Image Courtesy of India Today
ମୁମ୍ବାଇ: ଆଜି ପ୍ରଥମ ଥର ପାଇଁ ‘ସେନ୍ସେକ୍ସ୍’ ୬୦,୦୦୦ ଏବଂ ‘ନିଫ୍ଟି’ ୧୭,୯୦୦ ଅତିକ୍ରମ କରିବାରୁ ଦଲାଲ୍ ଷ୍ଟ୍ରିଟ୍ କୁହାଯାଉଥିବା ଭାରତୀୟ ସେୟାର୍ ବଜାରରେ ପୁଣି ଗୋଟାଏ ସର୍ବକାଳୀନ ନୂଆ ରେକର୍ଡ ସୃଷ୍ଟି ହୋଇଛି।
ଆଜିର ସେୟାର୍ ବ୍ୟବସାୟରେ ଅଗ୍ରଣୀ ଅଛନ୍ତି ‘ଇମ୍ଫୋସିସ୍’, ‘ଏଚ୍ଡିଏଫ୍ସି ବ୍ୟାଙ୍କ୍’ ‘ଟାଟା କନ୍ସଲ୍ଟାନ୍ସି ସର୍ଭିସ୍’, ‘ଆଇସିଆଇସିଆଇ ବ୍ୟାଙ୍କ୍’ ‘ଏଚ୍ସିଏଲ୍ ଟେକ୍ନୋଲୋଜିସ୍’ ଏବଂ ‘ଲାର୍ସନ୍ ଆଣ୍ଡ୍ ଟବ୍ରୋ’।
ସର୍ବକାଳୀନ ରେକର୍ଡ ୬୦,୩୧୨.୫୧ ପଏଣ୍ଟ୍ ସ୍ପର୍ଶ କରିବା ପାଇଁ ଆଜି ସକାଳ ୯.୨୫ ସୁଦ୍ଧା ‘ସେନ୍ସେକ୍ସ’ ପ୍ରାୟ ୪୨୭ ପଏଣ୍ଟ୍ ବୃଦ୍ଧି ପାଇଥିବା ବେଳେ ‘ନିଫ୍ଟି’ ୫୦ ଇଣ୍ଡେକ୍ସ୍ ମଧ୍ୟ ସର୍ବକାଳୀନ ରେକର୍ଡ୧୭,୯୪୭ରେ ପହଞ୍ଚିଛି।
Image Courtesy of The Statesmanଗତ ଜାନୁଆରି ମାସରେ ପ୍ରଥମ ଥର ପାଇଁ ୫୦,୦୦୦ ପଏଣ୍ଟ୍ ଟପିଥିବା ‘ସେନ୍ସେକ୍ସ୍’ ମାତ୍ର ୮ ମାସ ମଧ୍ୟରେ ୬୦,୦୦୦ ଟପିଯାଇଛି। ପୂର୍ବେ ଯାହା ଆଶା କରାଯାଉଥିଲା ଆଜିର ଅଗ୍ରଗତି ତା’ଠାରୁ ଢେର୍ ଅଧିକ ସାବ୍ୟସ୍ତ ହୋଇଛି। ଜାନୁଆରିରୁ ଏଯାବତ୍ ‘ନିଫ୍ଟି’ର ଅଭିବୃଦ୍ଧି ମଧ୍ୟ ସୁଦୃଢ଼ ରହି ଆସୁଥିଲା।
ଚଳିତ ବର୍ଷ ‘ଷ୍ଟକ୍ ମାର୍କେଟ୍’ ଅଭିବୃଦ୍ଧିରେ ବ୍ୟାଙ୍କ୍ ବ୍ୟବସାୟ, ଧାତୁ ଏବଂ ‘ଆଇଟି ଷ୍ଟକ୍’ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ଏହା ବ୍ୟତିରେକେ, ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଅନୁକୂଳ ନୀତି, ପୂଜାପର୍ବାଣି ସମୟ ଆସୁଥିବାରୁ ଚାହିଦା ବୃଦ୍ଧି ଏବଂ କୋଭିଡ୍-୧୯ ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଯୋଗୁଁ ମଧ୍ୟ ‘ଷ୍ଟକ୍’ ବା ‘ସେୟାର୍’ ମାର୍କେଟ୍ର ଉତ୍ଥାନ ସମ୍ଭବପର ହୋଇଥିବା କଥା ସମୀକ୍ଷକମାନେ କହୁଛନ୍ତି।
Follow Us