ଏୟାର ଇଣ୍ଡିଆ ଉପରେ ୫,୦୦୦ କୋଟିର ତୈଳ ବିଲ୍ ବାକି

Advertisment
ଏୟାର ଇଣ୍ଡିଆ ଉପରେ ୫,୦୦୦ କୋଟିର ତୈଳ ବିଲ୍ ବାକି

ନୂଆଦିଲ୍ଲୀ : ଟାଟାକୁ ବିକ୍ରି ହୋଇଯାଇଥିବା ବିମାନ କଂପାନି ଏୟାର ଇଣ୍ଡିଆ‌ ଉପରେ ତେଲ କଂପାନିଗୁଡ଼ିକର ୫୦୦୦ କୋଟି ଟଙ୍କା ବାକି ରହିଛି। ଏହି ଟଙ୍କା ସରକାର ଶୁଝିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ସେଥିରୁ କିଛି ବି ଟଙ୍କା ଦିଆଯାଇନଥିବା ଜଣାପଡ଼ିଛି। ବିମାନ ଇନ୍ଧନ ମୂଲ୍ୟ ବଢ଼ୁଥିବାରୁ ତେଲ ପକାଇବା ଲାଗି ଏୟାର ଇଣ୍ଡିଆକୁ ନୂଆ ପାଣ୍ଠି ଦରକାର।

ବିଭିନ୍ନ ଦେୟ ବାବଦକୁ ଏୟାର ଇଣ୍ଡିଆ ଉପରେ ୧୬ ହଜାର କୋଟି ଟଙ୍କା ବାକି ରହିଛି। ସେଥିରୁ ୫୦୦୦ କୋଟି ଟଙ୍କା ହେଉଛି ତେଲ ବିଲ୍। ଏୟାର ଇଣ୍ଡିଆକୁ ବିକ୍ରି କରିବା ପୂର୍ବରୁ ସରକାର ସ୍ପଷ୍ଟ କରିଥିଲେ ଯେ କଂପାନିର ଯେତେ ସବୁ ବକେୟା ରହିଛି ତାହା ସରକାର ଶୁଝିବେ। ଏୟାର ଇଣ୍ଡିଆ ଉପରେ ଇଣ୍ଡିଆନ ଅଏଲ୍‌ର ୩୦୦୦ କୋଟି ଟଙ୍କା ବାକିଥିବା ବେଳେ ଅନ୍ୟ ଦୁଇ ସରକାରୀ ତେଲ କଂପାନିର ୨୦୦୦ କୋଟି ଟଙ୍କା ବାକି ରହିଛି। ଏତେ ମୋଟା ଅଙ୍କର ବାକି ତୈଳ କଂପାନିଗୁଡ଼ିକର ହିସାବ ଖାତାକୁ ପ୍ରଭାବିତ କରୁଛି। ଏୟାର ଇଣ୍ଡିଆର ଅଣ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତିଗୁଡ଼ିକୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିବା ଲାଗି ସରକାର ଯୋଜନା ରଖିଛନ୍ତି। କିନ୍ତୁ ସମ୍ପତ୍ତି ବିକ୍ରି ଯେହେତୁ ଏକ ଜଟିଳ ପ୍ରକ୍ରିୟା ତେଣୁ ତେଲ କଂପାନିଗୁଡ଼ିକ ନିକଟ ଭବିଷ୍ୟତରେ ସେମାନଙ୍କ ବକେୟା ରାଶି ପାଇବା ସମ୍ଭବପର ନୁହେଁ ବୋଲି କୁହାଯାଇପାରିବ। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ୮୫ ଡଲାରରୁ ଅଧିକ ସ୍ତରରେ ରହିଥିବାରୁ ତେଲ କିଣିବା ଲାଗି କଂପାନିଗୁଡ଼ିକୁ ପାଣ୍ଠି ଦରକାର। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଏତେ ଟଙ୍କାର ବାକିକୁ ନେଇ ତୈଳ କଂପାନିଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଟାଟା ହାତକୁ ଏୟାର ଇଣ୍ଡିଆକୁ ହସ୍ତାନ୍ତର କରିବା ପରେ ଯେଉଁ ସବୁ ସମ୍ପତ୍ତି ରହିଯିବ ତାହାର ଦେଖାଶୁଣା ଓ ବିକ୍ରି କରିବା ଲାଗି ‘ଏୟାର ଇଣ୍ଡିଆ ଆସେଟ୍‌ ହୋଲ୍‌ଡିଂ କଂପାନି’ ନାମରେ ଏକ ସଂସ୍ଥା ଗଠନ କରାଯାଇଛି। ଏୟାର ଇଣ୍ଡିଆର ଥିବା ୧୪, ୭୧୮ କୋଟି ଟଙ୍କାର ସମ୍ପତ୍ତିକୁ ଏହି କଂପାନିକୁ ଏପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ। ଏଥିରେ ରହିଛି ବହୁ ମୂଲ୍ୟବାନ ଜମି, କୋଠା ଓ ଚିତ୍ରକଳା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe