ଜିଏସ୍‌ଟି ଠକେଇ ଧରିବାକୁ ସ୍ବତନ୍ତ୍ର ଅଭିଯାନ, ସଂସ୍ଥାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ

କାଗଜପତ୍ର, ଲେଖାବହି ଯାଞ୍ଚ କରାଯିବ, ଠକେଇ ଧରାପଡ଼ିଲେ ପଞ୍ଜୀକରଣ ରଦ୍ଦ ହେବ

ଜିଏସ୍‌ଟି ହାର ବଢ଼ିବ, ସ୍ଲାବ୍‌ କମିବ

The Hindu

ଭୁବନେଶ୍ବର: ଜିଏସ୍‌ଠି ଠକେଇ ରୋକିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍ ତରଫରୁ ଏକ ସ୍ବତନ୍ତ୍ର ଅଭିଯାନ ହାତକୁ ନିଆଯାଇଛି। ଏହି ଅଭିଯାନ ଜୁଲାଇ ୧୬ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ୨୦୨୦ ଏପ୍ରିଲ୍‌ରୁ ୨୦୨୧ ଜୁନ୍ ଭିତରେ ହୋଇଥିବା ସମସ୍ତ ପଞ୍ଜୀକରଣକୁ ଅନୁଧ୍ୟାନ କରାଯିବ। ପରବର୍ତ୍ତୀ ସମୟରେ ୨୦୧୭ ଜୁଲାଇ ୧ରୁ ହୋଇଥିବା ସମସ୍ତ ପଞ୍ଜୀକରଣକୁ ଅନୁଧ୍ୟାନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜନ କରାଯାଇଥିବା ଏକ କର୍ମଶାଳା ମାଧ୍ୟମରେ ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ଆୟୁକ୍ତ ସୁଶୀଲ କୁମାର ଲୋହାନୀ ଏହି ଅଭିଯାନ ବିଷୟରେ କ୍ଷେତ୍ରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅଭିଯାନକୁ ସଫଳ କରିବା ଲାଗି ପ୍ରତିଟି ସର୍କଲ୍ ଏକ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରି ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ଯୋଜନାର ଅଗ୍ରଗତି ସମ୍ପର୍କରେ ମଧ୍ୟ ସେମାନେ ନିୟମିତ ବ୍ୟବଧାନରେ ରିପୋର୍ଟ ଦେବେ। ଏହି ଅଭିଯାନରେ କ୍ଷେତ୍ରୀୟ ଅଧିକାରୀମାନେ ବ୍ୟବସାୟ ସ୍ଥଳର ଅବସ୍ଥିତି ସମ୍ପର୍କରେ ସତ୍ୟାସତ୍ୟ ଅନୁସନ୍ଧାନ କରିବା‌ ସହିତ ଟିକସଦାତାଙ୍କ କାଗଜପତ୍ର ଓ ଲେଖାବହି ଆଦି ଯାଞ୍ଚ କରିବେ। ଯେଉଁମାନଙ୍କ ଉପରେ ସନ୍ଦେହ ହେବ ସେମାନଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ୍ ପଠାଇବା ପରେ ପଞ୍ଜୀକରଣ ରଦ୍ଦ କରିବାକୁ ପଦକ୍ଷେପ ନିଆଯିବ। ଯଦି କୌଣସି ଟିକସଦାତାଙ୍କର କିଛି ଆପତ୍ତି ଅଭିଯୋଗ ରହିଥିବ ସେବିଷୟରେ ସେମାନେ ୧୮୦୦୩୪୫୬୭୫୩ ହେଲ୍‌ପ୍‌ଲାଇନ୍ ନମ୍ବରରେ କଲ୍‌ କରି ଜଣାଇପାରିବେ।

ଜିଏସ୍‌ଟି ଠକେଇ ଧରିବା ଲାଗି ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌ର ଏନ୍‌ଫୋର୍ସମେଣ୍ଟ୍ ଶାଖା କାର୍ଯ୍ୟ କରୁଛି। ଜିଏସ୍‌ଟି ଠକେଇ ମାମଲାରେ ଶାଖା ତରଫରୁ ୧୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ୧୨୯ଟି ଜାଲ୍ ବ୍ୟାବସାୟିକ ପ୍ରତିଷ୍ଠାନ ସୃଷ୍ଟି କରି ୯୦୦ କୋଟି ଟଙ୍କାର ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ୍ ହାସଲ କରିଥିଲେ କିମ୍ବା ହସ୍ତାନ୍ତର କରିଥିଲେ। ୨୦୧୮ ଜୁଲାଇରେ ଜିଏସ୍‌ଟି ପ୍ରଚଳନ ହେବା ପରଠାରୁ ଚଳିତ ବର୍ଷ ଜୁନ୍ ସୁଦ୍ଧା ୨ ଲକ୍ଷରୁ ଅଧିକ ଟିକସଦାତା ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସଚ୍ଚୋଟ ଥିବା ବେଳେ କିଛି ଜାଲ୍ ବ୍ୟବସାୟୀ ମଧ୍ୟ ପଞ୍ଜୀକରଣ କରି ଠକେଇ କରୁଛନ୍ତି। ସେଭଳି ଠକମାନଙ୍କୁ ଚିହ୍ନଟ କରିବା ଲାଗି କମିସନରେଟ୍ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଯେଉଁମାନେ ଆଧାର କାର୍ଡ ଦାଖଲ କରୁନାହାନ୍ତି ସେମାନଙ୍କ ସମ୍ପର୍କରେ ପ୍ରାକ୍ ପଞ୍ଜୀକରଣ ଅନୁସନ୍ଧାନ କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ କ୍ଷେତ୍ରୀୟ ଅନୁସନ୍ଧାନ କରି ୨୪ ହଜାର ଜାଲ୍ କିମ୍ବା ଅନିୟମିତ ଟିକସଦାତାଙ୍କ ପଞ୍ଜୀକରଣ ରଦ୍ଦ କରାଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁନ୍ ମଧ୍ୟରେ ପ୍ରାୟ ୧୪୦୦ ଟିକସଦାତାଙ୍କ ପଞ୍ଜୀକରଣ ରଦ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe