ରେଟିଂ ବଢ଼ାଇଲା ଏସ୍‌ଆଣ୍ଡ୍‌ପି: ଅନ୍ୟତମ ଶ୍ରେଷ୍ଠ ଅର୍ଥନୀତି, ୧୮ ବର୍ଷରେ ପ୍ରଥମ, ଶୁଳ୍କ ଦ୍ବାରା ବିଶେଷ ପ୍ରଭାବିତ ହେବନି

ସ୍ବାଧୀନତା ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ଭାତରକୁ ଏକ ବହୁତ ବଡ଼ ସାର୍ଟିଫିକେଟ୍ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‘ମୃତ ଅର୍ଥନୀତି’ କହି ତାଚ୍ଛଲ୍ୟ କରିଥିବା ବେଳେ ବିଶ୍ବର ଅଗ୍ରଣୀ କ୍ରେଡିଟ୍ ରେଟିଂ ଏଜେନ୍ସି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ଭାରତର....

rating

Photograph: (Business Standard)

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ଭାତରକୁ ଏକ ବହୁତ ବଡ଼ ସାର୍ଟିଫିକେଟ୍ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ‘ମୃତ ଅର୍ଥନୀତି’ କହି ତାଚ୍ଛଲ୍ୟ କରିଥିବା ବେଳେ ବିଶ୍ବର ଅଗ୍ରଣୀ କ୍ରେଡିଟ୍ ରେଟିଂ ଏଜେନ୍ସି ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍‌ ଭାରତର ସୋଭରେନ୍ ରେଟିଂକୁ ବିବିବି ମାଇନ୍‌ସରୁ ଆହୁରି ଉନ୍ନତ କରି ‘ବିବିବି’ କରିଛି। ଏଥି ସହିତ ଆଉଟ୍‌ଲୁକ୍‌କୁ ଏହା ‘ସ୍ଥିର’ ବର୍ଗକୁ ବଢ଼ାଇଛି। ଦୀର୍ଘ ୧୮ ବର୍ଷ ପରେ ଏହା ଭାରତର ରେଟିଂ ବଢ଼ାଇଛି। ଶେଷ ଥର ପାଇଁ ୨୦୦୭ରେ ଏହା ରେଟିଂରେ ଉନ୍ନତି ଆଣିଥିଲା। ନିକଟରେ ଅନ୍ୟତମ ରେଟିଂ ଏଜେନ୍ସି ମର୍ଣ୍ଣିଂ ଷ୍ଟାର୍‌ ଡିବିଆର୍‌ଏସ୍‌ ମଧ୍ୟ ଭାରତର ରେଟିଂକୁ ‘ବିବିବି’କୁ ବଢ଼ାଇଥିଲା। ଏସ୍‌ଆଣ୍ଡ୍‌ପି ଗ୍ଲୋବାଲ୍ ଜଣାଇଛି ଯେ ନୀତିରେ ସ୍ଥିରତା ଜାରି ରହିବା ଏବଂ ଭିତ୍ତିଭୂମିରେ ବ୍ୟାପକ ନିବେଶକୁ ଦୃଷ୍ଟିରେ ରଖି ଆଉଟ୍‌ଲୁକ୍ ‘ସ୍ଥିର’ ରଖାଯାଇଛି। ଦରଦାମ୍‌ ଉପରେ ନିୟନ୍ତ୍ରଣ ପାଇଁ ମୁଦ୍ରାନୀତି ବେଶ୍ ଅନୁକୂଳ ଥିବା ଏହା କହିଛି। 

ଆମେରିକା ଲଗାଇଥିବା ଶୁଳ୍କ ଉପରେ ଏହା କହିଛି ଯେ ତାହାର ପ୍ରଭାବକୁ ଭାରତ ସମ୍ଭାଳିବାକୁ ସକ୍ଷମ। ଅର୍ଥନୀତିର ମୂଳଦୁଆ ଦୃଢ଼ ଥିବାରୁ ଆସନ୍ତା ୨-୩ ବର୍ଷ ପର୍ଯ୍ୟନ୍ତ ତାହା ଅଭିବୃଦ୍ଧି ବଜାୟ ରଖିବାରେ ସହାୟକ ହେବ। ବିଶ୍ବର ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଦେଶଗୁଡ଼ିକ ମଧ୍ୟରୁ ଭାରତ ଅନ୍ୟତମ ବୋଲି କହିବା ସହ ଏସ୍‌ଆଣ୍ଡ୍‌ପି ଜଣାଇଛି ଯେ କରୋନା ମହାମାରୀ ପରବର୍ତ୍ତୀ ସମୟରେ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ଭାରତ ହାରାହାରି ୮.୮ ପ୍ରତିଶତର ଅଭିବୃଦ୍ଧି ହାସଲ କରିଛି ଏବଂ ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ବାର୍ଷିକ ଅଭିବୃଦ୍ଧି ୬.୮ ପ୍ରତିଶତ ରହିବ। 

ରୁଷ୍‌ରୁ ତେଲ କିଣା ବନ୍ଦ କରିବା ଲାଗି ଆମେରିକା ଭାରତ ଉପରେ ଚାପ ପକାଉଥିବା ବେଳେ ଯଦି ଭବିଷ୍ୟତରେ ସେଭଳି କିଛି ଘଟିବ, ତେବେ ତାହା ମଧ୍ୟ ଭାରତୀୟ ଅର୍ଥନୀତିକୁ ବିଶେ‌ଷ ପ୍ରଭାବିତ କରିବ ନାହିଁ ବୋଲି ଏସ୍‌ଆଣ୍ଡ୍‌ପି ଜଣାଇଛି। ଏହା କହିଛି ଯେ ରୁଷ୍‌ ତେଲ ଓ ଅନ୍ତର୍ଜାତୀୟ ବଜାର ମିଳୁଥିବା ଅନ୍ୟ ତେଲ ଦାମ୍‌ ଭିତରେ ବିଶେଷ ଅନ୍ତର ନାହିଁ। ତେଣୁ ଯଦି ସେହି ଅନ୍ତରକୁ ସରକାର ସମ୍ପୂର୍ଣ୍ଣ ଭରଣା କରିବେ, ତାହା ଆର୍ଥିକ ସ୍ଥିତିକୁ ବିଶେଷ ପ୍ରଭାବିତ କରିବ ନାହିଁ। ଶେଷ‌ରେ କେତେକ ବିଷୟକୁ ନେଇ ଏସ୍‌ଆଣ୍ଡ୍‌ପି ଭାରତକୁ ସତର୍କ ମଧ୍ୟ କରାଇଛି। ସରକାରୀ ଫାଇନାନ୍ସକୁ ଦୃଢ଼ କରିବାରେ ଯଦି ରାଜନୈତିକ ପ୍ରତିବଦ୍ଧତାର ଅଭାବ ଦେଖାଦେବ କିମ୍ବା ଆର୍ଥିକ ସ୍ଥିରତାକୁ ପ୍ରଭାବିତ କରିବା ଭଳି କିଛି ଢାଞ୍ଚାଗତ ସମସ୍ୟା ଦେଖାଦେବ, ତେବେ ଭାରତର ରେଟିଂକୁ କମ୍ କରିବା ଉପରେ ବିଚାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe