Image Courtesy of India Today
ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ସହିତ ୨୬୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ବିବାଦ ମାମଲାରେ ସୁ୍ପ୍ରିମକୋର୍ଟ ଯାଇଛି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍। ସୁପ୍ରିମକୋର୍ଟର ୱେବସାଇଟ୍ ଅନୁଯାୟୀ, ଉକ୍ତ ମାମଲା ଗତମାସ ୨୩ ତାରିଖରେ ଦାଖଲ ହୋଇଛି ଏବଂ ଏହାର ଶୁଣାଣି ଆସନ୍ତା ଜୁଲାଇ ୧୧ରେ ହେବ। ମାମଲାରେ ଅନ୍ତରୀଣ ରିହାତି ପାଇବା ପାଇଁ କମ୍ପାନି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କିନ୍ତୁ ହାଇକୋର୍ଟରୁ କମ୍ପାନିକୁ କୌଣସି ଆଶ୍ବସ୍ତି ମିଳି ନଥିଲା। ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଉକ୍ତ ମାମଲାରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଗଷ୍ଟ ୧୨ରେ କରିବାକୁ ସ୍ଥିର କରିଥିଲେ। ତେବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜେଏସଡବ୍ଲ୍ୟୁ ଷ୍ଟିଲ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ଓଡ଼ିଶାରେ ୪ଟି ଲୁହାପଥର ଖଣି ଟେଣ୍ଡରରେ କମ୍ପାନି ଜିତିବା ପରେ ଏହି ଟିକସ ବିବାଦ ଦେଖାଦେଇଛି। ରାଜ୍ୟ ସରକାର କମ୍ପାନି ଉପରେ ୨୬୦୦ କୋଟି ଟଙ୍କାରୁ ଅଧିକ ପରିମାଣର ଟିକସ ଆଦାୟ ପାଇଁ ଦାବି କରିଛନ୍ତି। ଓଡ଼ିଶାରେ ପଞ୍ଜୀକୃତ ଜେଏସଡବ୍ଲ୍ୟୁ ଷ୍ଟିଲ୍ ଦ୍ବାରା ପ୍ରଦାନ କରାଯାଇଥିବା ଜିଏସଟି ଉପରେ ଆଇଟିସିକୁ ମହାରାଷ୍ଟ୍ରରେ ପଞ୍ଜୀକୃତ କମ୍ପାନିକୁ ପଠାଯାଇଥିଲା। ତାହାପରେ ସେହି ସଂସ୍ଥା ଉକ୍ତ ରାଶିକୁ ତାମିଲନାଡ଼ୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପଞ୍ଜୀକୃତ ୟୁନିଟଗୁଡ଼ିକ ନିକଟକୁ ପଠାଇଥିଲା। ଓଡ଼ିଶାର ଟିକସ କର୍ତ୍ତୃପକ୍ଷ ଉକ୍ତ ଆଇଟିସି ସ୍ଥାନାନ୍ତରକୁ ବିରୋଧ କରୁଛନ୍ତି। ମାର୍ଚ୍ଚ ୨୮ରେ ଓଡ଼ିଶା ରାଜ୍ୟ ଟିକସର ଡେପୁଟି କମିସନର କମ୍ପାନି ଠାରୁ ଟିକସ, ଜରିମାନା ଓ ସୁଧ ବାବଦରେ ୨୬୭୮ କୋଟି ଟଙ୍କା ଦାବି କରିଛନ୍ତି।
Follow Us