ଭାରତର ତେଲ ବଜାର ଉପରେ ସାଉଦିର ନଜର

Advertisment
ଆଜି ବି କମିଲା ତେଲଦର, କିପରି ଜାଣିବେ ଆପଣଙ୍କର ସହରର ପେଟ୍ରୋଲ,ଡିଜେଲ ଦର, ଜାଣନ୍ତୁ

petrol pumps studio

ମୁମ୍ବାଇ: ଭାରତର ତେଲ ବଜାର ଏକ ବଡ଼ ଭାଗ ହାସଲ କରିବା ପାଇଁ ସାଉଦି ଆରବ ଯୋଜନା ପ୍ରସ୍ତୁତ କରିଛି। ବିଶ୍ୱର ଏହି ବଡ଼ ତେଲ ଉତ୍ପାଦନକାରୀ ତଥା ଅନ୍ୟତମ ଧନୀ ଦେଶ ଭାରତରେ ଏକ ବିଶାଳ ବିଶୋଧନାଗାର ସ୍ଥାପନ କରିବାକୁ ଯାଉଛି। ଦେଶର ତିନି ସରକାରୀ ତେଲ କଂପାନି ଇଣ୍ଡିଆ ଅଏଲ୍‌, ଭାରତ ପେଟ୍ରୋଲିୟମ୍‌ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ସହିତ ମିଶି ସାଉଦି ଆରବର ସରକାରୀ ତେଲ କଂପାନି ‘ସାଉଦି ଆମାର୍‌କୋ’ ମହାରାଷ୍ଟ୍ରର ରତ୍ନଗିରିଠାରେ ଏହି ପ୍ରକଳ୍ପ ସ୍ଥାପନ କରିବେ। ପ୍ରକଳ୍ପର ୫୦% ଅଂଶଧନ କିଣିବାକୁ ସାଉଦି ଆମାର୍‌କୋ ଏମ୍‌ଓୟୁ ସ୍ୱାକ୍ଷର କରିଛି। ଏହି ପ୍ରକଳ୍ପର ବାର୍ଷିକ କ୍ଷମତା ହେବ ୬ କୋଟି ଟନ୍‌। ସେଥିରୁ ୩ କୋଟି କୋଟି ଟନ୍‌ ଉପରେ ସାଉଦି ଆମାର୍‌କୋର କବ୍‌ଜା ରହିବ। ଏହି ପ୍ରକଳ୍ପ ଜରିଆରେ ଭାରତକୁ ନିଜର ସ୍ଥାୟୀ ଗ୍ରାହକରେ ପରିଣତ କରିବାକୁ ଚାହୁଁଛି ସାଉଦି ଆରବ। ବିଶୋଧନାଗାର ଜରିଆରେ ଏହି ୩ କୋଟି ଟନ୍‌ର ତୈଳ ଭାରତକୁ ପଠାଇପାରିବ। କେବଳ ଭାରତ ନୁହେଁ ଅନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ ସାଉଦି ଆରବ ଯୌଥ ଉଦ୍ୟୋଗ ଜରିଆରେ ବିଶୋଧନାଗାର ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଁଛି। ବିଭିନ୍ନ ଦେଶକୁ ସ୍ଥାୟୀ ଗ୍ରାହକ ଭାବେ ହାସଲ କଲେ ବଜାରରେ ଦେଖାଦେଉଥିବା ଅସ୍ଥିରତା ସାଉଦି ଆରବକୁ ପ୍ରଭାବିତ କରିପାରିବ ନାହିଁ। ଭାରତ ସରକାର ଅଶୋଧିତ ତେଲ ଦର ୫୦ ଡଲାର ପାଖାପାଖି ରହୁ ବୋଲି ଚାହୁଁଥିବା ବେଳେ ସାଉଦି ଚାହୁଁଛି ଏହା ୮୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଉ। କେବଳ ସାଉଦି ନୁହେଁ ୟୁଏଇ ଓ କୁଏତ୍‌ ମଧ୍ୟ ଭାରତର ବିଭିନ୍ନ ବିଶୋଧନାଗାରରେ ପୁଞ୍ଜିନିବେଶ କରି ଗ୍ରାହକ ନିଶ୍ଚିତ କରିବାକୁ ଚାହୁଁଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତରେ ପେଟ୍ରୋଲ୍‌, ଡିଜେଲ ଦର ଏବେ ଅଣାୟତ୍ତ ସ୍ଥିତିକୁ ଚାଲିଯାଇଛି। ଏହା ସରକାରଙ୍କୁ ବେଶ ଚିନ୍ତାରେ ପକାଇ ଦେଇଛି। ୨୦୧୪ରେ ଏନ୍‌ଡିଏ ସରକାର ଶାସନ ଭାରତ ଗ୍ରହଣ କରିବା ବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ୩୦ ଡଲାର ପାଖାପାଖି ଖସିଯାଇଥିଲା। ଏହାର ସୁଯୋଗ ନେଇ ସରକାର ପେଟ୍ରୋଲ୍‌ ଓ ଡିଜେଲ ଉପରେ ଚଢ଼ା ଦରର ଉତ୍ପାଦନ ଶୁଳ୍କ ଲାଗୁ କରି ବିପୁଳ ପରିମାଣର ରାଜସ୍ୱ ହାସଲ କରିଛନ୍ତି। ନିୟମିତ ବ୍ୟବଧାନରେ ଟିକସ ପରିମାଣ ବୃଦ୍ଧି କରି ସରକାର ରାଜସ୍ୱ ପରିମାଣ ବଢ଼ାଇଥିଲେ। ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୫୦ ଡଲାର ରହିଲେ ତାହା ସରକାରଙ୍କୁ ସୁହାଇବ। କିନ୍ତୁ ଏହା ୭୦ ଡଲାର ପାଖାପାଖି ପହଞ୍ଚିଗଲାଣି ଯାହା ଉପରେ ନିୟନ୍ତ୍ରଣ ହାସଲ କରିବା ସରକାରଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଯେହେତୁ ଭାରତ ନିଜ ତୈଳ ଆବଶ୍ୟକତାର ୮୦% ଆମଦାନି ଜରିଆରେ ପୂରଣ କରୁଛି ତେଣୁ ପେଟ୍ରୋଲ୍‌ ଓ ଡିଜେଲ ଦର ସିଧାସଳଖ ଆନ୍ତର୍ଜାତିକ ବଜାର ଦର ଅନୁସାରେ ହ୍ରାସ କିମ୍ବା ବୃଦ୍ଧି ହେଉଛି। ଅଶୋଧିତ ତୈଳ ଦର ବଢ଼ୁଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ଉତ୍ପାଦନ ଶୁଳ୍କକୁ ସରକାର କମ୍‌ କରିବାକୁ ଚାହୁଁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe