ଶକ୍ତିକାନ୍ତଙ୍କ ନିଯୁକ୍ତି ତଥ୍ୟ ଦେବାକୁ ମନାକଲେ ସରକାର

Advertisment

ଆର୍‌ଟିଆଇରେ ସରକାରଙ୍କୁ ତଥ୍ୟ ମଗାଯାଇଥିଲା

ଆର୍‌ଟିଆଇରେ ସରକାରଙ୍କୁ ତଥ୍ୟ ମଗାଯାଇଥିଲା

ଶକ୍ତିକାନ୍ତଙ୍କ ନିଯୁକ୍ତି ତଥ୍ୟ ଦେବାକୁ ମନାକଲେ ସରକାର

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ସମ୍ପର୍କରେ ମଗାଯାଇଥିବା ତଥ୍ୟ ଦେବାକୁ ସରକାର ମନା କରି‌ଦେଇଛନ୍ତି। ସ୍ବଚ୍ଛତା ନିୟମରେ ଥିବା ବ୍ୟବସ୍ଥା ଅନୁଯାୟୀ ଏହି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ସରକାର କହିଛନ୍ତି।
ଉର୍ଜିତ ପଟେଲ୍‌ କିଛି ମାସ ତଳେ ହଠାତ୍‌ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ଅର୍ଥାତ ଡିସେମ୍ବର ୧୧ରେ ଶକ୍ତିକାନ୍ତଙ୍କୁ ଉର୍ଜିତଙ୍କ ଉତ୍ତରାଧିକାରୀ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ଶକ୍ତିକାନ୍ତଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା।
ଆର୍‌ଟିଆଇ ଆବେଦନକାରୀ ଏହା ଜାଣିବାକୁ ଚାହିଥିଲେ ଯେ, ଗଭର୍ଣ୍ଣର ପଦ ପାଇଁ କେତେ ଜଣ ପ୍ରାର୍ଥୀ ଆବେଦନ କରିଥିଲେ? କେତେ ଜଣଙ୍କୁ ସର୍ଟଲିଷ୍ଟ୍ କରାଯାଇଥିଲା? ଏହି ପଦ ପାଇଁ କୌଣସି ବିଜ୍ଞାପନ କିମ୍ବା ସର୍କୁଲାର ଜାରି କରାଯାଇଥିଲା ନାହିଁ? ଯଦି ଜାରି କରାଯାଇଥିଲା ତାହା ନକଲ ପ୍ରଦାନ କରିବାକୁ ଆବେଦନକାରୀ ଆର୍ଥିକ ସେବା ବିଭାଗକୁ ଅନୁରୋଧ କରିଥି‌ଲେ। ନୂତନ ଗଭର୍ଣ୍ଣରଙ୍କୁ ସନ୍ଧାନ କରିବାର ସର୍ଚ କମିଟିରେ କେଉଁମାନେ ସଦସ୍ୟ ଥିଲେ? ସେମାନଙ୍କ ବୈଠକର ଏଜେଣ୍ଡା କ’ଣ ଥିଲା? ଏସବୁ ପ୍ରଶ୍ନର ଉତ୍ତର ଆବେଦନକାରୀ ମାଗିଥିଲେ।
ସର୍ଚ କମିଟି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଆର୍ଥିକ ସେବା ବିଭାଗ ଜଣାଇଥିଲା ଯେ, ଆର୍ଥିକ ନିୟାମକ ନିଯୁକ୍ତି ସନ୍ଧାନ କମିଟି (ଏଫ୍ଏସ୍‌ଆର୍‌ଏଏସ୍‌ସି) ପକ୍ଷରୁ କରାଯାଇଥିବା ସୁପାରିସ ଆଧାରରେ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଚୟନ କରିଥିଲା। ଏହି କମିଟିର ମୁଖ୍ୟ ଥିଲେ କ୍ୟାବିନେଟ୍ ସଚିବ। ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଏବଂ ଅନ୍ୟ କିଛି ବିଭାଗର ସଚିବ କମିଟିର ସଦସ୍ୟ ଥିଲେ। ଏହା ବ୍ୟତୀତ ତିନି ଜଣ ବାହ୍ୟ ବିଶେଷଜ୍ଞ ମଧ୍ୟ ସଦସ୍ୟ ଥିଲେ। ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ଏହା ପରେ ଆର୍‌ଟିଆଇ ଆବେଦନକୁ କ୍ୟାବିନେଟ୍ ସେକ୍ରେଟାରିଏଟ୍‌କୁ ପଠାଇଦିଆଯାଇଥିଲା। ଏହି ଆବେଦନର ଉତ୍ତରରେ କ୍ୟାବିନେଟ୍ ସେକ୍ରେଟାରିଏଟ୍‌ ପକ୍ଷରୁ କୁହାଯାଇଛି ଯେ, ଆର୍‌ଟିଆଇ ନିୟମର ଧାରା ୮(୧) (୧) ଅଧୀନରେ ମଗାଯାଇଥିବା ତଥ୍ୟ ପ୍ରଦାନ କରାଯାଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe