ଲକ୍‌ଡାଉନ୍‌ରେ ଫିକା ପଡ଼ିଲା ବେପାର: ସୁନା ବ୍ୟବସାୟରେ ୧୦ ହଜାର କୋଟି କ୍ଷତି

ଅନ୍‌ଲାଇନ୍‌ରେ ୧୦୦ ଟଙ୍କାରେ ସୁନା ବିକ୍ରି: ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ଅଧିକ

Depositphotos

ନୂଆଦିଲ୍ଲୀ : କରୋନା ମହାମାରୀର ଭୟଙ୍କର ଦ୍ବିତୀୟ ଲହର ପବିତ୍ର ଇଦ୍‌ର ସୁନା ବଜାରକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛି। ସୁନା ଦୋକାନଗୁଡ଼ିକ ବନ୍ଦ ରହିବା ଯୋଗୁଁ କାରବାର ହେବାର କୌଣସି ସମ୍ଭାବନା ନାହିଁ। କିଛି ଗହଣା ପ୍ରତିଷ୍ଠାନ ଅନ୍‌ଲାଇନ୍ ଜରିଆରେ ଗହଣା ବିକ୍ରି କରୁଛନ୍ତି। କିନ୍ତୁ ଏହାର ଗ୍ରହଣୀୟତା ପ୍ରତିଟି ଗ୍ରାହକ ସ୍ତରରେ ସମାନ ନଥିବାରୁ ବ୍ୟବସାୟ ‌‌ସେତେଟା ଉତ୍ସାହଜନକ ନାହିଁ। ଇଦ୍ ଓ ଅକ୍ଷୟ ତୃତୀୟ ଅବସରରେ ସୁନା ବ୍ୟବସାୟରେ ୧୦ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଦେଶର ହଜାର ହଜାର ସୁନା ଦୋକାନରେ ତାଲା ପଡ଼ିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟା‌ରେ କୋଟି କୋଟି ଟଙ୍କାର ସୁନା ବିକ୍ରି ହୋଇଥାଏ। ମାତ୍ର ଚଳିତ ବର୍ଷ ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ୍ ରହିଥିବାରୁ ଗହଣା ପ୍ରତିଷ୍ଠାନଗୁଡ଼ିକ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି।

ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ କୁହାଯାଇଛି ଯେ ଲକ୍‌ଡାଉନ୍ ଓ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଲଗାଯାଇଥିବା ବିଭିନ୍ନ ପ୍ରକାର କଟକଣା ସୁନା ଓ ଗହଣା ବେପାର ପାଇଁ ପ୍ରାୟ ୧୦ ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ଆକଳନ କରାଯାଇଛି। ଗତବର୍ଷ ଅକ୍ଷୟ ତୃତୀୟା ସମୟରେ ମଧ୍ୟ ସାରା ଦେଶ ଲକ୍‌ଡାଉନ୍‌ରେ ରହିଥିଲା। ସେଥିପାଇଁ ଗହଣା ବ୍ୟବସାୟୀମାନେ ଭଲ ବ୍ୟବସାୟ କରିପାରିନଥିଲେ। ସିଏଆଇଟିର ଜାତୀୟ ସଭାପତି ବି ସି ଭର୍ତିଆ କହିଛନ୍ତି ଯେ ଭାରତରେ ୪ ଲକ୍ଷ ପାଖାପାଖି ସୁନା ଓ ଗହଣା ବ୍ୟବସାୟୀ ଅଛନ୍ତି। ଯେହେତୁ ଇଦ୍ ଓ ଅକ୍ଷୟ ତୃତୀୟା ଏବର୍ଷ ପାଖାପାଖି ପାଳନ କରାଯାଉଛି,‌ ତେଣୁ ଏହି ଦିନରେ ହେବାକୁ ଥିବା ବେପାର ସମ୍ପୂର୍ଣ୍ଣ ମାଡ଼ ଖାଇଛି। ଦେଶର ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ରେ ଥିବାରୁ ସୁନା ବ୍ୟବସାୟୀମାନେ କୌଣସି କାରବାର କରିପାରିନଥିବା ସେ କହିଛନ୍ତି। ସରକାର ଘୋଷଣା କରିଥିବା କଟକଣା ଯୋଗୁଁ ଗହଣା ବ୍ୟବସାୟୀମାନେ ୧୦-୧୫% ବିକ୍ରି ପାଇଁ ଆଶା ରଖିଥିଲେ। କିନ୍ତୁ କଠୋର କଟକଣା ଯୋଗୁଁ ବେପାର କରିବା ଆଦୌଁ ସମ୍ଭବ ହୋଇନାହିଁ। ଭୁବନେଶ୍ବରରେ ସୁନା ଦୋକାନଗୁଡ଼ିକ ବନ୍ଦ ରହିଛି। ତେଣୁ ଷ୍ଟୋର୍‌ରୁ ସୁନା କିଣିବା ସମ୍ପୂର୍ଣ୍ଣ ଠପ୍ ହୋଇଛି। ସୁନା ପାଇଁ ଯାହା କିଛି ବରାଦ ଆସିଛି ତାହା ଅନ୍‌ଲାଇନ୍ କିମ୍ବା ‌ଟେଲିଫୋନ୍ ଅନୁସନ୍ଧାନ ଜରିଆରେ ଆସିଛି ବୋଲି ଅଲ ଇଣ୍ଡିଆ ଜେମସ୍‌ ଆଣ୍ଡ୍‌ ଜୁଏଲାରି ଡୋମେଷ୍ଟିକ୍ କାଉନ୍‌ସିଲ୍‌ (ଜିଜେସି)ର ଆଶିଷ ପେଠେ କହିଛନ୍ତି। ଗହଣା ବିକ୍ରେତାଙ୍କ ଆଉ ଏକ ସଂଘ ଏଆଇଜେଜେଏଫ୍‌ର ଜାତୀୟ ସଂଯୋଜକ ପଙ୍କଜ ଅରୋରା କହିଛନ୍ତି ଯେ ଲକ୍‌ଡାଉନ୍ ଯୋଗୁଁ ଦେଶର ଅଧିକାଂଶ ସ୍ଥାନରେ ଗହଣା ଦୋକାନ ବନ୍ଦ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟା ଓ ଧନ୍‌ତେରସ୍‌ରେ ଦେଶରେ ଅଧିକ ଗହଣା ବିକ୍ରି ହୋଇଥାଏ। ଧନ୍‌ତେରସ୍‌ରେ ସର୍ବାଧିକ ଓ ଅକ୍ଷୟ ତୃତୀୟାରେ ଦ୍ବିତୀୟ ସର୍ବାଧିକ ବେପାର ହୋଇଥାଏ। କ୍ରମାଗତ ଦ୍ବିତୀୟ ବର୍ଷ ଲାଗି କରୋନା ମୁକାବିଲା ଜନିତ ଲକ୍‌ଡାଉନ୍ ରହିଥିବାରୁ ସୁନା କିଣା ଅତ୍ୟନ୍ତ ନଗଣ୍ୟ ରହିଛି। ୨୦୧୯ ଅକ୍ଷୟ ତୃତୀୟାରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୩୫ ହଜାର ଟଙ୍କା ଥିବା ବେଳେ ୧୦ ହଜାର କୋଟି ଟଙ୍କାର ବେପାର ହୋଇଥିଲା। ୨୦୨୦ ଅକ୍ଷୟ ତୃତୀୟାରେ ସୁନା ଦାମ୍ ୫୨ ହଜାର ଟଙ୍କା ଥିବା ବେଳେ ଦେଶରେ ମାତ୍ର ୯୮୦ କୋଟି ଟଙ୍କାର ବେପାର ହୋଇଥିଲା। ଚଳିତ ବର୍ଷ ଦାମ୍ ୪୯ ହଜାର ଟଙ୍କା ଥିବା ବେଳେ ବେପାର ଶୂନ ରହିଛି। ଏଥର ୧୦ ହଜାର କୋଟି ଟଙ୍କା ମୂଲ୍ୟର ୨୦ ଟନ୍ ସୁନା ବିକ୍ରି ହେବ ବୋଲି ପୂର୍ବାନୁମାନ କରାଯାଇଥିଲା।

ଓଡ଼ିଶାରେ ଅକ୍ଷୟ ତୃତୀୟାରେ ୧୩୦-୧୫୦‌ କୋଟି ଟଙ୍କା ଭଳି କାରବାର ହୋଇଥାଏ। ତାହାର ୭୦-୮୦% ବିକ୍ରି କେବଳ ଭୁବନେଶ୍ବରରେ ହୋଇଥାଏ। ଗ୍ରାହକମାନଙ୍କୁ ଏହି ଅବସରରେ ଗହଣା ପ୍ରତିଷ୍ଠାନଗୁଡ଼ିକ ମନଲୋଭା ଅଫର ଦେଇଥାନ୍ତି। ଅନେକ ନୂ୍ଆ ଡିଜାଇନ୍‌ର ଗହଣା ସମ୍ଭାର ମଧ୍ୟ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଥାଏ। ଚଳିତ ବର୍ଷ ଦୋକାନ ଖୋଲିବା ସମ୍ଭବପର ହୋଇନଥିବାରୁ ବେପାର ସମ୍ପୂର୍ଣ୍ଣ ଠପ୍ ରହିଛି। ଏକ ଗହଣା ପ୍ରତିଷ୍ଠାନର ଜଣେ ଅଧିକାରୀ କହିଛନ୍ତି ଯେ ଦୋକାନ ବନ୍ଦ ଥିବାରୁ ଆମେ ଘରେ ଅଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe