ସେନ୍‌ସେକ୍ସ ୧୯୬୧ ପଏଣ୍ଟ ବଢ଼ିଲା: ନିବେଶକଙ୍କୁ ୭.୨ ଲକ୍ଷ କୋଟି ଫାଇଦା

ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍‌ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି।

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ଚଳିତ ସପ୍ତାହର ଶେଷ କାରବାର ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ର ସେନ୍‌ସେକ୍ସରେ ୨୦୦୦ ପଏଣ୍ଟ ପାଖାପାଖି ବୃଦ୍ଧି ହୋଇଛି। ଦୀର୍ଘ ପାଞ୍ଚ ମାସ ପରେ ସେନ୍‌ସେକ୍ସରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି। ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ କାରବାର ଭଳି ଗମ୍ଭୀର ଅଭିଯୋଗ କରିବା ପରେ ଷ୍ଟକ୍ ବଜାର ଧରାଶାୟୀ ହେବା ଆଶା କରାଯାଉଥିଲା। ମାତ୍ର ଏହାର ବିପରୀତ ଆଜି ଜବରଦସ୍ତ କାରବାର ହୋଇଛି। ସେନ୍‌ସେକ୍ସ ଆଜି ୧୯୬୧ ପଏଣ୍ଟ ବୃଦ୍ଧି ପାଇ ୭୯,୧୧୭ ପଏଣ୍ଟ୍‌ରେ ବନ୍ଦ ହୋଇଛି। ତାହାର ପ୍ରଭାବରେ ନିବେଶକମାନଙ୍କୁ ଗୋଟିଏ ଦିନରେ ୭.୨ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ମଧ୍ୟ ୫୫୭ ପଏଣ୍ଟ ବୃଦ୍ଧି ପାଇ ୨୩,୯୦୭ ପଏଣ୍ଟରେ ବନ୍ଦ ହୋଇଛି। ଶୁକ୍ରବାର କାରବାରରେ ଦେଖାଦେଇଥିବା ଉତ୍ସାହ ପଛରେ ଅନେକ କାରଣ ରହିଛି। ଆଦାନୀ ଗ୍ରୁପ୍‌ର ୧୦ଟି ତାଲିକାଭୁକ୍ତ କମ୍ପାନି ମଧ୍ୟରୁ ୬ଟି କମ୍ପାନିର ସେୟାର ମୂଲ୍ୟରେ ସୁଧାର ଘଟିଛି। ଆଇଟି କମ୍ପାନିଗୁଡ଼ିକର ସେୟାର ମୂଲ୍ୟ ମଧ୍ୟ ବଢ଼ିଛି। ଆଦାନୀ ଗ୍ରୁପ୍‌ର ଆଦାନୀ ଏଣ୍ଟରପ୍ରାଇଜେସ୍‌, ଆଦାନୀ ପୋର୍ଟସ୍‌, ଆଦାନୀ ଟୋଟାଲ୍ ଗ୍ୟାସ୍, ଅମ୍ବୁଜା ସିମେଣ୍ଟ, ଏସିସି ଓ ଏନଡିଟିଭିର ସେୟାର ମୂଲ୍ୟ ବୃଦ୍ଧି ପାଇଛି। 

ବିଶ୍ବସ୍ତରରେ ବିଭିନ୍ନ ଷ୍ଟକ୍ ବଜାରରେ ମଧ୍ୟ ଆଜି ଭଲ କାରବାର ହୋଇଛି। ଆମେରିକାରେ ଡାଓ ଜୋନ୍‌ସ, ଏସ୍‌ଆଣ୍ଡପି ୫୦୦ ଓ ନାସ୍‌ଦାକ୍‌ ବୃଦ୍ଧି ସହ ବନ୍ଦ ହୋଇଥିବା ବେଳେ ଜାପାନର ନିକେଇ, କୋରିଆର କୋପ୍‌ସି ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। ତାହାର ପ୍ରଭାବରେ ଭାରତରେ ଆଜି କାରବାରରେ ଉତ୍ସାହ ଫେରିଥିବା କୁହାଯାଉଛି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏନ୍‌ଡିଏ ମେଣ୍ଟ ସରକାର ଗଠନ କରିବା ଆକଳନ କରାଯାଇଥିବାରୁ ମଧ୍ୟ ନିବେଶକମାନେ ଉତ୍ସାହିତ ରହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏସ୍‌ବିଆଇ, ଇନ୍‌ଫୋସିସ୍‌, ଆଇଟିସି, ଏଲ୍‌ଆଣ୍ଡ୍‌ଟି, ଟିସିଏସ୍‌, ଭାରତୀ ଏୟାରଟେଲ୍‌ ଓ ବଜାଜ ଫାଇନାନ୍ସର ସେୟାର ମୂଲ୍ୟ ବଢ଼ିଛି। ବ୍ୟାଙ୍କ, ଆର୍ଥିକ ସେବା ସଂସ୍ଥା, ଏଫ୍ଏମ୍‌ସିଜି, ଆଇଟି, ଧାତବ, ସ୍ବାସ୍ଥ୍ୟ ସେବା, ତୈଳ ଓ ଗ୍ୟାସ୍‌ କ୍ଷେତ୍ରର କମ୍ପାନିଗୁଡ଼ିକର ସେୟାର ମୂଲ୍ୟରେ ୧-୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe