ଖାଦ୍ୟ ସାମଗ୍ରୀ ଶସ୍ତା ହେବାକୁ ସମୟ ଲାଗିବ: ରିଜର୍ଭ ବ୍ୟାଙ୍କ

Advertisment

ମୁଦ୍ରାନୀତି ବୈଠକରେ ପ୍ରମୁଖ ପ୍ରସଙ୍ଗ ଥିଲା, ଅଭିବୃଦ୍ଧି ଚିନ୍ତାକୁ ବଳିଗଲା ପିଆଜ

ମୁଦ୍ରାନୀତି ବୈଠକରେ ପ୍ରମୁଖ ପ୍ରସଙ୍ଗ ଥିଲା, ଅଭିବୃଦ୍ଧି ଚିନ୍ତାକୁ ବଳିଗଲା ପିଆଜ

ପୁଣି ଉପରମୁହାଁ ହେଲା ପିଆଜ, ଦର ୧୩୦ ଡେଇଁଲା

Image Source: Deccan Chronicle

ମୁମ୍ବାଇ: ଦେଶ ପାଇଁ ପିଆଜ କେତେ ଗୁରୁତ୍ବପୂର୍ଣ୍ଣ ତାହାର ଆଉ ଏକ ପ୍ରମାଣ ମିଳିଛି। ପିଆଜ ଦରବୃଦ୍ଧି କେବଳ ସାଧାରଣ ଜନତା ନୁହେଁ, ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଓ ତାଙ୍କ ଟିମ୍‌୍କୁ ମଧ୍ୟ ଚିନ୍ତାରେ ପକାଇ ଦେଇଥିଲା। ରିଜର୍ଭ ବ୍ୟାଙ୍କର ପ୍ରମୁଖ ଚିନ୍ତା ଅଭିବୃଦ୍ଧିକୁ ବଳିଯାଇଥିଲା ପିଆଜ ଚିନ୍ତା। କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକରେ ପିଆଜ ଦରବୃଦ୍ଧି ଥିଲା ପ୍ରମୁଖ ପ୍ରସଙ୍ଗ। ରେପୋ ହାରରେ ବାରମ୍ବାର ହ୍ରାସ କରୁଥିବା ରିଜର୍ଭ ବ୍ୟାଙ୍କ ପିଆଜ ଦରବୃଦ୍ଧି ଯୋଗୁ ନିଜର ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇଥିଲା। ଦେଶର ଅଭିବୃଦ୍ଧି ହାର ଏତେ ତଳକୁ ଖସିଆସିଥିବା ବେଳେ ରିଜର୍ଭ ବ୍ୟାଙ୍କ କିଭଳି ସୁଧ ହାର ହ୍ରାସରେ କିଭଳି ବ୍ରେକ୍ ଲଗାଇ ଦେଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତି ପଛର ବଡ଼ କାରଣ ପିଆଜ ଥିଲା ବୋଲି ଏବେ ଜଣାପଡ଼ିଛି।

ଏମ୍‌ପିସି ବୈଠକରେ କ’ଣ ଚର୍ଚ୍ଚା ହୋଇଥିଲା ତାହାର ବିବରଣୀ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯିବା ପରେ ସେଥିରେ ପିଆଜ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ବୋଲି ଜଣାପଡ଼ିଛି। ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ ଯେ, ଅଦିନିଆ ବର୍ଷା ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଖରିଫ ଫସଲ ନଷ୍ଟ ହୋଇଯିବା ପରେ ପନିପରିବା ବିଶେଷ କରି ପିଆଜ ଦାମ୍ ବହୁତ ବଢ଼ିଯାଇଛି। ସେଥିପାଇଁ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୁଦ୍ରାସ୍ଫୀତି ହାର ବଢ଼ିଛି। ଏହା କହି ସେ ସୁଧ ହାର ହ୍ରାସରେ ବ୍ରେକ୍ ଲଗାଇବାକୁ ନିଜର ମତଦାନ କରିଥିଲେ। ତାଙ୍କ ଡେପୁଟି ବି ପି କାନୁନ୍‌ଗୋ ମଧ୍ୟ ସମାନ କଥା ଦୋହରାଇ ସୁଧକୁ ଅପରିବର୍ତ୍ତିତ ରଖିବା ଲାଗି ନିଜର ମତଦାନ କରିଥିଲେ। ଶକ୍ତିକାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏମ୍‌ପିସି ବୈଠକରେ ସମସ୍ତ ଛଅ ଜଣ ସଦସ୍ୟ ସୁଧ ଅପରିବର୍ତ୍ତିତ ରଖିବାକୁ ମତଦାନ କରିଥିବା ଅନ୍ୟ ସଦସ୍ୟମାନେ ହେଉଛନ୍ତି ଚେତନ ଘାଟେ, ପମି ଦୁଆ, ରବିନ୍ଦ୍ର ଏଚ୍‌ ଢୋଲକିଆ ଓ ମାଇକେଲ୍ ଦେବବ୍ରତ ପାତ୍ର। ମାସେ ହେଲାଣି ପିଆଜ ଦାମ୍ ଆକାଶଛୁଆଁ ସ୍ତରରେ ରହିଛି। ଏକ ସମୟରେ ଏହାର କେଜି ପିଛା ଦର ୧୫୦ ଟଙ୍କାରୁ ଅଧିକ ହୋଇଯାଇଥିଲା। ଏବେବି ଏହାର ମୂଲ୍ୟ ୧୦୦ ଟଙ୍କା ପାଖାପାଖି ରହିଛି। ପିଆଜ ସଙ୍କଟ ଦୂର କରିବା ଲାଗି ସରକାର ବିଦେଶରୁ ପିଆଜ ଆମଦାନି କରିଥିଲେ। ମାତ୍ର ଏନ୍‌ଆର୍‌ସି ଓ ନାଗରିକତା ଆଇନକୁ ନେଇ ସାରା ଦେଶରେ ଲାଗି ରହିଥିବା ଜନ ଆନ୍ଦୋଳନ ଯୋଗୁଁ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ପହଞ୍ଚିପାରୁନାହିଁ। ସେଥିପାଇଁ ଏହାର ଦାମ୍ ହ୍ରାସ ପାଉନଥିବା ଜଣାପଡ଼ିଛି। ଦେଶରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦାମ୍ ବଢ଼ିଯାଇଥିବା ବେଳେ ସେଗୁଡ଼ିକ ଏତେ ଶୀଘ୍ର ଶସ୍ତା ହେବ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଉକ୍ତ ବୈଠକରେ ଆକଳନ କରିଥିଲା। ମାସେ ପର୍ଯ୍ୟନ୍ତ ଦର ଉଚ୍ଚ ରହିପାରେ। ବିଶେଷ କରି ଦୁଗ୍ଧ, ଡାଲି ଏବଂ ଚିନି ଭଳି ସାମଗ୍ରୀର ଦାମ୍ ଅଧିକ ରହିବ। ଏହାର ପ୍ରଭାବରେ ଖାଦ୍ୟ ମୁଦ୍ରାସ୍ଫୀତି ଦର ବଢ଼ିପାରେ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe