ସେନସେକ୍ସ କମୁଛି, ସୁନା ଦର ବଢ଼ୁଛି: ୫ ଦିନରେ କମିଲାଣି ୩ ହଜାର ପଏଣ୍ଟ, ନିବେଶକ ହରାଇଲେଣି ୧୮ ଲକ୍ଷ କୋଟି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଆମଦାନୀ ଶୁଳ୍କ ବୃଦ୍ଧି ଭଳି ଆକ୍ରମଣାତ୍ମକ ନିଷ୍ପତ୍ତି ଓ ଅନ୍ୟାନ୍ୟ ବୈଶ୍ବିକ କାରଣରୁ ମୂଲ୍ୟବାନ ଧାତୁ ସୁନା ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ddgddg

ଭୁବନେଶ୍ବର: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ଆମଦାନୀ ଶୁଳ୍କ ବୃଦ୍ଧି ଭଳି ଆକ୍ରମଣାତ୍ମକ ନିଷ୍ପତ୍ତି ଓ ଅନ୍ୟାନ୍ୟ ବୈଶ୍ବିକ କାରଣରୁ ମୂଲ୍ୟବାନ ଧାତୁ ସୁନା ବଜାରରେ ନିଆଁ ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଭାରତୀୟ ଷ୍ଟକ୍‌ ବଜାର ଉପରେ ମଧ୍ୟ ଟ୍ରମ୍ପଙ୍କ ନୀତି ଓ ଅନ୍ୟାନ୍ୟ ବୈଶ୍ବିକ କାରଣର ପ୍ରତିକୂଳ ପ୍ରଭାବ ପଡ଼ିଛି। ଏଥିଯୋଗୁ ଗୋଟିଏ ପଟେ ସୁନା ଦର ହୁ ହୁ ହୋଇ ବଢ଼ୁଥିବାବେଳେ ଅନ୍ୟପଟେ ଭାରତୀୟ ଷ୍ଟକ୍‌ ବଜାର ନିମ୍ନମୁଖୀ ହେଉଛି। ଗତ କିଛିଦିନ ହେଲା ଏହି ଧାରା ଦେଖିବାକୁ ମିଳୁଛି। 

ସୁନା ଦର ଉପରେ ନଜର ପକାଇଲେ ଜଣାଯାଇଛି ଯେ ଚଳିତମାସ ୪ ତାରିଖରୁ ୧୧ ତାରିଖ ମଧ୍ୟରେ ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ୍‌ ସୁନା ଦର ୨ ହଜାର ଟଙ୍କା ମହଙ୍ଗା ହୋଇଛି। ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍‌ ସୁନା ଦର ୮୦ ହଜାର ଟଙ୍କା ଟପି ୮୦,୧୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ତୁଳନାରେ ଦାମ୍‌ ୩୦୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ୨୪ କ୍ୟାରେଟ୍ ସୁନା ଦର ମଧ୍ୟ ୮୭,୩୮୦ ଟଙ୍କାରେ ପହଞ୍ଚିଛି। ସୋମବାର ତୁଳନାରେ ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ଦରରେ ୩୨୦ ଟଙ୍କା ବୃଦ୍ଧି ଘଟିଛି। 

୫ ଦିନରେ କମିଲାଣି ୩ ହଜାର ପଏଣ୍ଟ
ନିବେଶକ ହରାଇଲେଣି ୧୮ ଲକ୍ଷ କୋଟି
୮ ଦିନରେ ସୁନା ୨ ହଜାର ମହଙ୍ଗା

ସୁନା ଦରରେ ଦେଖାଦେଇଥିବା ବୃଦ୍ଧି ଗ୍ରାହକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଯେଉଁଭଳି ଭାବେ ଦର ବଢ଼ୁଛି ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବା ଆଶଙ୍କା କରି ସେମାନେ ଏହାକୁ ଏବେ କିଣିବାକୁ ବାଧ୍ୟ ହେଉଛନ୍ତି। ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ଗ୍ରାହକମାନେ ହାଲକା ଗହଣାକୁ ବର୍ତ୍ତମାନ ଅଧିକ ପସନ୍ଦ କରୁଛନ୍ତି। ଉଚ୍ଚା ଦର ପକେଟ୍‌କୁ ବାଧୁଥିବାରୁ ଗ୍ରାହକମାନେ ଏଭଳି କରୁଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ରୁପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୭ ହଜାର ଟଙ୍କାରେ ଗତ କିଛିଦିନ ହେଲା ଅପରିବର୍ତ୍ତିତ ରହିଛି।  

ସୁନା ଦର ବଢ଼ୁଥିବାବେଳେ ଭାରତୀୟ ଇକ୍ବିଟି ବଜାର କ୍ରମାଗତଭାବେ ଗତ ୫ ଦିନ ହେଲା ନିମ୍ନମୁଖୀ ହେବାରେ  ଲାଗିଛି। ମଙ୍ଗଳବାର ସେନ୍‌ସେକ୍ସ ୧୦୧୮ ପଏଣ୍ଟ (୧.୩୨%) ହ୍ରାସ ପାଇ ୭୬୨୯୩ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫ୍‌ଟି ଆଜି ୩୧୦ ପଏଣ୍ଟ(୧.୩୨%) ଖସି ୨୩୦୭୧.୮୦ ପଏଣ୍ଟରେ ବନ୍ଦ ହୋଇଛି। ୫ ଦିନରେ ସେନସେକ୍ସ ୨୨୯୦ ପଏଣ୍ଟ ହ୍ରାସ ପାଇବା ପରେ ନିବେଶକମାନେ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ହରାଇଲେଣି। ଫେବ୍ରୁଆରି ୪ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାରପୁଞ୍ଜି ୪୨୬ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଏହା ୪୦୮ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଛି। ସେହିଭଳି ନିଫ୍‌ଟି ଗତ ୫ଟି କାରବାର ଦିବସରେ ୬୬୭ ପଏଣ୍ଟ ବା ୨.୮ ପ୍ରତିଶତ ତଳକୁ ହ୍ରାସ ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଆଲୁମିନିୟମ ଏବଂ ଇସ୍ପାତ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏଥିଯୋଗୁ ବିଶ୍ବର ଅନ୍ୟ ଦେଶଗୁଡ଼ିକ ମଧ୍ୟ ପାଲଟା ଶୁଳ୍କ ଲଗାଇବା ଆଶଙ୍କା ସୃ‌ଷ୍ଟି ହୋଇଛି। ଆମେରିକାର ବଣ୍ଡ୍‌ ବଜାର ରିଟର୍ଣ୍ଣରେ ଉନ୍ନତି ଆସିଛି। ଏଥିଯୋଗୁ ଗତ କିଛିମାସ ହେଲା ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ସେହିଭଳି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ପୁଞ୍ଜି ବଜାରକୁ ପ୍ରଭାବିତ କରିଛି। ଇକ୍ବିଟି ବଜାର ନିମ୍ନମୁଖୀ ହେବା ଦ୍ବାରା ଭାରତୀୟ ନିବେଶକମାନେ ଚିନ୍ତାରେ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe