New Indian Express
ଭୁବନେଶ୍ବର : ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୧ଟି ବିଭାଗର ଅନଲାଇନ୍ ସେବା ପ୍ରଦାନ କାର୍ଯ୍ୟର ସମୀକ୍ଷା କରାଯାଇଛି। ଇତି ମଧ୍ୟର ଇସ୍ପାତ ଓ ଖଣି ବିଭାଗର ସମସ୍ତ ୫ଟି ସେବା, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ୧୨ଟି ଚିହ୍ନିତ ସେବା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ୩ଟି ଚିହ୍ନିତ ସେବାକୁ ଅନ୍ଲାଇନ୍ କରାଯାଇଛି। ବୈଷୟିକ କୌଶଳର ବ୍ୟବହାର ଦ୍ବାରା ସେବା ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ଶ୍ରୀ ତ୍ରିପାଠୀ ସନ୍ତୋଷବ୍ୟକ୍ତ କରିଛନ୍ତି। ନିର୍ଧାରିତ ସମୟ ଭିତରେ ଅନଲାଇନ୍ ସେବା ଯୋଗାଇବାକୁ ସେ ନିର୍ଦେଶ ଦେଇଛନ୍ତି। ସମସ୍ତ ପ୍ରକାର ଦେୟ, ପ୍ରାପ୍ୟ ସହାୟତା ଓ କ୍ଷତିପୂରଣକୁ ଅନଲାଇନ୍ରେ ଦେବାକୁ ସେ କହିଛନ୍ତି। କଣ୍ଟ୍ରାକ୍ଟରମାନଙ୍କ ଦ୍ବାରା ଶ୍ରମିକମାନଙ୍କୁ ମଜୁରୀ ଓ ଅନ୍ୟାନ୍ୟ ଦେୟ ପ୍ରଦାନର ଅନୁଧ୍ୟାନ ଲାଗି ‘ଇ-ମଷ୍ଟର ରୋଲ୍’ ଆପ୍ଲିକେସନ ପ୍ରସ୍ତୁତ କରାଯାଇଥିବା ବେଳେ ତାହାକୁ ପୂର୍ତ୍ତ, ଜଳ ସମ୍ପଦ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କେତେକ ପ୍ରକଳ୍ପରେ ପରୀକ୍ଷାମୂଳକ ଭାବେ ପ୍ରୟୋଗ ପାଇଁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି। ୫ଟି ଢାଞ୍ଚାରେ ଅଗ୍ରାଧିକାର ଚିହ୍ନିତ ୨୨୩ଟି ସେବା ମଧ୍ୟରୁ ପ୍ରାୟ ୫୨ ପ୍ରତିଶତ ସେବାକୁ ଅନ୍ଲାଇନ୍ କରାଯାଇଛି। ସମସ୍ତ ଚିହ୍ନିତ ସେବାକୁ ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଅନ୍ଲାଇନ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଅଂଶଗ୍ରହଣ କରିଥିଲେ। ଆଇଟି ସଚିବ ମନୋଜ ମିଶ୍ରଙ୍କ ତତ୍ତ୍ବାବଧାନରେ ଓସ୍ବାସ୍ ପ୍ଲାଟଫର୍ମରେ ଏହି ବୈଠକ ଆୟୋଜନ କରାଯାଇଥିଲା।
Follow Us