ନୂଆଦିଲ୍ଲୀ: ଓଲା ଇଲେକ୍ଟ୍ରିକ ସିଇଓ ଭବିଷ୍ ଅଗରୱାଲଙ୍କ ବିରୋଧରେ ଦକ୍ଷିଣ ଗୋଆ ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଆୟୋଗଙ୍କ ନିକଟରେ ହାଜର ହେବାରେ ବିଫଳ ହେବାରୁ ଏଭଳି ନିର୍ଦ୍ଦେଶ ଆୟୋଗ ଦେଇଛନ୍ତି। ଭବିଷଙ୍କୁ ଗିରଫ କରି ଆସନ୍ତା ୨୩ ତାରିଖ ସକାଳ ୧୦ଟା ୩୦ରେ ହାଜର କରିବା ଲାଗି ବେଙ୍ଗାଲୁରୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରୀତେଶ ଚନ୍ଦ୍ରକାନ୍ତ ଘଡ଼ି ନାମକ ଜଣେ ବ୍ୟକ୍ତି ୨୦୨୩ ଅଗଷ୍ଟରେ ୧.୪୭ ଲକ୍ଷ ଟଙ୍କାରେ ଏକ ଓଲା ଏସ୍୧ ପ୍ରୋ ସେକେଣ୍ଡେ୍ ଜେନେରେସନ୍ ସ୍କୁଟର କିଣିଥିଲେ। ସେ ସ୍କୁଟର କିଣିବା ପରେ ବ୍ୟାଟେରିରୁ ଅସ୍ବାଭାବିକ ଶବ୍ଦ ବାହାରିଥିଲା। ସେହିଭଳି ଟଚ୍ସ୍କ୍ରିନ ମଧ୍ୟ ଠିକ୍ରେ କାମ କରୁ ନଥିଲା। ଏହା ପରେ ସେ ଭାସ୍କୋସ୍ଥିତ ଜଣେ ଓଲା ଇଲେକ୍ଟ୍ରିକ ଡିଲରଙ୍କୁ ଗାଡ଼ି ହସ୍ତାନ୍ତର କରିଥିଲେ। କିନ୍ତୁ ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ତାଙ୍କ ଗାଡ଼ି ସଂପର୍କରେ କିଛି ଖବର ନାହିଁ। ଏପରିକି ସେ କମ୍ପାନି ସହିତ ଏକାଧିକ ଥର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ପାଇନାହାନ୍ତି।
ଆହୁରି ପଢ଼ନ୍ତୁ: Murder Case: ଏମଭି-୧୬ ଗାଁରେ ହତ୍ୟାକାଣ୍ଡ ଘଟଣା: ୨ ଅଭିଯୁକ୍ତକୁ ଗିରଫ କଲା ପୁଲିସ
ଗତ ଜାନୁଆରି ୨୦ ତାରିଖରେ ଏହି ମାମଲାର ଶୁଣାଣି କରି ଭବିଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ସ୍କୁଟରର ଅବସ୍ଥିତି ସଂପର୍କରେ ସୂଚନା ଦେବାଲାଗି କୁହାଯାଇଥିଲା। ଫେବ୍ରୁଆରି ୪ ତାରିଖରେ ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ଏଥିରେ ବିଫଳ ହେବାରୁ ଆୟୋଗ ଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/untitled-35jpg-2026-02-17-20-15-05.jpeg)