ନୂଆଦିଲ୍ଲୀ: ଆମେରିକାରେ କ୍ରିପ୍ଟୋକରେନ୍ସି କାରବାରକୁ ନିୟାମକ ସଂସ୍ଥାର ଅନୁମତି ମିଳିବା ପରେ ଭାରତରେ ଏହା ସପକ୍ଷରେ ସ୍ବର ଉଠିଛି। ଏକ ନିୟାମକ ସଂସ୍ଥା ଜରିଆରେ କ୍ରିପ୍ଟୋକରେନ୍ସି କାରବାର ଉପରେ ନଜର ରଖିବାକୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସୁପାରିସ କରିଥିବା ଜଣାପଡ଼ିଛି। କିନ୍ତୁ ଏବେବି କ୍ରିପ୍ଟୋକୁ ଆର୍ଥିକ ସ୍ଥିରତା ପ୍ରତି ସବୁଠୁ ବଡ଼ ବିପଦ ଭାବେ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ଭାରତୀୟ ରିଜର୍ଭ ବ୍ୟାଙ୍କ ବିଚାର କରୁଛି। ଏହାକୁ ଅନୁମତି ଦେବାକୁ ରିଜର୍ଭ ବ୍ୟାଙ୍କ ଚାହୁନାହିଁ। କିପ୍ଟୋକରେନ୍ସି ହେଉଛି ଏକ ପ୍ରକାର ଡିଜିଟାଲ୍ ମୁଦ୍ରା ଯାହା ଆଭାସୀ ଦୁନିଆରେ କାରବାର ହେଉଛି। ତାହାର କୌଣସି ଭୌତିକ ଅସ୍ତିତ୍ବ ନାହିଁ। ବିଟ୍କଏନ୍ ହେଉଛି ବିଶ୍ବର ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି।
ଷ୍ଟକ ବଜାରରେ ହେଉଥିବା କାରବାରର ନିୟାମକ ସଂସ୍ଥା ‘ସେବି’ ହୋଇଥିବା ବେଳେ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ନିୟାମକ ସଂସ୍ଥା ଭାବେ ରିଜର୍ଭ ବ୍ୟାଙ୍କ କାର୍ଯ୍ୟ କରୁଛି। ଦେଶର ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ନିୟାମକ ସଂସ୍ଥା କ୍ରିପ୍ଟୋ କାରବାରକୁ ନେଇ ଯେଉଁ ସୁପାରିସ କରିଛନ୍ତି ତାହା ପରସ୍ପରର ବିରୋଧାଭାସ କରୁଛି। ଉଭୟ ସଂସ୍ଥା ଏକ ସରକାରୀ କମିଟିକୁ ନିଜର ସୁପାରିସ ପ୍ରଦାନ କରିଛନ୍ତି। କ୍ରିପ୍ଟୋ କାରବାରର ପରିଚାଳନା ଲାଗି ନୀତି ନିର୍ଧାରଣ କରିବା ଲାଗି ଏହି କମିଟିକୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ବ ଦେଇଛି। ସେବି ଏହାର ସୁପାରିସରେ ଜଣାଇଛି ଯେ ପ୍ରତିଭୂତି ଭାବେ କାରବାର ହେବାକୁ ଥିବା କ୍ରିପ୍ଟୋକରେନ୍ସି ଉପରେ ଏହା ନଜର ରଖିପାରିବ। ଇକ୍ବିଟି ବଜାର ସମ୍ପର୍କିତ କ୍ରିପ୍ଟୋ ଉତ୍ପାଦଗୁଡ଼ିକ ପାଇଁ ଲାଇସେନ୍ସ ମଧ୍ୟ ଜାରି କରିପାରିବ। ଆମେରିକାରେ ସେହି ଢାଞ୍ଚାରେ କ୍ରିପ୍ଟୋ କାରବାର ହେଉଛି। କିନ୍ତୁ ମୁଦ୍ରା ଆକାରରେ କାରବାର ହେଉଥିବା କ୍ରିପ୍ଟୋକରେନ୍ସି ଉପରେ ରିଜର୍ଭ ବ୍ୟାଙ୍କର ନଜର ରହିବା ଦରକାର ବୋଲି ଏହା ଜଣାଇଛି। ବୀମା ଏବଂ ପେନ୍ସନ୍ ଫଣ୍ଡ ଭାବେ କାରବାର ହେଉଥିବା ଉତ୍ପାଦ ଉପରେ ଆଇଆର୍ଡିଏଆଇ ଓ ପିଏଫ୍ଆର୍ଡିଏଆଇ ନଜର ରଖିବା ଉଚିତ ବୋଲି ସେବି କହିଛି। କ୍ରିପ୍ଟୋରେ କାରବାର କରୁଥିବା ଲୋକମାନଙ୍କ ସମସ୍ୟାକୁ ଭାରତୀୟ ଉପଭୋକ୍ତା ସୁରକ୍ଷା ଆଇନ ମାଧ୍ୟମରେ ସମାଧାନ କରିବା ଲାଗି ସେବି ସୁପାରିସ କରିଛି।
ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ମତରେ କ୍ରିପ୍ଟୋରେ କୌଣସି ନିର୍ଦ୍ଦିଷ୍ଟ ମୂଲ୍ୟ ନାହିଁ। ଏହାର ମୂଲ୍ୟ ଆପେକ୍ଷିକ। ଯେଉଁମାନେ ସେଥିରେ କାରବାର କରୁଛନ୍ତି ସେମାନେ ତାହା ସହ ଜଡ଼ିତ ବିପଦ ବିଷୟରେ ଜାଣିବା ଦରକାର। ଏହା ମନି ଲଣ୍ଡରିଂ, ଆତଙ୍କବାଦୀ ପାଣ୍ଠି ଓ ହେରଫେର ଆଦିରେ ବ୍ୟବହାର ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ସନ୍ଦେହ କରୁଛି। ସେଥିପାଇଁ ୨୦୧୮ରେ ଭାରତ କ୍ରିପ୍ଟୋକରେନ୍ସିକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା। କ୍ରିପ୍ଟୋରେ କାରବାର କରିବାକୁ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ବାରଣ କରାଯାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ପ୍ରତ୍ୟାହାର କରିଥିଲେ। କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ଲାଗି ସରକାର ୨୦୨୧ରେ ଏକ ବିଧେୟକ ପ୍ରସ୍ତୁତ କରିଥିଲେ। କିନ୍ତୁ ତାହାକୁ ସଂସଦରେ ଉପସ୍ଥାପନ କରାଯାଇନଥିଲା।
Follow Us