ପେଟ୍ରୋଲ୍‌ ଲିଟରରେ ୧୦ ଟଙ୍କା ଲାଭ

Advertisment

୧୫ ମାସ ହେଲାଣି ଦାମ୍ ବଦଳୁନି, ଶସ୍ତା ତେଲ କିଣିବାରୁ ଗ୍ରାହକ ବଞ୍ଚିତ

୧୫ ମାସ ହେଲାଣି ଦାମ୍ ବଦଳୁନି, ଶସ୍ତା ତେଲ କିଣିବାରୁ ଗ୍ରାହକ ବଞ୍ଚିତ

ଡିଜେଲ୍‌ରେ ୩ ଟଙ୍କା କ୍ଷତି, ପେଟ୍ରୋଲ୍‌ରେ ଅଳ୍ପ ଲାଭ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୮ ଡଲାରକୁ ହ୍ରାସ ପାଇବା ପରେ ତେଲ କଂପାନିଗୁଡ଼ିକ ଲାଭବାନ ହୋଇଛନ୍ତି। ସେମାନେ ଏବେ ପ୍ରତି ଲିଟର ପେଟ୍ରୋଲରେ ୧୦ ଟଙ୍କାର ଲାଭ କରୁଛନ୍ତି। କିନ୍ତୁ ସାଧାରଣ ଗ୍ରାହକମାନଙ୍କ ଲାଗି ଦାମ୍‌ରେ କୌଣସି ହ୍ରାସ କରୁନାହାନ୍ତି। ଡିଜେଲ୍‌ ଲିଟରରେ ଏବେବି ସାଢ଼େ ଛଅ ଟଙ୍କାର କ୍ଷତି ହେଉଥିବାରୁ ସେମାନେ ପେଟ୍ରୋଲ୍‌ର ଲାଭକୁ ଡିଜେଲ୍‌ କ୍ଷତି ଭରଣା କରିବା ଲାଗି ବ୍ୟବହାର କରୁଥିବା କହୁଛନ୍ତି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ମଧ୍ୟ ଏକ୍ଷେତ୍ରରେ କୌଣସି ହସ୍ତକ୍ଷେପ କରୁନାହିଁ। ଏହା ଦ୍ବାରା ଦେଶର ସାଧାରଣ ଜନତା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ସେମାନେ କମ୍ ଦାମ୍‌ରେ ତେଲ କିଣିବାରୁ ବଞ୍ଚିତ ହୋଇଛନ୍ତି।

ଦେଶର ତିନି ସରକାରୀ ତେଲ କଂପାନି ଇଣ୍ଡିଆନ ଅଏଲ୍‌, ଭାରତ ପେ‌ଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଦୀର୍ଘ ୧୫ ମାସ ହେଲାଣି ତେଲ ଦାମ୍‌ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଶେଷ ଥର ପାଇଁ ୨୦୨୨ ଏପ୍ରିଲ୍‌ ୬ ତାରିଖରେ ଦାମ୍‌ ବଦଳିଥିଲା। ଏହା ପରେ ଅଶୋଧିତ ତୈଳ ଦାମ୍‌ରେ ବଡ଼ ଧରଣର ହ୍ରାସ ହୋଇଥିଲେ ମଧ୍ୟ ସେମାନେ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍ କମ୍ କରିବା ବିଷୟରେ ଚିନ୍ତା ବି କରୁନାହାନ୍ତି। ଦୈନିକ ତୈଳ ଦର ପରିବର୍ତ୍ତନ ଲାଗି ସରକାର କଂପାନିଗୁଡ଼ିକ ଦେଇଥିବା ସ୍ବାଧୀନତା ଉପହାସରେ ପରିଣତ ହୋଇଛି। କେବଳ ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ ବଢ଼ିବା ବେଳେ କଂପାନିଗୁଡ଼ିକ ସେହି ନିୟମକୁ ପାଳନ କରୁଥିବା ବେଳେ ଅନ୍ୟ ସମୟରେ ଭୁଲିଯାଉଛନ୍ତି।

publive-image

ଆଇସିଆଇସିଆଇ ସିକ୍ୟୁରିଟିଜ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୨୨ ଜୁନ୍ ୨୪ ବେଳକୁ ପେଟ୍ରୋଲ୍‌ରେ ଲିଟର ପିଛା ୧୭ ଟଙ୍କା ୪୦ ପଇସା ଓ ଡିଜେଲ୍‌ରେ ୨୭ ଟଙ୍କା ୭ ପଇସାର କ୍ଷତି ହେଉଥିଲା। ଏବେ ପେଟ୍ରୋଲ୍‌ରେ ୧୦ ଟଙ୍କା ଲାଭ ହେଉଛି। ଗତବର୍ଷ ଜୁନ୍‌ରେ ଅଶୋଧିତ ତୈଳ ଦର ୧୧୬ ଡଲାର ଥିଲା ଯାହା ଏବେ ୭୮ ଡଲାରକୁ ହ୍ରାସ ପାଇଛି। ଗତବର୍ଷ ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷତିରେ ତେଲ ବିକିବା ଯୋଗୁ ତେଲ କଂପାନିଗୁଡ଼ି ୨୧,୨୦୮ କୋଟି ଟଙ୍କାର କ୍ଷତି ସହିଛନ୍ତି। ଏବେ ତେଲ ଦାମ୍ କମ୍ କରିବାର ସୁଯୋଗ ଥିବା ବେଳେ ସେହି ଲାଭ ଗ୍ରାହକଙ୍କୁ ନଦେଇ ନିଜ କ୍ଷତିକୁ କିଭଳି ଭରଣା କରିହେବ ତାହା ଉପରେ କଂପାନିଗୁଡ଼ିକ ଅଧିକ ମନୋନିବେଶ କରୁଛନ୍ତି। ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଲାଭ ହେଉଥିଲେ ମଧ୍ୟ ୨୦୨୨ର ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଇଣ୍ଡିଆନ ଅଏଲ୍‌ ୧୩୦୦ କୋଟି ଟଙ୍କା, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ୬୦୦ କୋଟି ଟଙ୍କା କ୍ଷତି ସହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଗତବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ତୈଳ ବଜାର ସମ୍ପୂର୍ଣ୍ଣ ଅସ୍ଥିର ରହିଛି। ‌୨୦୨୨ ମାର୍ଚ୍ଚରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୧୪ ବର୍ଷର ସର୍ବୋଚ୍ଚ ସ୍ତର ୧୪୦ ଡଲାରକୁ ବୃଦ୍ଧି ପାଇଥିଲା। ଏବେ ତାହାର ଦାମ୍ ପାଖାପାଖି ଅଧା ପର୍ଯ୍ୟନ୍ତ ଖସିଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe