ରେମଣ୍ଡ୍‌ରୁ ବାପାଙ୍କୁ ବିଦା କଲା ପୁଅ

‘ଚେୟାରମ୍ୟାନ୍‌ ଏମେରିଟସ୍‌’ ପଦରୁ ବିଜୟପତ୍‌ ବରଖାସ୍ତ

ରେମଣ୍ଡ୍‌ରୁ ବାପାଙ୍କୁ ବିଦା କଲା ପୁଅ

ମୁମ୍ବାଇ: ସିଂଘାଣିଆ ପରିବାର ଝଗଡ଼ାରେ ବାପା ବିଜୟପତ୍‌ ସିଂଘଣିଆଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ତାଙ୍କୁ ‌ରେମଣ୍ଡ୍‌ର ଚେୟାରମ୍ୟାନ୍ ଏମେରିଟସ୍‌ ପଦରୁ ବରଖାସ୍ତ କରାଯାଇଛି। ଯେଉଁ କଂପାନିକୁ ଝାଳ ବୁହାଇ ଠିଆ କରାଇଥିଲେ ସେହି କଂପାନିରୁ ତାଙ୍କୁ ହଟାଇ ଦିଆଯାଇଛି। ସିଂଘାଣିଆ ବାପପୁଅ ଝଗଡ଼ାକୁ ନେଇ କିଛି ମାସ ତଳେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ‘ଚଳିବାକୁ ମୋ ପାଖରେ ଟଙ୍କା ନାହିଁ ଓ ଏଥିପାଇଁ ମୋ ପୁଅ ଗୌତମ ଦାୟୀ’ ବୋଲି ଅଭିଯୋଗ କରି ବିଜୟପତ୍‌ ସାରା ଦେଶକୁ ଚମକାଇ ଦେଇଥିଲେ। ଗୌତମ ହେଉଛନ୍ତି ବିଜୟପତ୍‌ଙ୍କ ସାନ ପୁଅ ଓ ଏବେ ତାଙ୍କ ହାତରେ ରେମଣ୍ଡ୍‌ କଂପାନିର ମାଲିକାନା ରହିଛି। ଅବଶ୍ୟ ସେହି ସମୟରେ ଏହି ଘଟଣା କୌଣସି ପ୍ରକାରରେ ଥମିଯାଇଥିଲା। କିଛି ମାସର ବ୍ୟବଧାନ ପରେ ପୁଣି ବାପପୁଅଙ୍କ ଝଗଡ଼ା ଆରମ୍ଭ ହୋଇଛି। କୁହାଯାଉଛି ଯେ ଗୌତମଙ୍କ ଇଙ୍ଗିତରେ ବିଜୟପତ୍‌ଙ୍କୁ କଂପାନିର ‘ଚେୟାରମ୍ୟାନ୍‌ ଏମେରିଟସ୍‌’ ପଦରୁ ହଟାଇ ଦିଆଯାଇଛି। କିନ୍ତୁ ଗୌତମ କହୁଛନ୍ତି, ଏହା ବୋର୍ଡ ନିର୍ଦେଶକଙ୍କ ନିଷ୍ପତ୍ତିି ଓ ସେଥିରେ ତାଙ୍କର କୌଣସି ଭୂମିକା ନାହିଁ। ବିଜୟପତ୍‌ଙ୍କୁ ଚେୟାରମ୍ୟାନ୍ ଏମେରିଟସ୍‌ ପଦରୁ ହଟାଇବା ପାଇଁ ବହୁଦିନ ତଳୁ ନିଷ୍ପତ୍ତି ନିଆଯାଇଥିଲା। ସେପ୍ଟେମ୍ବର ୭ରେ କଂପାନିର ଜଣେ ନିର୍ଦେଶକ ବିଜୟପତ୍‌ଙ୍କୁ ଏକ ଚିଠି ଲେଖି ଏହି ପଦ ବ୍ୟବହାରରୁ ନିବୃତ ରହିବାକୁ କହିଥିଲେ। କିନ୍ତୁ ବିଜୟପତ୍‌ ତାଙ୍କ କଥା ଶୁଣିନଥିଲେ। ମୋତେ ପ୍ରମାଣ ନଦେଖାଇବା ପର୍ଯ୍ୟନ୍ତ ଏକଥାରେ ମୁଁ ବିଶ୍ବାସ କରିବି ନାହିଁ ବୋଲି କହିଥିଲେ। ସେହିଦିନ ରେମଣ୍ଡ୍‌ର କଂପାନି ସେକ୍ରେଟାରି ଦସ୍ତଖତ କରିଥିବା ଏକ ଚିଠିରେ ବିଜୟପତ୍‌ଙ୍କୁ ଚେୟାରମ୍ୟାନ୍ ଏମେରିଟସ୍‌ ପଦରୁ ବରଖାସ୍ତ କରାଯାଇଥିବା ଲେଖାଯାଇଥିଲା। କଂପାନିର ବୋର୍ଡ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକଙ୍କ ପ୍ରତି ‌ବିଜୟପତ୍‌ଙ୍କ ଅପଶବ୍ଦ ପ୍ରୟୋଗ ଓ ଖରାପ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଚିଠିରେ ଲେଖାଯାଇିଥିଲା। ସିଂଘାଣିଆ ପରିବାରରେ ଚାଲିିଥିବା ବିବାଦ ସହିତ ଏହି ନିଷ୍ପତ୍ତିର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଅଗଷ୍ଟ ୩୦ରେ ବୋର୍ଡକୁ ଏକ ଚିଠି ଲେଖି ବିଜୟପତ୍‌ ଜଣାଇଥିଲେ ଯେ ପୁଅ ଗୌତମଙ୍କ ଯୋଗୁ ତାଙ୍କୁ କଂପାନିରୁ ବିଦା କରାଯାଇଛି। ପଦ୍ମଭୂଷଣ ମେଡାଲ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ଫେରାଇ ଦେବା ପାଇଁ ସେ ଅନୁରୋଧ କରିଥିଲେ। ସେହି ଅଭିଯୋଗ ସମ୍ପୂର୍ଣ୍ଣ ମିଛ ଓ ବାପାଙ୍କ ବୟସ ଅଧିକ ହୋଇଯାଇଥିବାରୁ ସେ କେଉଁ ଜିନିଷ କେଉଁଠାରେ ରଖିଛନ୍ତି ତାଙ୍କର ମନେ ପଡ଼ୁନାହିଁ।

ଉଲ୍ଲେଖଯୋଗ୍ୟ, କଂପାନି ପ୍ରତିଷ୍ଠା କରି ଅଧ୍ୟକ୍ଷ ଭାବେ କାମ କରିଥିବା ବ୍ୟକ୍ତିଙ୍କୁ ‘ଚେୟାରମ୍ୟାନ୍ ଏମେରିଟସ୍‌’ ପଦ ପ୍ରଦାନ କରାଯାଇଥାଏ। କଂପାନି ନିୟମରେ ଏହି ପଦର କୌଣସି ମହତ୍ବ ନାହିଁ। ଏକ ସମ୍ମାନ ଭା‌େବ କଂପାନି କତୃର୍ପକ୍ଷ ନିଜ ଅଧ୍ୟକ୍ଷଙ୍କୁ ଅବସର ପରେ ଏହି ପଦ ପ୍ରଦାନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe