କରଜ ଜାଲରେ ଗ୍ରାମୀଣ ଭାରତ: ଚା’, ବିସ୍କୁଟ ଆଦି ସାମଗ୍ରୀ ବିକ୍ରି ହ୍ରାସ

Advertisment

ପରିବାର ଆୟରେ ୭୫% ହ୍ରାସ, ଗ୍ରାମାଞ୍ଚଳରେ ବେକାରି ହାର ୮.୭୫%

ପରିବାର ଆୟରେ ୭୫% ହ୍ରାସ, ଗ୍ରାମାଞ୍ଚଳରେ ବେକାରି ହାର ୮.୭୫%

କରଜ ଜାଲରେ ଗ୍ରାମୀଣ ଭାରତ: ଚା’, ବିସ୍କୁଟ ଆଦି ସାମଗ୍ରୀ ବିକ୍ରି ହ୍ରାସ

ନୂଆଦିଲ୍ଲୀ: କରୋନା ମହାମାରୀ ଗ୍ରାମୀଣ ଭାରତର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବା ବେଳେ ଅନେକ ଲୋକ କାମଧନ୍ଦା ହରାଇବ ବେକାର ହୋଇପଡ଼ିଛନ୍ତି। ରୋଜଗାରର କୌଣସି ମାଧ୍ୟମ ନଥିବାରୁ ଗୁଜୁରାଣ ମେଣ୍ଟାଇବା ଲାଗି ଲୋକମାନେ କରଜ ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଗ୍ରାମୀଣ ଭାରତ ଏବେ କରଜ ଓ ଦାରିଦ୍ର୍ୟ କବଳରେ ପଡ଼ିଛି। କିଏ ଖାଦ୍ୟ ଯୋଗାଡ଼ ଲାଗି ସଂଘର୍ଷ କରୁଛି ତ ଆଉ କିଏ ନିଜ ସମ୍ପତ୍ତି ବନ୍ଧକ ରଖିବାକୁ ବାଧ୍ୟ ହେଉଛି।

ଉତ୍ତରପ୍ରଦେଶର ଏକ ଗାଁରେ ରହୁଥିବା ଦେବୀ ନାମକ ଜଣେ ମହିଳା କହିଛନ୍ତି ଯେ ଅନେକ ସମୟରେ ତାଙ୍କୁ ଭୋକିଲା ଶୋଇବାକୁ ପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦିଓ ମାଗଣାରେ ଖାଦ୍ୟ ଯୋଗାଣ ପାଇଁ ଘୋଷଣା କରିଛନ୍ତି କିନ୍ତୁ ସାରା ପରିବାର ଲାଗି ତାହା ଯଥେଷ୍ଟ ହେଉନଥିବା ସେ କହିଛନ୍ତି। ଗତବର୍ଷ କରୋନା ମହାମାରୀ ବ୍ୟାପିବା ପରେ ସହରକୁ କାମଧନ୍ଦା କରିବା ଲାଗି ଯାଇଥିବା ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇ ନିଜ ଗାଁକୁ ଫେରିଆସିଛନ୍ତି। ଆଠଟି ଗାଁର ୭୫ଟି ପରିବାରକୁ ନେଇ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଅଧିକାଂଶ ପରିବାରର ଆୟରେ ୭୫% ହ୍ରାସ ଘଟିଛି। ଦୁଇ ତୃତୀୟାଂଶ ପରିବାର କରଜ କରିଛନ୍ତି। ରଏଟର ତରଫରୁ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ଏହି ପରିବାରଗୁଡ଼ିକ ମୋଟ ୬୧ ଲକ୍ଷ ‌୨୦ ହଜାର ଟଙ୍କାର ଋଣ ନେଇଛନ୍ତି। ମହାମାରୀ ବ୍ୟାପିବା ପରଠାରୁ କରଜରେ ତିନି ଗୁଣା ବୃଦ୍ଧି ଘଟିଛି। ସେଥି ମଧ୍ୟରୁ ଅଧା କରଜ ଗତ ଛଅ ମାସରେ ନିଆଯାଇଛି। ପୂର୍ବରୁ ଏହି ପରିବାରଗୁଡ଼ିକର ମୋଟ ମାସିକ ଆୟ ୮ ଲକ୍ଷ ୧୫ ହଜାର ଟଙ୍କା ଥିଲା। ମାତ୍ର ଏବେ ତାହା ୨ ଲକ୍ଷ ୨୦ ହଜାର ଟଙ୍କାକୁ ଖସିଆସିଛି। ଗୁରିୟା ନାମକ ଏକ ଗ୍ରାମର ମୁଖିଆ କୋମଳ ପ୍ରସାଦ କହିଛନ୍ତି ଯେ ଗାଁରେ ପ୍ରାୟ ସମେସ୍ତ କରଜ କରିଛନ୍ତି। ସମେସ୍ତ ଜୀବିକା ହରାଇ ବେକାର ହୋଇପଡ଼ିଛନ୍ତି। ପୂର୍ବରୁ ଏହି ଗାଁର ୩୦% ଲୋକ ବିଭିନ୍ନ କାମଧନ୍ଦାରେ ନିୟୋଜିତ ଥିଲେ।

ଗ୍ରାମୀଣ ଭାରତରେ କରଜ ସଙ୍କଟ ଓ କମ୍ ଆୟ ଅର୍ଥନୈତିକ ସୁଧାର ପ୍ରତି ଏକ ବଡ଼ ବିପଦ ଭାବେ ଉଭା ହୋଇଛି। ଏ ସମ୍ପର୍କରେ ବି ଆର୍‌ ଆମ୍ବେଦକର ସ୍କୁଲ୍ ଅଫ୍ ଇକୋନମିକ୍ସର କୁଳପତି ଏନ୍‌ ଆର୍‌ ଭାନୁମୂର୍ତ୍ତି କହିଛନ୍ତି ଯେ ଏହା ବଡ଼ ଧରଣର ପ୍ରଭାବ ପକାଇବ। ସୁଧାର ପ୍ରକ୍ରିୟା ବିଳମ୍ବ ହେବ। ବିଭିନ୍ନ ସାମଗ୍ରୀର ଚାହିଦା ଓ ଘରୋଇ କ୍ଷେତ୍ରରେ ନିବେଶକୁ ଏହା ପ୍ରଭାବିତ କରିବ। ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଟଙ୍କା ପହଞ୍ଚାଇବା ଲାଗି ସରକାର ଚିନ୍ତା କରିବା ଦରକାର ବୋଲି ସେ କହିଛନ୍ତି।

ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଏଆଇ) ରିପୋର୍ଟ ଅନୁସାରେ ମହାମାରୀ ପୂର୍ବରୁ ଗ୍ରାମୀଣ ଭାରତରେ ବେକାରି ହାର ୬ ପ୍ରତିଶତ ପାଖାପାଖି ଥିଲା। ସଂକ୍ରମଣ ବ୍ୟାପିବା ପରେ ବେକାରି ହାର ଚଳିତ ବର୍ଷ ଜୁନ୍‌ ସୁଦ୍ଧା ୮.୭୫ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶର ଦୁଇ ତୃତୀୟାଂଶ ଜନସଂଖ୍ୟା ଗ୍ରାମାଞ୍ଚଳରେ ବାସ କରୁଛନ୍ତି। ଆୟ ହ୍ରାସ ପାଇବା, କରଜ ଭାର ବଢ଼ିବା ଏବଂ ବିଭିନ୍ନ ସାମଗ୍ରୀ ମହଙ୍ଗା ହୋଇଥିବାରୁ ସେମାନେ ଚଳିବା ପାଇଁ ସଂଘର୍ଷ କରୁଛନ୍ତି। ବିସ୍କୁଟ, ଚା’ ଠାରୁ ଆରମ୍ଭ କରି ଗାଡ଼ି ପାର୍ଟସ୍‌ ପର୍ଯ୍ୟନ୍ତ ସବୁ କିଛିର ବିକ୍ରି ହ୍ରାସ ପାଇଛି। ପିଢ଼ି ପିଢ଼ି ଧରି ଚାଲୁଥିବା କିଛି ଦୋକାନରେ ତାଲା ପଡ଼ିଲାଣି। ଗୋସ ମହମ୍ମଦ ନାମକ ଜଣେ ବ୍ୟକ୍ତି ମହାମାରୀ ପୂର୍ବରୁ ନିଜ ଦୋକାନରେ ଦିନକୁ ୮୦୦୦ ଟଙ୍କାର ବେପାର କରୁଥିଲେ। ଏବେ ଦିନକୁ ୧୦୦୦ ଟଙ୍କାର ସାମଗ୍ରୀ ବିକିବା କଷ୍ଟକର ହେଉଛି। ସେ ପାଇକାରୀ ବେପାରି ଠାରୁ ଧାର ସୂତ୍ରରେ ୬୦ ହଜାର ଟଙ୍କାର ଜିନିଷ ଆଣିଥିଲେ। ଛଅ ମାସ ହୋଇଗଲାଣି ଟଙ୍କା ଶୁଝିପାରୁନାହାନ୍ତି। ପାଇକାରୀ ବେପାରି ଜିନିଷ ଦେବା ବନ୍ଦ କରିଦେଇଥିବାରୁ ଏବେ ସେ ନିଜ ଦୋକାନ ବନ୍ଦ କରିବା ଉପରେ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe