ଭୁବନେଶ୍ବର (ପ୍ରଭାତ ପଟ୍ଟନାୟକ):ରୁପା ମୂଲ୍ୟ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ବୁଧବାର ଭୁବନେଶ୍ବରରେ ଏକ କେଜି ରୁପାର ଦାମ ପ୍ରଥମ ଥର ପାଇଁ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇଛି। ଗୋଟିଏ ଦିନରେ ଦରରେ ୧୫ ହଜାର ଟଙ୍କାର ବୃଦ୍ଧି ପାଇ ୩,୦୭,୦୦୦ ଟଙ୍କା ହୋଇଛି। ଏହି ମୂଲ୍ୟବାନ ଧାତୁର ଦାମ ଗତ କିଛି ଦିନ ଧରି ଲଗାତାର ଭାବେ ବଢ଼ୁଥିଲା। ଗତ ପାଞ୍ଚ ଦିନରେ ରୁପା ୩୯ ହଜାର ଟଙ୍କା ମହଙ୍ଗା ହୋଇଛି।

Advertisment

ଚଳିତ ମାସ୧୦ରେ ୭ ହଜାର ଟଙ୍କା ବଢ଼ିବା ପରେ ୧୨ରେ ୧୨ହଜାର ଟଙ୍କା ଓ ୧୩ରେ ୫ହଜାର ଟଙ୍କା ବଢ଼ିଥିଲା।ରୁପା ଭଳି ସୁନା ମଧ୍ୟ ମହଙ୍ଗା ହୋଇଛି। ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୧୩୫୦ ଟଙ୍କା ବୃଦ୍ଧି ପାଇ ୧,୩୨,୦୦୦ ଟଙ୍କା ହୋଇଛି। ସେହିପରି ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ଦାମ୍‌ ୧୪୭୦ ଟଙ୍କା ବଢ଼ି ୧,୪୪,୦୦୦ ଟଙ୍କା ହୋଇଛି। ଗତ ପାଞ୍ଚ ଦିନରେ ୨୨ କ୍ୟା‌ରେଟ୍‌ ସୁନାର ମୂଲ୍ୟ ୫୫୦୦ ଟଙ୍କା ବଢ଼ିଥିବା ବେଳେ ୨୪ କ୍ୟାରେଟ୍‌ ସୁନା ୬୦୦୦ ଟଙ୍କା ମହଙ୍ଗା ହୋଇଛି।

ଆହୁରି ପଢ଼ନ୍ତୁ: କମିଲା ରୁଷ ତେଲ ଆମଦାନୀ: ତୃତୀୟ ସ୍ଥାନକୁ ଖସିଲା ଭାରତ

କ’ଣ କହିଲେ ବିଶେଷଜ୍ଞ?

ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ୍‌ ୪୫୮୬.୪୯ ଡଲାରକୁ ବୃଦ୍ଧି ପାଇଛି। ରୁପାର ଆଉନ୍ସ ପିଛା ଦର ୮୫.୬୪ ଡଲାର ରହିଛି। ବିଶେଷଜ୍ଞମାନଙ୍କ ମତରେ ଇରାନକୁ ନେଇ ଲାଗିରହିଥିବା ଭୂରାଜନୈତିକ ସଙ୍କଟ ଯୋଗୁଁ ନିବେଶକମାନେ ସୁନା ଓ ରୁପା ଭଳି ସୁରକ୍ଷିତ ସମ୍ପତ୍ତିରେ ନିବେଶ ବଢ଼ାଇ ଦେଇଥିବାରୁ ତାହାର ଚାହିଦା ଓ ଦର ବଢ଼ୁଛି। ଅନ୍ୟପକ୍ଷରେ ଆମେରିକାର ଫେଡେରାଲ୍‌ ରିଜର୍ଭର ସ୍ବାଧୀନତାକୁ ନେଇ ଲାଗିରହିଥିବା ପ୍ରଶ୍ନ ମଧ୍ୟ ମୂଲ୍ୟବାନ ଧାତୁର ଦରବୃଦ୍ଧି କାରଣ ହୋଇଛି। ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ସୁଦୃଢ଼ ରହିବା ମଧ୍ୟ ଦରବୃଦ୍ଧିକୁୁ ସୁହାଉଛି ବୋଲି ବିଶେଷଜ୍ଞମା‌ନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ମ୍ୟୁଚୁଆଲ୍‌ ଫଣ୍ଡରେ କେତେ ସୁରକ୍ଷିତ ଏସ୍‌ଟିପି? ଜାଣନ୍ତୁ କାରଣ...