ଅଭିବୃଦ୍ଧି କମିବ ବୋଲି ରିଜର୍ଭ ବ୍ୟାଙ୍କ ଆଗୁଆ ଜାଣିପାରିଥିଲା

Advertisment

ସେଥିପାଇଁ ବାରମ୍ବାର ସୁଧ କମାଉଥିଲା

ସେଥିପାଇଁ ବାରମ୍ବାର ସୁଧ କମାଉଥିଲା

ବିତର୍କ: ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦି ଇଅର୍’

India TV

ମୁମ୍ବାଇ: ବର୍ଷ ଆରମ୍ଭରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଠଉରାଇ ନେଇଥିଲା ଆଗକୁ ଅଭିବୃଦ୍ଧି କମିବ। ସମ୍ଭାବ୍ୟ ସ୍ଥିତିର ସଫଳ ମୁକାବିଲା କରିବା ଲାଗି ବାରମ୍ବାର ସୁଧ ହାରରେ ହ୍ରାସ କରିଥିଲା। ଏହା ସତ୍ତ୍ବେ ଅଭିବୃଦ୍ଧି‌ର ହ୍ରାସକୁ ରୋକାଯାଇପାରିନଥିଲା। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଭବିଷ୍ୟତରେ ଅଭିବୃଦ୍ଧି କମିବ ବୋଲି ଆମେ ଜାଣିପାରିଥିଲୁ। ସେଥିପାଇଁ ବହୁତ ଆଗରୁ ଗତ ଫେବ୍ରୁଆରି ଠାରୁ ଆମେ ସୁଧ ହାର କମାଇବା ଆରମ୍ଭ କରିଥିଲୁ। ଯଥେଷ୍ଟ ଆଗରୁ ଆମେ ଏହି ପଦକ୍ଷେପ ନେଇଥିଲୁ ବୋଲି ସେ କହିଛନ୍ତି। ନିକଟରେ ହୋଇଥିବା ମୁଦ୍ରାନୀତି ସମୀକ୍ଷା ‌ବେଳେ ସୁଧ ହାରକୁ ଅପରିବର୍ତ୍ତିତ ରଖିବା ଲାଗି ଯେଉଁ ନିଷ୍ପତ୍ତି ନିଆଯାଇଥିଲା ତାହା ସମୟ ଅନୁସାରେ ସମ୍ପୂର୍ଣ୍ଣ ଠିକ୍ ବୋଲି ସେ କହିଛନ୍ତି। ଦରକାର ପଡ଼ିଲେ ଆଗାମୀ ଦିନରେ ପୁଣି ସୁଧ କମ୍ କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି।

ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଫେବ୍ରୁଆରି ପରଠାରୁ କ୍ରମାଗତ ପାଞ୍ଚ ଥର ହ୍ରାସ ଘୋଷଣା କରି ‌ରେପୋ ହାରକୁ ୧.୩୫% କମ୍ କରିଥିଲା। ସରକାରଙ୍କ ଇସାରାରେ ରିଜର୍ଭ ବ୍ୟାଙ୍କ ସୁଧ କମାଉଛି ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଥିଲା। କାରଣ ଏହା ପୂର୍ବରୁ ଗଭର୍ଣ୍ଣର ଭାବେ ଦାୟିତ୍ବ ତୁଲାଇଥିଲା ରଘୁରାମ ରାଜନ ଓ ଉର୍ଜିତ ପଟେଲ୍‌ ସୁଧ କମ୍ କରିବା ସପକ୍ଷରେ ନଥିଲେ। ବିବାଦୀୟ ପରିସ୍ଥିତିରେ ଉର୍ଜିତ ନିଜ କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଇସ୍ତଫା ଦେଇ ଚାଲିଯାଇଥିଲେ। ତାଙ୍କ ସ୍ଥାନରେ ବିମୁଦ୍ରୀକରଣ ସମୟରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିବା ପ୍ରଶାସକ ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥିଲା। ତାଙ୍କୁ ସରକାରଙ୍କ ଜଣେ ଅତ୍ୟନ୍ତ ଅନୁଗତ ଭାବେ ବିଚାର କରାଯାଉଥିଲା। ସେହି ଦୃଷ୍ଟିରୁ ସରକାରଙ୍କ କହିବାନୁସାରେ ରିଜର୍ଭ ବ୍ୟାଙ୍କ ସୁଧ କମ୍ କରୁଛି ବୋଲି ଅନୁମାନ କରାଯାଉଥିଲା। ମାତ୍ର ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ସମ୍ପୂର୍ଣ୍ଣ ରୂପେ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ରହିଥିଲା ବୋଲି ଏବେ ଜଣାପଡ଼ିଛି।

ଶକ୍ତିକାନ୍ତ କହିଛନ୍ତି, ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଭିବୃଦ୍ଧି ହ୍ରାସ ପାଇବାର ଆଶଙ୍କା ରହିଛି ବୋଲି ଆମେ ଜାଣିପାରିଥିଲୁ। ସେହିଭଳି ସ୍ଥିତି ସୃଷ୍ଟି ହେବ ବୋଲି ଅନେକ ସଙ୍କେତ ମିଳୁଥିଲା। ସେଥିପାଇଁ ଆମେ ବହୁତ ଆଗରୁ ଅର୍ଥାତ ଗତ ଫେବ୍ରୁଆରି ଠାରୁ ସୁଧ କମାଇବା ଆରମ୍ଭ କରିଥିଲୁ। ସେତେବେଳେ ଆମର ପଦକ୍ଷେପକୁ ନେଇ ସମସ୍ତେ ଚକିତ ହୋଇପଡ଼ିଥିଲେ। ନିକଟରେ ଆମେ ସୁଧକୁ ଅପରିବର୍ତ୍ତିତ ରଖିବାରୁ ମଧ୍ୟ ସେମାନେ ଚକିତ ହୋଇପଡ଼ିଛନ୍ତି।‌ ଯେମିତି ସୁଧ କମ୍ କରିବା ପଦକ୍ଷେପ ସଠିକ୍ ଥିଲା ବୋଲି ପରବର୍ତି ସମୟରେ ଜଣାପଡ଼ିଥିଲା ସେହିଭଳି ଆଗାମୀ ଦିନରେ ମଧ୍ୟ ସମସ୍ତେ ଜାଣିପାରିବେ ଆମେ କାହିଁକି ସୁଧକୁ ଅପରିବର୍ତ୍ତିତ ରଖିଲୁ ବୋଲି ସେ କହିଛନ୍ତି। ଦେଶରେ ପୁଞ୍ଜିନିବେଶ ସ୍ଥିତିରେ ସୁଧାର ହେଉଥିବାର ସଙ୍କେତ ମିଳୁଛି ବୋଲି ଶକ୍ତିକାନ୍ତ କହିଛନ୍ତି। ୧୫୩୯ଟି କଂପାନିକୁ ନେଇ ରିଜର୍ଭ ବ୍ୟାଙ୍କ କରିଥିବା ସର୍ଭେରୁ ଏହି ସୂଚନା ମିଳିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe