ନୂଆଦିଲ୍ଲୀ: ବିନା କୌଣସି ସର୍ତ୍ତରେ ମହିଳାମାନଙ୍କ ଖାତାକୁ ସିଧାସଳଖ ଟଙ୍କା ହସ୍ତାନ୍ତର କରି‌ ଭୋଟ୍‌ ଜିତିବା ଏକ ବଡ଼ ସଫଳତାରେ ପରିଣତ ହୋଇଛି। ୨୦୨୦ରେ ମାତ୍ର ଗୋଟିଏ ରାଜ୍ୟ‌ରେ ଏଭଳି ଯୋଜନା ଥିଲା। ପାଞ୍ଚବର୍ଷ ଭିତରେ ୧୫ଟି ରାଜ୍ୟ ସେଭଳି ଯୋଜନା ଆଣିଛନ୍ତି। ପାଞ୍ଚ ବର୍ଷ ପୂର୍ବେ ଏଭଳି ଯୋଜନା ପାଇଁ ବାର୍ଷିକ ବ୍ୟୟ ଅଟକଳ ଥିଲା ମାତ୍ର ୧୬୦୦ କୋଟି ଟଙ୍କା। ୨୦୨୫ରେ ସେହି ଅଟକଳ ୨.୪୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦ରେ କେବଳ ଆନ୍ଧ୍ରରେ ୱାଇଏସ୍‌ଆର୍‌ ଚେୟୁତା ଯୋଜନା ଥିଲା। ସେଥିରେ ମହିଳାଙ୍କୁ ୧୮,୭୩୦ ଟଙ୍କାର ଲାଭ ମିଳୁଥିଲା। ୨୦୨୧ରେ ଆସାମ ଅରୁଣୋଦୟୀ ଯୋଜନା ଓ ପଶ୍ଚିମବଙ୍ଗ ଲକ୍ଷ୍ମୀର ଭଣ୍ଡାର ଯୋଜନା ଆଣିଥିଲେ। ୨୦୨୨ରେ କୌଣସି ରାଜ୍ୟ ଏଭଳି ଯୋଜନା ଆଣି ନଥିଲେ।

Advertisment

Subhadra Scheme: ସୁଭୁଦ୍ରା ଯୋଜନା: ତୃତୀୟ କିସ୍ତିରେ ୧୬,୨୪୧ ହିତାଧିକାରୀ କମିଲେ

୨୦୨୩ରେ ତେଲେଙ୍ଗାନାର ମହାଲକ୍ଷ୍ମୀ ଯୋଜନା, କର୍ଣ୍ଣାଟକର ଗୃହ ଲକ୍ଷ୍ମୀ ଯୋଜନା, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଲାଡ୍‌ଲି ବେହନା ଯୋଜନା ଓ ତାମିଲନାଡ଼ୁର କାଲାଇଗ୍‌ନାର ମାଗାଲିର ଉରିମଳ ଥିତମ ଯୋଜନା ଆସିଥିଲା। ୨୦୨୪ରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମାଝୀ ଲେଡ୍‌କି ବହିନ ଯୋଜନା, ଝାଡ଼ଖଣ୍ଡର ସିଏମ୍‌ ମଲ୍ୟାଣ ସମ୍ମାନ ଯୋଜନା, ଓଡ଼ିଶାର ସୁଭଦ୍ରା ଯୋଜନା, ଛତିଶଗଡ଼ର ମହତାରି ବନ୍ଦନ ଯୋଜନା, ହରିୟାଣାର ଲାଡୋ ଲକ୍ଷ୍ମୀ ଯୋଜନା ଓ ହିମାଚଳପ୍ରଦେଶର ଇନ୍ଦିରା ଗାନ୍ଧୀ ପ୍ୟାରି ବେହନା ଯୋଜନା ଆସିଥିଲା। ୨୦୨୫ରେ ଦିଲ୍ଲୀ ଆଣିଥିଲା ମହିଳା ସମୃଦ୍ଧି ଯୋଜନା ଓ ବିହାର ଆଣିଥିଲା ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା। ଏହି ଯୋଜନାରେ ମହିଳାମାନଙ୍କୁ ୧୦୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତର ସହାୟତା ମାସିକ କିମ୍ବା ଏକକାଳୀନ ଆଧାରରେ ପ୍ରଦାନ କରାଯାଉଛି। 

Humane Sagar Death Case: ହ୍ୟୁମାନ ମୃତ୍ୟୁ ମାମଲାରେ ବଡ଼ ଖବର: ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୋମେଶ ଶତପଥୀ

ମହିଳାଙ୍କୁ ନିଃସର୍ତ୍ତ ପାଣ୍ଠି ହସ୍ତାନ୍ତର ଯୋଜନା କାର୍ଯ୍ୟକାରୀ କରିବା ଲାଗି ରାଜ୍ୟଗୁଡ଼ିକ ବଜେଟ୍‌ରେ ମୋଟା ଅଙ୍କର ବ୍ୟୟବରାଦ କରୁଛନ୍ତି। ବାର୍ଷିକ ୫୦୦୦ କୋଟି ଟଙ୍କାରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତର ଅଟକଳ ଧାର୍ଯ୍ୟ କରାଯାଉଛି। ଫଳରେ ରାଜ୍ୟଗୁଡ଼ିକ ଭିତ୍ତିଭୂମି ନିର୍ମାଣ, ସ୍ବାସ୍ଥ୍ୟ, ଶିକ୍ଷା ଓ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ କରିବା ଲାଗି ପାଣ୍ଠିର ଅଭାବ ଦେଖାଦେଉଛି। କିଛି ରାଜ୍ୟ ନିଜ ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୨-୩ ପ୍ରତିଶତ ରାଶି ଏଭଳି ଯୋଜନା ପାଇଁ ଖର୍ଚ୍ଚ କରୁଛନ୍ତି। ସେଥିପାଇଁ ଅନେକ ରାଜ୍ୟରେ ରାଜସ୍ବ ନିଅଣ୍ଟ ସ୍ଥିତି ସୃଷ୍ଟି ହୋଇଛି। ଅନେକ ରାଜ୍ୟ ରାଜନୈତିକ ଫାଇଦା ପାଇାବ ଲାଗି ଯୋଜନାକୁ ଆହୁରି ବ୍ୟାପକ କରିବାରେ ଲାଗିପଡ଼ିଛନ୍ତି।