ମୁମ୍ବାଇ: ଭାରତୀୟ ଷ୍ଟକ୍ ବଜାର ଏହାର ନିବେଶକମାନଙ୍କୁ ଝଟ୍କା ପରେ ଝଟ୍କା ଦେଇଚାଲିଛି। ଲଗାତାର ଭାବେ ତଳକୁ ଖସୁଥିବା ସେନ୍ସେକ୍ସ ସୋମବାର ଆଉ ୮୫୭ ପଏଣ୍ଟ ହରାଇଛି। ଫଳରେ ଏହା ୭୫ ହଜାର ପଏଣ୍ଟ ତଳକୁ ଖସିଆସିଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୮୫୭ ପଏଣ୍ଟ ହ୍ରାସ ପାଇ ୭୪,୪୫୪ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୨୪୨ ପଏଣ୍ଟ ହ୍ରାସ ପାଇ ୨୨,୫୫୩ ପଏଣ୍ଟରେ ବନ୍ଦ ହୋଇଛି। ସେନ୍ସେକ୍ସ ଆଠ ମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ନିଫ୍ଟି ଏହାର ସବୁଠୁ ଲମ୍ବା ହ୍ରାସର ପୁରୁଣା ରେକର୍ଡ ଭାଙ୍ଗିବାକୁ ଯାଉଛି ଯାହା ଶେଷ ଥର ପାଇଁ ୧୯୯୬ରେ ଦେଖିବାକୁ ମିଳିଥିଲା। ସୋମବାର ସେନ୍ସେକ୍ସରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନଙ୍କ ୪.୨୨ ଲକ୍ଷ କୋଟି ଟଙ୍କା ଡୁବିଛି।
ସୋମବାର ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଡକ୍ଟର ରେଡ୍ଡିସ୍, ଆଇସର୍ ମୋଟର୍ସ, ହିରୋ ମୋଟୋକର୍ପ ଓ କୋଟକ୍ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ବଢ଼ିଛି। ସେହି ସମୟରେ ଏଚ୍ସିଏଲ୍ ଟେକ୍ନୋଲୋଜିସ୍, ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍, ଇନ୍ଫୋସିସ୍ ଓ ଓଏନ୍ଜିସି ସେୟାର ମୂଲ୍ୟ ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଉଥିବା ଶୁଳ୍କ ଧମକ, ଆମେରିକା ଅର୍ଥନୀତିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ନିରୁତ୍ସାହଜନକ ରହିବା ଏବଂ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍ପିଆଇ)ମାନେ ଲକ୍ଷେ କୋଟି ଟଙ୍କାରୁ ଅଧିକ ପାଣ୍ଠି ପ୍ରତ୍ୟାହାର କରିବା କାରଣରୁ ଷ୍ଟକ୍ ବଜାର ଉପରେ ଚାପ ରହିଛି। ଅନ୍ୟ ପକ୍ଷରେ ବିଦେଶୀ ନିବେଶକମାନେ ଭାରତ ସେୟାର ବିକ୍ରି କରି ଚୀନ୍ର ସେୟାର କିଣିବା ଆଭିମୁଖ୍ୟକୁ ଗ୍ରହଣ କରିବା ମଧ୍ୟ ଷ୍ଟକ୍ ବଜାର କାରବାର ଅସ୍ଥିର ରହିବାର ଅନ୍ୟତମ କାରଣ କୁହାଯାଉଛି।
Follow Us