Deccan Herald
ମୁମ୍ବାଇ: ଦେଶରେ ନିର୍ବାଚନ ଋତୁ ଚାଲିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ବଡ଼ ଉପହାର ଦେବାକୁ ଯାଉଛି। ଲାଭାଂଶ ବାବଦରେ ଏହା ଗତବର୍ଷ ତୁଳନାରେ ଅଧିକ ଟଙ୍କା ହସ୍ତାନ୍ତର କରିବ। ଖୁବ୍ଶୀଘ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବ। ଭାରତ ସରକାରଙ୍କ ଋଣ ପରିଚାଳନା କରିବାର ଦାୟିତ୍ବ ରିଜର୍ଭ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଛି। ନିକଟରେ ଏହା ଟ୍ରେଜେରି ବିଲ୍ ଜରିଆରେ ସରକାରଙ୍କ ଋଣ ୬୦,୦୦୦ କୋଟି ଟଙ୍କା କମ୍ କରିଥିଲା। ନିର୍ବାଚନ ପାଇଁ ସରକାରୀ ପାଣ୍ଠି ବ୍ୟବହୃତ ହୋଇପାରୁନଥିବା ବେଳେ ଏହି ବାଟରେ ତାହାକୁ ନିୟୋଜିତ କରାଯାଉଛି। ତେଣୁ ଆଗାମୀ ଦିନରେ ସରକାରଙ୍କୁ ଅଧିକ ପାଣ୍ଠି ଆବଶ୍ୟକ ହେବ। ସେହି ସମୟର ପାଣ୍ଠି ଆବଶ୍ୟତା ପୂରଣ କରିବାରେ ରିଜର୍ଭ ବ୍ୟାଙ୍କ ଦେବାକୁ ଥିବା ଲାଭାଂଶ ଓ ବଳକା ପାଣ୍ଠି ବିଶେଷ ସହାୟକ ହେବ। ୨୦୨୩-୨୪ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୮୭,୪୧୬ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଥିଲା। ୨୦୨୪-୨୫ରେ ଏହା ୧.୦୨ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦେବ ବୋଲି ବଜେଟ୍ରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତିଭୂତି କାରବାର ଏବଂ ସୁଧ ଆକାରରେ ରିଜର୍ଭ ବ୍ୟାଙ୍କ ବିପୁଳ ଆୟ କରିବ ବୋଲି ଆଶା କରାଯାଉଛି।
ଏକ ଆକଳନ ଅନୁସାରେ ରିଜର୍ଭ ବ୍ୟାଙ୍କର ମୋଟ ଆୟରୁ ପରିଚାଳନା ଖର୍ଚ୍ଚକୁ ବାଦ ଦେବା ପରେ ୩.୪ ଲକ୍ଷ କୋଟି ଟଙ୍କାର ବଳକା ରାଶି ରହିବ। ସେଥିରୁ ୨.୨ ଲକ୍ଷ କୋଟି ଟଙ୍କାକୁ ପ୍ରୋଭିଜନିଂ ପାଇଁ ରଖିବା ପରେ ଆହୁରି ୧.୨ ଲକ୍ଷ କୋଟି ଟଙ୍କା ବଳକା ରହିବ ଯାହାକୁ ସରକାରଙ୍କୁ ହସ୍ତାନ୍ତର କରାଯିବାର ସମ୍ଭାବନା ରହିଛି। ୨୦୨୨-୨୩ରେ ଡଲାର ତୁଳନାରେ ଟଙ୍କାକୁ ଶକ୍ତିଶାଳୀ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ଆଡ଼ୁ ବହୁ ଡଲାର ବିକ୍ରି କରିଥିଲା। ୨୦୨୩-୨୪ରେ କିନ୍ତୁ ସେଭଳି ସ୍ଥିତି ନଥିଲା। ତେଣୁ ବିଦେଶୀ ମୁଦ୍ରାରୁ ରିଜର୍ଭ ବ୍ୟାଙ୍କ ଏଥର ଭଲ ଆୟ କରିଥିବ ବୋଲି ଆଶା କରାଯାଉଛି।
Follow Us