Photo by : wp.com
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ପହିଲାରୁ ଦେଶରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସ କ୍ଷେତ୍ରରେ ଅନେକ ପରିବର୍ତନ ଆସିବ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଗତ ଫେବ୍ରୁଆରି ୧ ତାରିଖରେ ବଜେଟ୍ରେ ଆଣିଥିବା ପରିବର୍ତନ ଗୁଡ଼ିକ ୨୦୧୮-୧୯ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ। ଫଳରେ ଆସନ୍ତା ରବିବାର (ଏପ୍ରିଲ ୧ ତାରିଖ)ରୁ ନିବେଶକମାନଙ୍କ ସେୟାର ବିକ୍ରିରେ ୧୦ ପ୍ରତିଶତ ଦୀର୍ଘମିଆଦି ପୁଞ୍ଜି ଲାଭ ଟିକସ ଆଦାୟ ହେବ। ଦୀର୍ଘ ୧୪ ବର୍ଷ ପରେ ଏହି ଟିକସ ସରକାର ଏଲ୍ଟିସିଜି ଟିକସ ଲାଗୁ କରିଛନ୍ତି। ୧ ଲକ୍ଷ ଟଙ୍କାରୁ ଊର୍ଧ୍ୱ ମୂଲ୍ୟର ସେୟାର ବିକ୍ରିରେ ୧୦ ପ୍ରତିଶତ ଟିକସ ଲାଗୁ ହେବ। ଏତଦ୍ବ୍ୟତୀତ ଟିକସଦାତାଙ୍କଠାରୁ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ବାବଦ ସେସ୍କୁ ୩ ପ୍ରତିଶତରୁ ୪ ପ୍ରତିଶତକୁ ବୃଦ୍ଧି କରିଛନ୍ତି। ଏହି ଟିକସ ମଧ୍ୟ ସରକାର ଆଦାୟ କରିବେ। ସେହିଭଳି ବଜେଟ୍ରେ ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟ ପ୍ରତିଷ୍ଠାନ ଓ ଉଦ୍ୟୋଗୀମାନଙ୍କୁ ଅର୍ଥମନ୍ତ୍ରୀ ଟିକସ ରିହାତି ପ୍ରଦାନ କରିଛନ୍ତି। ବାର୍ଷିକ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକଠାରୁ ୨୫ ପ୍ରତିଶତ କମ୍ପାନି ଟିକସ ଆସନ୍ତା ଏପ୍ରିଲ ପହିଲାରୁ ଆଦାୟ ହେବ। ଏହାଦ୍ୱାରା ଦେଶର ପ୍ରାୟ ୯୯ ପ୍ରତିଶତ କମ୍ପାନି ଲାଭବାନ ହେବେ। ଏତଦ୍ବ୍ୟତୀତ ପରିବହନ ଭତ୍ତା ବାବଦରେ ଟିକସଦାତାଙ୍କୁ ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଆସନ୍ତା ଏପ୍ରିଲ ପହିଲାରୁ ମିଳିବ। ବଜେଟ୍ରେ ଏ ନେଇ ପ୍ରସ୍ତାବ ରଖାଯାଇଛି। ଏତଦ୍ବ୍ୟତୀତ ମେଡିକାଲ ବିଲ୍ ବାବଦ ଖର୍ଚ ଫେରସ୍ତ ମଧ୍ୟ ଆସନ୍ତା ଏପ୍ରିଲରୁ କାର୍ଯ୍ୟକାରୀ ହେବ। ଏହାବାଦ୍ ବଜେଟ୍ରେ ଅଣାଯାଇଥିବା ଅନ୍ୟାନ୍ୟ ଟିକସ ପରିବର୍ତନ ମଧ୍ୟ ଆସନ୍ତା ନୂଆ ଆର୍ଥିକ ବର୍ଷରୁ ଲାଗୁ ହେବ।
Follow Us