The Economic Times
ନୂଆଦିଲ୍ଲୀ: ୟୁକ୍ରେନ୍ ସହ ଯୁଦ୍ଧ କରୁଥିବା ରୁଷ୍ ଉପରେ କଠୋର କଟକଣା ଲଗାଇଥିବା ୟୁରୋପୀୟ ଦେଶଗୁଡ଼ିକରେ ପରୋକ୍ଷରେ ରୁଷ ତେଲ ପହଞ୍ଚୁଛି। ଭାରତ ବାଟ ଦେଇ ସେହି ତେଲ ୟୁରୋପ ଯାଉଛି। ରୁଷ୍ ରିହାତି ଦେବା ପରେ ଭାରତ ୨୦୨୨-୨୩ରେ ସେଠାରୁ ବିପୁଳ ପରିମାଣର ତେଲ କିଣିଥିଲା। ତାହାକୁ ବିଶୋଧନ କରି ରେକର୍ଡ ପରିମାଣ ଡିଜେଲ୍ ଓ ବିମାନ ଇନ୍ଧନ ୟୁରୋପକୁ ରପ୍ତାନି କରିଛି। ଅଧିକାଂଶ ତେଲ ୟୁରୋପ ପଠାଯାଇଛି। ଏହା ଦ୍ବାରା ଭାରତୀୟ ବିଶୋଧନାଗାରଗୁଡ଼ିକ ବିଶେଷ ଭାବେ ଲାଭବାନ ମଧ୍ୟ ହୋଇଛନ୍ତି।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତରୁ ୟୁରୋପୀୟ ଦେଶଗୁଡ଼ିକ ଦୈନିକ ଦେଢ଼ ଲକ୍ଷ ବ୍ୟାରେଲ୍ ତେଲ ଆମଦାନି କରୁଥିଲେ। ତେବେ ରୁଷ୍ ତେଲ ଉପରେ ୟୁରୋପୀୟ ସଂଘ କଟକଣା ଲଗାଇବା ପରେ ସେହି ପରିମାଣ ଦୈନିକ ୨ ଲକ୍ଷ ବ୍ୟାରେଲ୍କୁ ବୃଦ୍ଧି ପାଇଛି। ଯୁଦ୍ଧ ପୂର୍ବରୁ ରୁଷ୍ରୁ ଭାରତ ବିଶେଷ ତେଲ କିଣୁନଥିଲା। କାରଣ ସେଠାରୁ ତେଲ ମଗାଇବା ଲାଗି ପରିବହନ ବାବଦରେ ବହୁତ ଖର୍ଚ୍ଚ ହେଉଥିଲା। ମାତ୍ର ରିହାତିରେ ମିଳିବା ପରେ ରୁଷ୍ଠାରୁ ଭାରତ ସର୍ବାଧିକ ତେଲ କିଣିଛି। ଏହା ଭାରତର ଏକ ନମ୍ବର ତୈଳ ଯୋଗାଣକାରୀ ଭାବେ ଉଭା ହୋଇଥିବା ବେଳେ ଇରାକ ଓ ସାଉଦି ଆରବରୁ ଆମଦାନି ହ୍ରାସ ପାଇଛି।
କେପଲର୍ ଓ ଭୋର୍ଟେକ୍ସା ତଥ୍ୟ ଅନୁସାରେ ରୁଷ୍ ତେଲ ଉପରେ ୟୁରୋପୀୟ ସଂଘ କଟକଣା ଲଗାଇବା ପରେ ଭାରତରୁ ୟୁରୋପକୁ ଡିଜେଲ୍ ରପ୍ତାନି ୧୬% ବଢ଼ିଛି। ଭାରତ ରପ୍ତାନି କରିଥିବା ମୋଟ ପେଟ୍ରୋଲ୍ର ୩୦ ପ୍ରତିଶତ ୟୁରୋପ ପଠାଇଛି। ଭାରତଠାରୁ ଫ୍ରାନ୍ସ, ତୁର୍କୀ, ବେଲଜିୟମ୍ ଓ ନେଦରଲ୍ୟାଣ୍ଡ୍ ଡିଜେଲ୍ କିଣୁଛନ୍ତି। ଭାରତ ପଠାଇଥିବା ୫୦% ବିମାନ ଇନ୍ଧନ ୟୁରୋପ ଯାଇଛି।
Follow Us