ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ: ବଢ଼ିବନି ଇଏମ୍‌ଆଇ

Advertisment

୫୦୦ ଟଙ୍କିଆ ପ୍ରତ୍ୟାହାର ହେବନି, ୧୦୦୦ ଟଙ୍କିଆ ଆସିବନି, ଦରଦାମ୍‌ ଉପରେ ଅର୍ଜୁନଙ୍କ ଭଳି ନଜର

୫୦୦ ଟଙ୍କିଆ ପ୍ରତ୍ୟାହାର ହେବନି, ୧୦୦୦ ଟଙ୍କିଆ ଆସିବନି, ଦରଦାମ୍‌ ଉପରେ ଅର୍ଜୁନଙ୍କ ଭଳି ନଜର

ବ୍ୟାଙ୍କ ନିର୍ଦ୍ଦେଶକଙ୍କୁ ଭେଟିବେ ଶକ୍ତିକାନ୍ତ

The Economic Times

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ମୁଦ୍ରାନୀତି କମିଟି ରେପୋ ହାର ୬.୫%ରେ ଅପରିବର୍ତ୍ତତ ରଖିଥିବାରୁ ଋଣଗ୍ରହୀତା ଆଶ୍ବସ୍ତ ହୋଇଛନ୍ତି। ଅନ୍ତତଃ ସେମାନଙ୍କ ଇଏମ୍‌ଆଇରେ ଆଉ ବୃଦ୍ଧି ହେବ ନାହିଁ। ନୂଆ ଋଣ ନେବାକୁ ଚାହୁଥିବା ଗ୍ରାହକମାନଙ୍କୁ ଅଧିକ ସୁଧ ବି ଗଣିବାକୁ ପଡ଼ିବନି। ଏହା ପୂର୍ବରୁ ୬ ଥରରେ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ୨.୫୦ ପ୍ରତିଶତ ବୃଦ୍ଧି କରିଥିଲା। ଗଭର୍ଣ୍ଣର ଶ୍ରୀ ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଆକଳନ ଅନୁସାରେ ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ରହିବ। ବର୍ଷତମାମ ମୁଦ୍ରା‌ସ୍ଫିତି ହାର ୫.୧ ପ୍ରତିଶତରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି। ମୌସୁମୀ ବର୍ଷା‌ ଓ ଜଳବାୟୁରେ ଏଲ୍‌-ନିନୋର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ମୁଦ୍ରାସ୍ଫୀତିକୁ କିଭଳି ୪ ପ୍ରତିଶତରୁ ତଳେ ରଖାଯିବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

୫୦୦ ଟଙ୍କିଆ ପ୍ରତ୍ୟାହାର ହେବନି, ୧୦୦୦ ଟଙ୍କିଆ ଆସିବନି
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସ୍ପଷ୍ଟ କରିଛନ୍ତି ଯେ ୫୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାର ‌କୌଣସି ଯୋଜନା ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି‌ ଯେ ୧୦୦୦ ଟଙ୍କିଆ ନୋଟ୍‌କୁ ପୁନର୍ବାର ପ୍ରଚଳନରେ ଆଣିବା ପାଇଁ ମଧ୍ୟ ରିଜର୍ଭ ବ୍ୟାଙ୍କର କୌଣସି ଯୋଜନା ନାହିଁ। ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ନେଇ ଯେଉଁ ଗୁଜବ ପ୍ରଚାର ହେଉଛି ତାହାକୁ ବିଶ୍ବାସ ନକରିବା ଲାଗି ଶକ୍ତିକାନ୍ତ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଦରଦାମ୍‌ ଉପରେ ଅର୍ଜୁନଙ୍କ ଭଳି ନଜର
ଦରଦାମ୍ ବିରୋଧରେ ଚାଲିଥିବା ଲଢ଼େଇ ଶେ‌ଷ ହୋଇନାହିଁ। ଯଦିଓ ସ୍ଥିତିରେ ସୁଧାର ଘଟିଛି, କିନ୍ତୁ ମୁଦ୍ରାସ୍ଫୀତି ଉପରେ ରିଜର୍ଭ ବ୍ୟାଙ୍କ ଅର୍ଜୁନଙ୍କ ଭଳି ତୀକ୍ଷ୍‌ଣ ନଜର ରଖିବ ବୋଲି ଶକ୍ତିକାନ୍ତ କହିଛନ୍ତି। ଦରଦାମ୍‌କୁ ନିୟନ୍ତ୍ରଣ ଯାତ୍ରାର ଶେଷ ପର୍ଯ୍ୟାୟ ସବୁଠୁ କଠିନ ବୋଲି ସେ କହିଛନ୍ତି।
ଶକ୍ତିକାନ୍ତଙ୍କୁ ଗାଭାସ୍କରଙ୍କ ସହ ତୁଳନା
ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କିମ୍ବଦନ୍ତୀ କ୍ରିକେଟ୍‌ ଖେଳାଳି ସୁନିଲ ଗାଭାସ୍କରଙ୍କ ସହ ତୁଳନା କରିଛନ୍ତି ଷ୍ଟକ ବଜାର ବିଶେଷଜ୍ଞ ନୀଲେଶ ଶାହ। ସେ କହିଛନ୍ତି ଯେ ସାରା ବିଶ୍ବରେ ଆହ୍ବାନପୂର୍ଣ୍ଣ ସ୍ଥିତି ଥିବା ବେଳେ ରିଜର୍ଭ ବ୍ୟାଙ୍କ ନିର୍ଭୟରେ ତାହାକୁ ସାମ୍ନା କରୁଛି। ଗାଭାସ୍କର ଯେଭଳି କଠିନ ପରିସ୍ଥିତିରେ ଶତକ ହାସଲ କରିବା ଲାଗି ସଂକଳ୍ପ ନେଇ ଖେଳନ୍ତି, ଶକ୍ତିକାନ୍ତ ସେହିଭଳି ବିଭିନ୍ନ ଆହ୍ବାନକୁ ସାମ୍ନା କରୁଛନ୍ତି କୋଟାକ୍ ମହିନ୍ଦ୍ରା ଏଏମ୍‌ସିର ଏମ୍‌ଡି ଶ୍ରୀ ଶାହ କହିଛନ୍ତି।
କୋଅପରେଟିଭ୍ ବ୍ୟାଙ୍କ ଏନ୍‌ପିଏ ରାଇଟ୍‌-ଅଫ୍ କରିପାରିବେ
ଖୁବ୍‌ଶୀଘ୍ର କୋଅପରେଟିଭ୍ ବ୍ୟାଙ୍କଗୁଡ଼ିକ ଅସୁଲ ହୋଇପାରୁନଥିବା ଋଣ ବା ଏନ୍‌ପିଏକୁ ରାଇଟ୍‌ ଅଫ୍ କରିପାରିବେ। ଚାପଗ୍ରସ୍ତ ସମ୍ପତ୍ତି ପରିଚାଳନା ଲାଗି ଯେଉଁ ଫ୍ରେମ୍‌ୱର୍କ ପ୍ରସ୍ତୁତ କରାଯାଇଛି ତାହାକୁ ରିଜର୍ଭ ବ୍ୟାଙ୍କ ନିୟନ୍ତ୍ରଣ ଅଧିନରେ ଥିବା ସବୁ ସଂସ୍ଥାଗୁଡ଼ିକ ଲାଗି ଲାଗୁ କରାଯିବ।
ରୁପେ ଫୋରେକ୍ସ ପ୍ରିପେଡ୍ କାର୍ଡ ଆସିବ
ବିଦେଶ ଭ୍ରମଣରେ ଯାଉଥିବା ଗ୍ରାହକମାନଙ୍କୁ ବ୍ୟାଙ୍କଗୁଡ଼ିକ ରୁପେ ପ୍ରିପେଡ୍ ଫୋରେକ୍ସ କାର୍ଡ ଜାରି କରିପାରିବେ। ଏଥିପାଇଁ ରିଜର୍ଭ ବ୍ୟାଙ୍କ ଅନୁମତି ପ୍ରଦାନ କରିଛନ୍ତି। ବିଦେଶରେ ବି ରୁପେ କାର୍ଡ ଜାରି କରାଯାଇପାରିବ ବୋଲି ଶକ୍ତିକାନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe