Image Courtesy of India Today
ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଏବଂ ଆର୍ଥିକ ସେବା କମ୍ପାନୀ ପେଟିଏମ୍ କୁ ବଡ଼ ଝଟକା ଲାଗିଛି। ଏବେ ଏହି କମ୍ପାନୀରେ ଟଙ୍କା ନିବେଶ କରିଥିବା ଜାପାନର ନିବେଶ ବ୍ୟାଙ୍କ ସଫ୍ଟବ୍ୟାଙ୍କ ଏହାର ପୁଞ୍ଜି ପ୍ରତ୍ୟାହାର କରିନେଇଛି । ପେଟିଏମର ମୂଳ କମ୍ପାନୀ ଓ୍ଵାନ୍-୯୭ କମ୍ୟୁନିକେସନରେ ସଫ୍ଟବ୍ୟାଙ୍କ ନିଜର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ-ଜୁନ୍ ତ୍ରୟମାସରେ ସଫ୍ଟବ୍ୟାଙ୍କର ନିବେଶ ଶାଖା ସଫ୍ଟବ୍ୟାଙ୍କ ଭିଜନ ଫଣ୍ଡ ପ୍ରାୟ ୧୫୦ ନିୟୁତ ଡଲାର କ୍ଷତି ସହିବା ପରେ ପେଟିଏମ୍ ରୁ ବିଦାୟ ନେଇଛି।
ସଫ୍ଟବ୍ୟାଙ୍କ ୨୦୧୭ରେ ପେଟିଏମ୍ ବ୍ରାଣ୍ଡର ମୂଳ କମ୍ପାନୀ ଓ୍ଵାନ୍-୯୭ କମ୍ୟୁନିକେସନ୍ସରେ ପ୍ରାୟ ୧.୫ ବିଲିୟନ ଡଲାର ନିବେଶ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସଫ୍ଟବ୍ୟାଙ୍କ ୧୦-୧୨ ପ୍ରତିଶତ କ୍ଷତି ସହ ପେଟିଏମ୍ ସହ ନିଜର ବ୍ୟବସାୟ ବନ୍ଦ କରିଦେଇଛି। ସମୁଦାୟ କ୍ଷତି ପ୍ରାୟ ୧୫୦ ନିୟୁତ ଡଲାର । ୨୦୨୧ରେ କମ୍ପାନୀର ଆଇପିଓ ପୂର୍ବରୁ ପେଟିଏମ୍ ରେ ସଫ୍ଟବ୍ୟାଙ୍କର ପ୍ରାୟ ୧୮.୫ ପ୍ରତିଶତ ଅଂଶଧନ ଥିଲା। ଏଥିରେ ଏସବିଏଫ୍ ଇଣ୍ଡିଆ ହୋଲ୍ଡିଂସ୍ (କେମ୍ୟାନ୍) ଲିମିଟେଡ୍ ଜରିଆରେ ୧୭.୩ ପ୍ରତିଶତ ଏବଂ ଏସବିଏଫ୍ ପାନ୍ଥର୍ (କେମ୍ୟାନ୍) ଲିମିଟେଡ୍ ଜରିଆରେ ୧.୨ ପ୍ରତିଶତ ଅଂଶଧନ ରହିଥିଲା।
Follow Us