ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ପୁଣି ଥରେ ତାଙ୍କ ବୟାନକୁ ନେଇ ବିବାଦରେ ପଡ଼ିଛନ୍ତି। ଏଥର ସେ ତାଙ୍କର ଏକ ଭିଡିଓରେ "ସରବତ ଜିହାଦ" ଶବ୍ଦ ବ୍ୟବହାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଲୋକମାନେ ତୀବ୍ର ସମାଲୋଚନା କରିଛନ୍ତି।
ଏହି ଭିଡିଓରେ ରାମଦେବ ଦାବି କରି କହିଛନ୍ତି,‘ ବଜାରରେ ଏକ ଲୋକପ୍ରିୟ ସରବତ ବିକ୍ରୟ କମ୍ପାନି ନିଜର ବ୍ୟବସାୟରୁ ହେଉଥିବା ଲାଭରୁ ମସଜିଦ ନିର୍ମାଣ କରୁଛି।’
ଏହି ଭିଡିଓରେ ରାମଦେବ ଲୋକମାନଙ୍କୁ ପତଞ୍ଜଳିର ଗୁଲାବ ସରବତ କିଣିବାକୁ ଅନୁରୋଧ କରିଛନ୍ତି।
ଏହି ଭିଡିଓକୁ ପତଞ୍ଜଳି ଉତ୍ପାଦର ଅଫିସିଆଲ୍ ଫେସବୁକ୍ ପେଜରେ ସେୟାର କରାଯାଇଛି। ଏଥିସହିତ କ୍ୟାପସନ ଲେଖାଯାଇଥିଲା,"'ସରବତ ଜିହାଦ' ନାମରେ ବିକ୍ରି ହେଉଥିବା ଶୌଚାଳୟ ସଫାକାରୀ ଏବଂ ଥଣ୍ଡା ପାନୀୟର ବିଷରୁ ଆପଣଙ୍କ ପରିବାର ଏବଂ ପିଲାମାନଙ୍କୁ ରକ୍ଷା କରନ୍ତୁ। ଘରକୁ କେବଳ ପତଞ୍ଜଳି ସରବତ ଏବଂ ଜୁସ୍ ଆଣନ୍ତୁ।"
ରାମଦେବ ଏହି ଭିଡିଓ ଜରିଆରେ ମୃଦୁ ପାନୀୟ କମ୍ପାନିଗୁଡ଼ିକୁ ସମାଲୋଚନା କରି କହିଛନ୍ତି ଯେ ଯେଉଁମାନେ ଗ୍ରୀଷ୍ମ ଋତୁରେ ନିଜର ତୃଷା ମେଣ୍ଟାଇବା ପାଇଁ ଥଣ୍ଡା ପାନୀୟ ପିଅନ୍ତି ସେମାନେ ପ୍ରକୃତରେ ଟଏଲେଟ୍ କ୍ଲିନର୍ ଭଳି ବିଷ ପିଉଛନ୍ତି।
Follow Us