ନୂଆଦିଲ୍ଲୀ: ତୁମେ କେତେ ଦରମା ପାଉଛ? ଏହି ପ୍ରଶ୍ନ ସବୁ ପତ୍ନୀ ତାଙ୍କ ସ୍ବାମୀଙ୍କୁ ପଚାରିଥାନ୍ତି। କିନ୍ତୁ ଅଧିକାଂଶ ତାହାର ସଠିକ୍ ଉତ୍ତର ପାଇନଥାନ୍ତି। ସ୍ବାମୀମାନେ ଚାହିଲେ ମଧ୍ୟ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ପତ୍ନୀଙ୍କୁ ଆଉ ଲୁଚାଇପାରିବେ ନାହିଁ। କାରଣ ନିଜ ରୋଜଗାର ବିଷୟରେ କହିବାକୁ ମନା କରୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀ ସୂଚନା ଅଧିକାର ଆଇନ (ଆର୍ଟିଆଇ) ଜରିଆରେ ସେହି ତଥ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି। ଉତ୍ତରପ୍ରଦେଶର ବରେଲିରେ ଏହି ଘଟଣା ଘଟିଛି।
ସଞ୍ଜୁ ଗୁପ୍ତା ନାମକ ଜଣେ ମହିଳା ସ୍ବାମୀଙ୍କ ଆୟ ଜାଣିବା ଲାଗି ଆର୍ଟିଆଇ ଆବେଦନ କରିଥିଲେ। ସେହି ତଥ୍ୟ ଦେବାକୁ ବରେଲି ସ୍ଥିତ ଆୟକର ବିଭାଗ କାର୍ଯ୍ୟାଳୟର କେନ୍ଦ୍ରୀୟ ଜନ ସୂଚନା ଅଧିକାରୀ (ସିପିଆଇଓ) ମନା କରିଥିଲେ। ତାଙ୍କ ସ୍ବାମୀ ସେହି ସୂଚନା ଦେବାକୁ ଅନୁମତି ଦେଇନଥିବା ଅଫିସର ଜଣକ କହିଥିଲେ। ସେଠାରୁ ନିରାଶ ହେବା ପରେ ମହିଳା ଜଣକ ଫାଷ୍ଟ୍ ଆପିଲିଟ୍ ଅଥରିଟିଙ୍କ ନିକଟରେ ଅପିଲ୍ କରିଥିଲେ। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେ ପୁଣି ଥରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି)ଙ୍କୁ ଅପିଲ୍ କରି ସଫଳ ହୋଇଥିଲେ। ୧୫ ଦିନ ଭିତରେ ତାଙ୍କ ସ୍ବାମୀଙ୍କ ଟିକସ ପରିସରଭୁକ୍ତ ଆୟ ଓ ମୋଟ ଆୟର ସୂଚନା ମହିଳାଙ୍କୁ ଦେବା ଲାଗି ସିଆଇସି ନିର୍ଦେଶ ଦେଇଛନ୍ତି।
Follow Us