ଶକ୍ତିକାନ୍ତଙ୍କ ଆଶ୍ବାସନା: ଅକ୍ଟୋବରରୁ ଦରଦାମ କମିବ

Advertisment
ଶକ୍ତିକାନ୍ତ ଦେଲେ ୨.୧୧ ଲକ୍ଷ କୋଟିର ଚେକ୍‌: ନିର୍ବାଚନ ବର୍ଷରେ ରେକର୍ଡ ଲାଭାଂଶ

Image Courtesy of India Today

ମୁମ୍ବାଇ: ଦେଶରେ ଦରଦାମ ବୃଦ୍ଧି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଫଳ, ପନିପରିବା ଠାରୁ ଆରମ୍ଭ କରି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଆଦିର ଦର ଉଚ୍ଚସ୍ତରରେ ରହିଛି। ଏଭଳି ସ୍ଥିତିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ପୁଣି ଥରେ ଲୋକଙ୍କୁ ଆଗାମୀ ଦିନରେ ଦରଦାମ କମିବା ନେଇ ଆଶ୍ବାସନା ଦେଇଛନ୍ତି। ଶନିବାର ଏକ ଅର୍ଥନୈତିକ ସମ୍ମିଳନୀରେ ଯୋଗଦେଇ ଶକ୍ତିକାନ୍ତ ଆସନ୍ତା ଅକ୍ଟୋବର ବେଳକୁ ମୁଦ୍ରାସ୍ଫୀତି ହ୍ରାସ ପାଇବ ବୋଲି କହିଛନ୍ତି। ଫଳରେ ରିଜର୍ଭ ବ୍ୟାଙ୍କ ନିକଟ ଅତୀତରେ ସୁଧ ହାରରେ ଯେଭଳି ବୃଦ୍ଧି କରିଛି ତାହା କରିବାକୁ ପଡ଼ିବ ନାହିଁ। ୨୦୨୨-୨୩ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରୁ ମୁଦ୍ରାସ୍ଫୀତି କମିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ହ୍ରାସକୁ ରୋକାଯିବାର ସୁଯୋଗ ରହିଛି ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି।

ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଯେଭଳି ପ୍ରଭାବିତ ନହେବ ସେଥିପାଇଁ ଆମର ପ୍ରୟାସ ଜାରି ରହିଛି। ଯୋଗାଣ ଦୃଶ୍ୟପଟ ଭଲ ରହିବା ଆଶା କରାଯାଉଛି। ପୂର୍ବରୁ ଜୁନରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ ଚଳିତ ଆର୍ଥିକ ବର୍ଷରେ ହାରହାରି ମୁଦ୍ରାସ୍ଫୀତି ୬.୭ ପ୍ରତିଶତ ରହିବ। ଅକ୍ଟୋବର ବେଳକୁ ମୁଦ୍ରାସ୍ଫୀତି କମିବ ଏବଂ ଜାନୁଆରି-ମାର୍ଚ୍ଚ ତ୍ରୟମାସରେ ଏହା ୬ ପ୍ରତିଶତରୁ କମ ରହି‌ପାରେ। ଦେଶର ମୁଦ୍ରାସ୍ଫୀତି ଉପରେ ଅନ୍ତର୍ଜାତୀୟ କାରକ ଗୁଡ଼ିକର ପ୍ରଭାବ ଗତ ତିନି ବର୍ଷ ମଧ୍ୟରେ କରୋନା ମହାମାରୀ ଓ ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଯୋଗୁ ବୃଦ୍ଧି ପାଇଛି। ଗତ କିଛି ଦଶନ୍ଧି ମଧ୍ୟରେ ଭାରତ ଏଭଳି ପ୍ରଭାବ ଦେଖି ନଥିଲା ବୋଲି ବୋଲି ଗଭର୍ଣ୍ଣର ଦାସ କହିଛନ୍ତି। କୌଣସି ଦେଶରେ ମୁଦ୍ରାସ୍ଫୀତି ପରିଚାଳନା ଏବଂ ଆର୍ଥିକ ବିକାଶରେ ଅନ୍ତର୍ଜାତୀୟ କାରକ ଗୁଡ଼ିକର ଭୂମିକା ଅଧିକ ରହୁଥିବା ବିଷୟକୁ ଗ୍ରହଣ କରିବାକୁ ହେବ। ଏଥିପାଇଁ ଦେଶ ଦେଶ ‌ଗୁଡ଼ିକ ମଧ୍ୟରେ ଅଧିକ ସମନ୍ବୟର ଆବଶ୍ୟକତା ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥିପାଇଁ କୋହଳ ମନୋଭାବ ଓ ସ୍ବଚ୍ଛତା ଅବଲମ୍ବନ କରିବାକୁ ପ୍ରସ୍ତୁତ ଅଛି ବୋଲି ଗଭର୍ଣ୍ଣର ଦାସ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସାରା ବିଶ୍ବରେ ଦରଦାମ ବୃଦ୍ଧି ଏବେ ପ୍ରମୁଖ ସମସ୍ୟାରେ ପରିଣତ ହୋଇଛି। ୟୁକ୍ରେନ ଉପରେ ରୁଷ୍‌ର ଆକ୍ରମଣ ଠାରୁ ଆରମ୍ଭ କରି କରୋନା ପାଇଁ ଯୋଗାଣ ଶୃଙ୍ଖଳ ବ୍ୟାହତ ହେବା ଦ୍ବାରା ବିଶ୍ବରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ରହିଛି। ଭାରତରେ ମୁଦ୍ରାସ୍ଫୀତି ଚଳିତବର୍ଷ ଆରମ୍ଭରୁ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସୀମା ୬ ପ୍ରତିଶତ ଠାରୁ ଅଧିକ ରହିଛି। ତେଣୁ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ଗତ ଦୁଇମାସରେ ରେପୋ ହାର ୯୦ ବେସିସ୍ ପଏଣ୍ଟ ବା ୦.୯୦ ପ୍ରତିଶତ ବଢ଼ାଇଛି।

ସେହିଭଳି ବାରକ୍ଲେଜର ଅର୍ଥନୀତିଜ୍ଞ ରାହୁଲ ବାଜୋରିଆଙ୍କ କହିବାନୁଯାୟୀ, ବିଭିନ୍ନ ସାମଗ୍ରୀର ଦାମ ହ୍ରାସ ପାଉଥିବାରୁ ମୁଦ୍ରାସ୍ଫୀତି ନିମ୍ନମୁଖୀ ହୋଇଛି। ତେଣୁ ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାସ୍ଫୀତି ଆକଳନରେ ନିମ୍ନମୁଖୀ ସଂଶୋଧନ ଆଣିପାରେ। ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ୬.୭ ପ୍ରତିଶତ ମୁଦ୍ରାସ୍ଫୀତି ରହିବା ନେଇ ଆକଳନ କରିଥିବାବେଳେ ଏହା ୬.୫ ପ୍ରତିଶତ ରହିବ ବୋଲି ‌ବାଜୋରିଆ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe