ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଦେଖାଦେଇଥିବା ହ୍ରାସ ସାଙ୍ଗକୁ ବିଦେଶୀ ମୁଦ୍ରା ଭଣ୍ଡାର ତଳକୁ ଖସୁଥିବାଜନିତ ବିପଦକୁ ମୁକାବିଲା କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଧିକରୁ ଅଧିକ ସୁନା କିଣିବାରେ ଲାଗିଛି। ରିଜର୍ଭ ବ୍ୟାଙ୍କ ୨୦୨୪ ଅକ୍ଟୋବର ଓ ନଭେମ୍ବରରେ ୨୦ ଟନ୍ ସୁନା କିଣିଛି। ଚଳିତ ଆର୍ଥିକବର୍ଷର ପ୍ରଥମ ୬ ମାସ ଅର୍ଥାତ୍ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ରିଜର୍ଭ ବ୍ୟାଙ୍କ ମୋଟ ୩୦ ଟିନ୍ ସୁନା କିଣିଥିବାବେଳେ ପରବର୍ତ୍ତୀ ୨ ମାସରେ ୨୦ ଟନ୍ ସୁନା କିଣିଛି।
ଟଙ୍କା ମୂଲ୍ୟ ଓ ବିଦେଶୀ ମୁଦ୍ରା ଭଣ୍ଡାରରେ ହେଉଥିବା ହ୍ରାସର ବିପଦକୁ କମ୍ କରିବା ଲାଗି ବିଦେଶୀ ମୁଦ୍ରାଭଣ୍ଡାରରେ ଅଧିକ ପରିମାଣର ସୁନା ରଖିବାର ଆବଶ୍ୟକତା ରହିଛି। ୨୦୨୪ ମାର୍ଚ୍ଚ ୨୯ ବେଳକୁ ରିଜର୍ଭ ବ୍ୟାଙ୍କ ପାଖରେ ୮୨୨ ଟନ୍ ସୁନା ରହିଥିଲା। ୨୦୨୪ ନଭେମ୍ବର ୨୯ ବେଳକୁ ତାହା ୮୭୬ ନିୟୁତ ଟନ୍କୁ ବୃଦ୍ଧି ପାଇଛି। ଚଳିତ ଆର୍ଥିକବର୍ଷରେ ବର୍ତ୍ତମାନ ସୁଦ୍ଧା ସୁନା ଦରରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି। କିନ୍ତୁ ସୁନା ଦର ଅପେକ୍ଷାକୃତ ସ୍ଥିର ଥିବା ସମୟରେ ରିଜର୍ଭ ବ୍ୟାଙ୍କ ଗତ ଅକ୍ଟୋବର ଓ ନଭେମ୍ବରରେ ଅଧିକ ସୁନା କ୍ରୟ କରିଛି।
Follow Us