ୟେସ୍‌ ବ୍ୟାଙ୍କର ଖରାପ ସ୍ଥିତି ସୁଧାରିବାକୁ ଆଗେଇ ଆସିଲା ଏସବିଆଇ; ୪୯% ଅଂଶଧନ କିଣିବ ଷ୍ଟେଟ୍ ବ୍ୟାଙ୍କ

ୟେସ୍‌ ବ୍ୟାଙ୍କର ଖରାପ ସ୍ଥିତି ସୁଧାରିବାକୁ ଆଗେଇ ଆସିଲା ଏସବିଆଇ; ୪୯% ଅଂଶଧନ କିଣିବ ଷ୍ଟେଟ୍ ବ୍ୟାଙ୍କ

ମୁମ୍ବାଇ : ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ଖରାପ ସ୍ଥିତି ସୁଧାରିବାକୁ ଆଗେଇ ଆସିଛି ଭାରତୀୟ ଷ୍ଟେଟ ବ୍ୟ‌ାଙ୍କ।  ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ କରି କୁହାଯାଇଛି କି ୟେସ୍ ବ୍ୟାଙ୍କର ୪୯% ଅଂଶଧନ ଷ୍ଟେଟ ବ୍ୟାଙ୍କ କିଣିପାରେ। ଏଥିଲାଗି ଏସବିଆଇ ପରିଚାଳନା ବୋର୍ଡ ‘ନୀତିଗତ’ ଅନୁମୋଦନ ଦେଇଛି। ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ୟେସ୍ ବ୍ୟାଙ୍କକୁ ସ୍ବାଭାବିକ କରିବାକୁ ବର୍ତମାନ ୨୦ ହଜାର କୋଟି ଆବଶ୍ୟକ । ଆଉ ଏସବିଆଇ ୨୪୫୦ କୋଟି ଟଙ୍କା ନିବେଶ କରିବାର ଲକ୍ଷ୍ୟ ରଖିଛି । ଏଥିସହ ନିବେଶକଙ୍କ ଜମାରାଶି ସୁରକ୍ଷିତ ଅଛି ବୋଲି ଗତକାଲି ସୂଚନା ଦେଇଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୁରୀର ୟେସ ବ୍ୟାଙ୍କ ଶାଖାରେ ଜଗନ୍ନାଥଙ୍କ ୫ଶହ ୪୫ କୋଟି ଟଙ୍କା ଜମା ରହିଛି । ଆଉ ୟେସ୍ ବ୍ୟାଙ୍କର ସ୍ଥିତି ଯୋଗୁଁ ଏହି ଟଙ୍କା ଫେରିବ ନା ନାହିଁ ତା ଉପରେ ସନ୍ଦେହ ପ୍ରକାଶ ପାଇଛି । ଠିକ୍ ଏମିତି ବେଳେ ୟେସ୍ ବ୍ୟାଙ୍କର ୪୯% ଅଂଶଧନ କିଣିବା ନେଇ ଚିନ୍ତା କରୁଛି ଏସବିଆଇ।

publive-image

ଉଳ୍ଲେଖଯୋଗ୍ୟ, ଘରୋଇ କ୍ଷେତ୍ରର ବ୍ୟାଙ୍କ ୟେସ୍‌ ବ୍ୟାଙ୍କର ସ୍ଥିତି ବହୁତ ଖରାପ ହୋଇଯାଇଥିବାରୁ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ସରକାର କଟକଣା ଲଗାଇଛନ୍ତି। ବ୍ୟାଙ୍କର କୌଣସି ଗ୍ରାହକ ଆସନ୍ତା‌ ୩୦ ଦିନ ଭିତରେ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେ ନାହିଁ। ଗତକାଲି ଏନେଇ ଅର୍ଥ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିସହ ୟେସ୍‌ ବ୍ୟାଙ୍କର ବୋର୍ଡ‌କୁ ରିଜର୍ଭ ବ୍ୟାଙ୍କ ତତ୍କାଳ ନିଜ ହାତକୁ ନେଇଯାଇଛି। ବ୍ୟାଙ୍କର ଦେଖାଶୁଣା କରିବା ଲାଗି ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ସିଏଫ୍‌ଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। ଏହାପରେ ୟେସ୍‌ ବ୍ୟାଙ୍କର ୪୯% ଅଂଶଧନକୁ କିଣିବା ଲାଗି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଓ ଏଲ୍‌ଆଇସିକୁ ସରକାର କହିଥିବା ସମ୍ପର୍କରେ ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

ସେପଟେ ୟେସ୍ ବ୍ୟାଙ୍କର ପୂର୍ବତନ ସିଇଓ ରାଣା କପୁରଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଅର୍ଥାତ ଏଣିକି ରାଣା କପୁର ଦେଶ ଛାଡି ବିଦେଶକୁ ଯାଇପାରିବ ନାହିଁ । ଅନ୍ୟପଟେ ଯାଞ୍ଚ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଏକ ଟିମ୍ ରାଣାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଁଚିଛି । ଏବଂ ତାଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି । ଇଡିର ଟିମ ମନି ଲଣ୍ଡରିଂ କରିଥିବା ଅଭିଯୋଗରେ ରାଣା କପୁର ନାରେ ମାମଲା ରୁଜୁ କରିଛି । ଏହାପରେ ଇଡି ରାଣା କପୁରର ଘରର ଯାଂଚ କରିଛି । ଡିଏଚଏଫଲ ଦୁର୍ନୀତିକୁ ନେଇ ରାଣା କପୁରଙ୍କ ଘରେ ଇଡି ଯାଂଚ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe