ମୁମ୍ବାଇ: ଆମେରିକୀୟ ଡଲାରତୁଳନାରେ ଭାରତୀୟ ଟଙ୍କା ପୁଣି ଦୁର୍ବଳ ହେବାରେ ଲାଗିଛି। ସୋମବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୦ ଟଙ୍କା ଆଡ଼କୁ ଅଗ୍ରସର ହୋଇଥିଲା। ଏକ ଡଲାର ଦାମ୍ ୮୯ ଟଙ୍କା ୭୯ ପଇସା ସ୍ତରରେ ପହଞ୍ଚିଥିଲା। ଦୁଇ ସପ୍ତାହ ପୂର୍ବରୁ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ ଦେଖିବାକୁ ମିଳିଥିଲା। କିନ୍ତୁ ଏହାପରେ ସେଥିରେ ସୁଧାର ଘଟିଥିଲା। ଘରୋଇ ଷ୍ଟକ୍ ବଜାର ସୂଚୀ ହ୍ରାସ ପାଇବା ଓ ବିଦେଶୀ ନିବେଶକମାନେ ଲାଗାତାର ଭାବେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଉପରେ ଚାପ ସୃଷ୍ଟି ହୋଇଛି। ସୋମବାର ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ହେବା ବେଳକୁ ଏକ ଡଲାର କିଣିବା ଲାଗି ୮୯ ଟଙ୍କା ୪୫ ପଇସା ଗଣିବାକୁ ପଡ଼ୁଥିଲା। ମାତ୍ର ସମୟ ବିତିବା ସହ ଡଲାର ଚାହିଦା ବଢ଼ିଥିଲା ଓ ସେହି ଅନୁସାରେ ତାହାର ମୂଲ୍ୟ ବଢ଼ିଥିଲା। ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଟଙ୍କା ମୂଲ୍ୟରେ ୪.୭୭ ପ୍ରତିଶତ ହ୍ରାସ ହୋଇଛି। ଚଳିତ ବର୍ଷ ଜାନୁଆରି ୧ରେ ଏକ ଡଲାର ଦାମ୍ ୮୫ ଟଙ୍କା ୭୦ ପଇସା ଥିଲା। ଏବେ ତାହା ୯୦ ଟଙ୍କା ପାଖାପାଖି ପହଞ୍ଚିଛି।

Advertisment

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

ଅନ୍ତର୍ଜାତୀୟ କାରବାର ଲାଗି ଡଲାର ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା। ବିଶେଷ କରି ବ୍ୟାଙ୍କ, ଆମଦାନୀକାରୀ, ବିଦେଶ ଭ୍ରମଣରେ ଯାଉଥିବା ଓ ବିଦେଶରେ ନିଜ ପିଲାଙ୍କୁ ପାଠପଢ଼ାଉଥିବା ଲୋକମାନଙ୍କ ପାଇଁ ଡଲାର ଦରକାର ହୋଇଥାଏ। ଡଲାର ମହଙ୍ଗା ହେଉଥିବାରୁ ଆଗାମୀ ଦିନରେ ଆମଦାନୀ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ତାହା ଦେଶରେ ଦରଦାମ୍ ସ୍ଥିତିକୁ ବେଲଗାମ କରିବା ଆଶଙ୍କା ରହିଛି। କାରଣ ଭାରତ ତେଲଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ‌ଅନେକ ଜିନିଷର ଆବଶ୍ୟକତାକୁ ଆମଦାନୀ ଜରିଆରେ ପୂରଣ କରୁଛି। ସେହିପରି ବିଦେଶରେ ନିଜ ପିଲାଙ୍କୁ ରଖି ପାଠପଢ଼ାଉଥିବା ଅଭିଭାବକମାନଙ୍କୁ ସମାନ ଖର୍ଚ୍ଚ ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ପଠାଇବାକୁ ପଡ଼ିବ। ବିଦେଶ ବୁଲିବାକୁ ଯୋଜନା ରଖିଥିବା ଲୋକମାନଙ୍କୁ ଅଧିକ ଟଙ୍କା ଦେଇ ଡଲାର କିଣିବାକୁ ପଡ଼ିବ।

Devastating Flood, Death Toll Rises: ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତିର ପ୍ରଳୟ: ବନ୍ୟା ନେଲାଣି ୧୦୦୦ ଜୀବନ, ନିଖୋଜଙ୍କ ସୀମା ନାହିଁ…

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ଉଭୟ ଲାଭଦାୟକ ଓ କ୍ଷତିକାରକ ଦିଗ ରହିଛି। ଲାଭଦାୟକ ଦିଗ ହେଉଛି ରପ୍ତାନିକାରୀମାନଙ୍କ ଆୟ ବଢ଼ିବ। ଅଧି‌କ ବିଦେଶୀ ପର୍ଯ୍ୟଟକ ଆସିଲେ ଅଧିକ ବିଦେଶୀ ମୁଦ୍ରା ଆସିବ। ମେଡିକାଲ୍‌ ପର୍ଯ୍ୟଟନ ବଢ଼ିବ। ବିଦେଶରେ ରହୁଥିବା ଲୋକମାନେ ଦେଶକୁ ଡଲାର ପଠାଇଲେ ତାହାର ଅଧିକ ମୂଲ୍ୟ ପାଇପାରିବେ। କିନ୍ତୁ, ଖରାପ ଦିଗଗୁଡ଼ିକ ହେଉଛି ଦେଶରେ ତେଲଠାରୁ ସୁନା ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହେବ। ଦେଶରେ ବିଦେଶୀ ନିବେଶ କମିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହେବ।