ଅଶୋଧିତ ତୈଳ ଦରରେ ବୃଦ୍ଧି: ଇସ୍ପାତ ଶିଳ୍ପରେ କଞ୍ଚାମାଲ ମହଙ୍ଗା

କେବଳ ଭାରତରେ ଇସ୍ପାତ ଉତ୍ପାଦନ ବଢ଼ୁଛି: ଚୀନ୍, ଆମେରିକା, ଜାପାନ, ରୁଷ୍‌ରେ କମିଲା

Image Courtesy of Business Standard

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ହୋଇଥିବା ବୃଦ୍ଧିର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଅନୁଭୂତ ହେଲାଣି। ଏହାର ପ୍ରଭାବରେ ଇସ୍ପାତ ଶିଳ୍ପରେ ବ୍ୟବହାର ହେଉଥିବା କଞ୍ଚାମାଲଗୁଡ଼ିକର ଦାମ୍ ବଢ଼ିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତି। ତେଲ କଂପାନିଗୁଡ଼ିକର ସ୍ଥିତିରୁ ଲାଭ ଉଠାଉଛନ୍ତି। ଇନ୍ଧନ ଦ୍ବାରା ପରିଚାଳିତ ହେଉଥିବା ସବୁ କ୍ଷେତ୍ରରେ ଦର ନିୟନ୍ତ୍ରଣ କରିବା ଉପରେ ସରକାରମାନଙ୍କୁ ଧ୍ୟାନ ଦେବାକୁ ହେବ ବୋଲି ‌ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡ୍‌ର ଏମ୍‌ଡି ଭି ଆର୍‌ ଶର୍ମା କହିଛନ୍ତି। ତେଲ ମହଙ୍ଗା ହେଉଥିବାରୁ ଭଡ଼ା ବଢ଼ୁଛି। ସେହି ଅନୁସାରେ କଞ୍ଚାମାଲ ଦାମ୍ ବଢ଼ୁଛି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୯୦ ଡଲାର ପାଖାପାଖି ଥିଲା। ଏବେ ତାହା ୧୨୦ ଡଲାରରେ ପହଞ୍ଚିଯାଇଛି। ଆଉ କିଛି ଦିନ ଭିତରେ ତାହା ୧୮୦ ଡଲାର ହୋଇଯିବାର ଆଶଙ୍କା ରହିଛି। ଏବେ ଜାହାଜରେ ସାମଗ୍ରୀ ପରିବହନ କରିବା ଲାଗି ଦିନକୁ ୨୦ ହଜାର ଡଲାର ଗଣିବାକୁ ପଡ଼ୁଛି। ସେହି ଭଡ଼ା ୩୦ ହଜାର ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି। କୋଇଲା ଦାମ୍ ମଧ୍ୟ ଇତି ମଧ୍ୟରେ ଟନ୍ ପିଛା ୨୫୦ ଡଲାରରୁ ବୃଦ୍ଧି ପାଇ ୫୫୦ ଡଲାର ହୋଇଛି। ଲୁହାପଥର ଦାମ୍ ମଧ୍ୟ ବଢ଼ିଛି। ବର୍ତମାନ ଲମ୍ପ୍‌ର ଟନ୍ ପିଛା ଦାମ୍ ୧୦ ହଜାର ଟଙ୍କା ରହିଛି। କଞ୍ଚାମାଲ୍‌ ମହଙ୍ଗା ହୋଇଥିବାରୁ ହଟ୍‌ ରୋଲ୍‌ଡ କଏଲ୍‌ (ଏଚ୍‌ଆର୍‌ସି) ଓ ଟିଏମ୍‌ଟି ବାର୍‌ ଦାମ୍ ବଢ଼ିଛି। ଏହି ସାମଗ୍ରୀଗୁଡ଼ିକ ଗାଡ଼ି, ଆପ୍ଲାଏନ୍‌ସେସ୍‌, ନିର୍ମାଣ ଓ ରିଅଲ୍‌ ଇଷ୍ଟେଟ୍‌ ଶିଳ୍ପ‌ରେ ବହୁଳ ଭାବେ ବ୍ୟବହୃତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe