେକ ସଫଳତା ଓ ମାଇଲଖୁଣ୍ଟ ହାସଲ କରିଛି। ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ ନାଲକୋ ବିଶ୍ବସ୍ତରରେ ସର୍ବନିମ୍ନ ମୂଲ୍ୟରେ ଆଲୁମିନା ଉତ୍ପାଦନକାରୀ ମାନ୍ୟତା ହାସଲ କରିଛି। ଏଥିସହିତ ଏକ ନୂତନ ସଫଳତା କ୍ରମେ ନାଲ୍କୋର ବକ୍ସାଇଟ୍ ଖଣି ମଧ୍ୟ ଏବର୍ଷ ସର୍ବନିମ୍ନ ମୂଲ୍ୟର ଉତ୍ପାଦନକାରୀଭାବେ ପ୍ରଥମ ସ୍ଥାନ ହାସଲ କରିଛି। ଆର୍ଥିକ ଲାଭ କ୍ଷେତ୍ରରେ, ୨୮ ପ୍ରତିଶତ ଇବିଆଇଡିଟିଏ ମାର୍ଜିନ ସହ ନାଲ୍କୋ ଅନ୍ୟ ଘରୋଇ ଉତ୍ପାଦନକାରୀମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି। ନାଲ୍କୋର ଏହି ସଫଳତାର ଶ୍ରେୟ ଶିଳ୍ପ ବିଶାରଦମାନେ ୨୦୧୬ ମସିହାରୁ ପ୍ରବର୍ତ୍ତିତ କମ୍ପାନିର ନୂଆ ବ୍ୟବସାୟିକ ମଡେଲକୁ ଦେଇଛନ୍ତି।
Follow Us