ଆପଣଙ୍କ ମତରେ ୨୦୨୫ କିଭଳି ରହିବ?
ସ୍ବାଭାବିକ ଭାବେ ଖଣି ଓ ଧାତବ କ୍ଷେତ୍ର ନେତୃତ୍ବରେ ୨୦୨୫ରେ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଜାରି ରହିବ। ସେହି ଅଭିବୃଦ୍ଧିକୁ ଟାଟା ଷ୍ଟିଲ୍, ଜେଏସ୍ପିଏଲ୍ ଓ ଜେଏସ୍ଡବ୍ଲୁ ଭଳି ସଂସ୍ଥା ଜାରି ରଖିବେ। କିନ୍ତୁ ଅନ୍ତର୍ଜାତୀୟ ସ୍ତରରେ ଇସ୍ପାତ ମୂଲ୍ୟ ଅଭିବୃଦ୍ଧିର ସେହି ଗତିକୁ ପ୍ରଭାବିତ କରିପାରେ। ଇଲେକ୍ଟ୍ରିକ୍ ଯାନ ଓ ସୌର ଶକ୍ତି କ୍ଷେତ୍ରରେ ଚାହିଦା ଥିବାରୁ ଆଲୁମିନିୟମ୍ କ୍ଷେତ୍ରର ଅଭିବୃଦ୍ଧି ଦୃଢ଼ ହେବା ସମ୍ଭାବନା ରହିଛି। ଶିଳ୍ପାୟନରେ ଅଗ୍ରଗତି, ଭିତ୍ତିଭୂମି ବିକାଶ, ଅକ୍ଷୟ ଶକ୍ତି ଓ ଏକ ଉତ୍ତମ ସେବା କ୍ଷେତ୍ର ପାଇଁ ୨୦୨୫ରେ ଓଡ଼ିଶା ଦ୍ରୁତ ଅଭିବୃଦ୍ଧି ହାସଲ କରିବ।
ଆପଣଙ୍କ ପାଇଁ ଉଦ୍ୟମିତାର ଅର୍ଥ କଣ?
ଉଦ୍ୟମିତା ହେଉଛି ଏକ ଗୁଣ ଯାହା ବ୍ୟକ୍ତିଙ୍କଠାରେ ନେତୃତ୍ବର ଭାବ ପ୍ରତିଫଳିତ କରିଥାଏ। ସମ୍ବଳ ଯୋଗାଡ଼ କରିବା ଏବଂ ନୂଆ ବ୍ୟବସାୟ କିମ୍ବା ସଂସ୍ଥା ଆରମ୍ଭ କରିବା ପାଇଁ ବିପଦ ଗ୍ରହଣ କରି ବିପୁଳ ସୁଯୋଗ ସୃଷ୍ଟି କରିବାରେ ବ୍ୟକ୍ତିଙ୍କ ଦକ୍ଷତାକୁ ଏହା ଦର୍ଶାଇଥାଏ। ଏକ ବ୍ୟବସାୟ ମଡେଲ୍ ବିକାଶ କରିବା ଲାଗି ନିରନ୍ତର ନବସୃଜନ ଆଣିବା ଏବଂ ତାହାକୁ ସଫଳତା ପର୍ଯ୍ୟନ୍ତ ପହଞ୍ଚାଇବାର ଦକ୍ଷତା ହେଉଛି ମଧ୍ୟ ଉଦ୍ୟମିତା। ଉଦ୍ୟମିତାର ବିଭିନ୍ନ ଗୁଣଗୁଡ଼ିକ ହେଉଛି ଅଭିନବ ଚିନ୍ତାଧାରା, ବିପଦ ଗ୍ରହଣ କରିବା କ୍ଷମତା, ନେତୃତ୍ବ ଓ ସ୍ଥାୟିତ୍ବ।
ନୂଆପିଢ଼ିର ଉଦ୍ୟୋଗୀଙ୍କ ସହ ବାଣ୍ଟିବା ପାଇଁ ଆପଣଙ୍କ ସଫଳତାର ମନ୍ତ୍ର କଣ?
ଧେର୍ଯ୍ୟ ଓ ସ୍ଥିରତା। ସବୁବେଳେ ଧୈର୍ଯ୍ୟ ରଖନ୍ତୁ ଏବଂ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖନ୍ତୁ।
ଏକ ବ୍ରାଣ୍ଡ୍ ବଜାରରେ ଆଗକୁ ବଢ଼ିବାରେ ସ୍ବୀକୃତି କିଭଳି ସହାୟକ ହୋଇଥାଏ?
ସ୍ବୀକୃତି ବ୍ରାଣ୍ଡ୍କୁ ଗ୍ରାହକ ଅଗ୍ରାଧିକାର ଓ ବିଶ୍ବସନୀୟତାର ତତ୍କାଳ ଲାଭ ପ୍ରଦାନ କରିଥାଏ। ଏହା ଏକ ଦୀର୍ଘକାଳୀନ ସମ୍ପତ୍ତି ଭାବେ କାର୍ଯ୍ୟ କରିଥାଏ ଯାହା ବଜାର ସ୍ଥିତିକୁ ଦୃଢ଼ କରି ଏବଂ ନୂଆ ସୁଯୋଗର ବାଟ ଦେଖାଇ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିଥାଏ।
ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫ ସମ୍ପର୍କରେ ଆପଣଙ୍କ ମତ କ’ଣ?
ଅନେକ ବର୍ଷ ଧରି ସମ୍ବାଦ ପକ୍ଷରୁ ବ୍ୟବସାୟ ଓ ଶିଳ୍ପ ଜଗତର ସଫଳ ସଂସ୍ଥାମାନଙ୍କୁ ସ୍ବୀକୃତି ପ୍ରଦାନ କରାଯାଉଛି। ଏହା ହେଉଛି ଏକ ଚମତ୍କାର ପୁରସ୍କାର ଯାହା ବିଭିନ୍ନ କ୍ଷେତ୍ରର ବ୍ୟବସାୟ ଉତ୍କର୍ଷ ମିଳିଥିବା ସଫଳତାକୁ ସ୍ବୀକୃତି ଦେଉଛି। ମୁଁ ଦୃଢ଼ ନିଶ୍ଚିତ ଯେ ଏହି ପୁରସ୍କାରର ୨୦୨୫ ସଂସ୍କରଣରେ ମଧ୍ୟ ଉଦୀୟମାନ ଓ ପ୍ରତିଷ୍ଠିତ ବ୍ୟବସାୟ ଲିଡର୍ମାନଙ୍କୁ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ପାଇଁ ଚୟନ କରାଯିବ ଯାହା ସେମାନଙ୍କୁ ଭବିଷ୍ୟତରେ ଆହୁରି ଭଲ କାମ କରିବା ପାଇଁ ଅନୁପ୍ରାଣିତ କରିବ।
‘ସମ୍ବାଦ’ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୫: ୨୦୨୫ରେ ଅଭିବୃଦ୍ଧି ଆହୁରି ଦୃଢ଼ ହେବ
Advertisment
Follow Us