କ୍ରିପ୍ଟୋକରେନ୍ସିକୁ ନେଇ ଶକ୍ତିକାନ୍ତ ଚିନ୍ତିତ

Advertisment
କ୍ରିପ୍ଟୋକରେନ୍ସିକୁ ନେଇ ଶକ୍ତିକାନ୍ତ ଚିନ୍ତିତ

Image Courtesy of India Today

ମୁମ୍ବାଇ : କ୍ରି‌ପ୍ଟୋକରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପୁଣି ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଏନେଇ ଯେଉଁ ବଡ଼ ଧରଣର ଚିନ୍ତା ରହିଛି ସେ ବିଷୟରେ ଆମେ ସରକାରଙ୍କୁ ଅବଗତ କରିଛୁ। ଏହି ପ୍ଲାଟଫର୍ମର କିଭଳି ପରିଚାଳନା କରାଯିବ ସେ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି। ଘରୋଇ କ୍ଷେତ୍ରର କ୍ରିପ୍ଟୋକରେନ୍ସି କିଭଳି ଭାରତୀୟ ଅର୍ଥନୀତିକୁ ଆଗକୁ ବଢ଼ାଇବାରେ ସହାୟକ ହେବ ଆମକୁ ପ୍ରଥମେ ତାହାର ଏକ ବିଶ୍ବାସଯୋଗ୍ୟ ଉତ୍ତର ଖୋଜିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ବିଟ୍‌କଏନ୍‌ ଭଳି କ୍ରିପ୍‌ଟୋକରେନ୍ସିର ବ୍ୟବହାରକୁ ନେଇ ରିଜର୍ଭ ବ୍ୟାଙ୍କ ପ୍ରଥମ ଥର ଆପତ୍ତି ଉଠାଇନାହିଁ। ଏହାକୁ ନେଇ ଶକ୍ତିକାନ୍ତ ବହୁବାର ଚିନ୍ତା ପ୍ରକଟ କରିଛନ୍ତି। ଚଳିତ ବର୍ଷ ଫେବ୍ରୁଆରିରେ ସେ କହିଥିଲେ ଯେ ଆର୍ଥିକ ସ୍ଥିରତା ପ୍ରତି କ୍ରିପ୍ଟୋକରେନ୍ସି ହେଉଛି ଏକ ସମ୍ଭାବ୍ୟ ବିପଦ। ଘରୋଇ କ୍ଷେତ୍ରର କ୍ରିପ୍ଟୋକରେନ୍ସିରେ କିଛି କାରବାର ହେଉ ବୋଲି ସେ ଚାହୁନାହାନ୍ତି। ଚଳିତ ବର୍ଷ ମେ’ ମାସରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଆର୍‌ ଗାନ୍ଧୀ କହିଥିଲେ ଯେ ‌‘ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା’ ଆଣିବା ବିଷୟରେ ରିଜର୍ଭ ବ୍ୟାଙ୍କ ଚିନ୍ତା କରୁଛି।

କ୍ରିପ୍ଟୋକରେନ୍ସିକୁ ନେଇ ଚିନ୍ତିତ ଥିବା ଶକ୍ତିକାନ୍ତ ଦେଶର ଅର୍ଥନୀତିକୁ ନେଇ ବେଶ ଆଶାବାଦୀ ରହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୯.୫% ଅଭିବୃଦ୍ଧି ହେବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଏକ ପ୍ରକାର ଦୂର ହୋଇଯାଇଛି। ତେଣୁ ଦ୍ବିତୀୟ ତ୍ରୟମାସରେ ଅର୍ଥନୀତିର ପ୍ରଦର୍ଶନରେ ଉନ୍ନତି ହେବ ବୋଲି ଆଶା କରାଯାଉଛି। ମହାମାରୀ ଯୋଗୁଁ ଅଭିବୃଦ୍ଧି ଉପରେ ରିଜର୍ଭ ବ୍ୟାଙ୍କ ଅଧିକ ଧ୍ୟାନ ଦେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe