ଡକ୍ଟର ଶରତ ସାହୁଙ୍କୁ ସ୍ପାଇସ୍ ଆଇକନ୍ ପୁରସ୍କାର: ଇଟାଲୀ ସହଯୋଗରେ ରାମଦାସପୁରରେ ଅତ୍ୟାଧୁନିକ ରୁଚି ଫୁଡ୍‌ପାର୍କ

ଡକ୍ଟର ଶରତ ସାହୁଙ୍କୁ ସ୍ପାଇସ୍ ଆଇକନ୍ ପୁରସ୍କାର: ଇଟାଲୀ ସହଯୋଗରେ ରାମଦାସପୁରରେ ଅତ୍ୟାଧୁନିକ ରୁଚି ଫୁଡ୍‌ପାର୍କ

ଭୁବନେଶ୍ୱର: ଓଡ଼ିଶାର ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୪୭ବର୍ଷରେ ପହଂଚିଥିବା ଲୋକପ୍ରିୟ ରୁଚି ଫୁଡ଼୍‌ଲାଇନ୍‌କୁ ଉତ୍କର୍ଷ, ଗୁଣବତ୍ତା ଓ ଉଦ୍ୟୋଗ କ୍ଷେତ୍ରରେ ବିକାଶ ପାଇଁ ମିଳିଛି ଆଉ ଏକ ଜାତୀୟ ପୁରସ୍କାର । ନୂଆଦିଲ୍ଲୀର ଗ୍ଲୋବାଲ ସ୍ପାଇସ୍ ସମିଟ୍‌ର ସମାରୋହରେ ‘ରୁଚି’ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟର ଜଣାଶୁଣା ଶିଳ୍ପୋଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କୁ ମିଳିଛି ଚଳିତବର୍ଷର ସ୍ପାଇସ୍ ଆଇକନ୍ ପୁରସ୍କାର । ସଂସଦମାର୍ଗସ୍ଥିତ ଏନ୍‌ଡିଏମ୍‌ସି କନଭେନସନ ସେଣ୍ଟରଠାରେ ଆୟୋଜିତ ସ୍ପାଇସ୍ ସମିଟ୍‌ରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଦେବସିହ୍ନା ଚୌହ୍ୱାନ ଓ ରାଜ୍ୟସଭା ସାଂସଦ ରାଜେନ୍ଦ୍ର ଗେହେଲଟ୍ ଯୋଗଦେଇ ଡକ୍ଟର ସାହୁଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ। ଦେଶ ଓ ଦେଶ ବାହାରୁ ୨୦୦ରୁ ଅଧିକ ମସଲା ଶିଳ୍ପଗୋଷ୍ଠୀ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ସାହୁ କହିଥିଲେ ଯେ, ଓଡ଼ିଶାର କୋଟି କୋଟି ଗ୍ରାହକ ହେଉଛନ୍ତି ରୁଚି ପରିବାରର ଶ୍ରେଷ୍ଠ ପୃଷ୍ଠପୋଷକ। ଆମେ ଗ୍ରାହକମାନଙ୍କର ଆବଶ୍ୟକତାକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟପ୍ରଦ, ସୁଷମ ଓ ସୁଲଭ ମୂଲ୍ୟରେ ବିଭିନ୍ନ ସାମଗ୍ରୀ ଉତ୍ପାଦିତ କରୁଛୁ । ରାଜ୍ୟ ସରକାରଙ୍କ ସହଯୋଗରେ ସଂପ୍ରତି ନୂତନ ଭାବେ ବିକଶିତ ରାମଦାସପୁର ଶିଳ୍ପପୁଂଜଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଇଟାଲୀର ଆନସେଲ୍‌ମୋ ଇମ୍ପିଆଣ୍ଟି ସହଯୋଗରେ ଏହି ଫୁଡ଼୍ ପ୍ରୋସେସିଂ ପାର୍କ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ। ନୂତନ ଫୁଡ଼୍ ପାର୍କରେ ସ୍ୱାସ୍ଥ୍ୟପ୍ରଦ ଏବଂ ଉନ୍ନତ ଗୁଣମାନର ପାସ୍ତା, ନୁଡୁଲ୍ସ, ସସ୍‌, ମସଲା, ଆଇସକ୍ରିମ୍‌, ସ୍ନାକ୍ସ, ବେକେରି, ରେଡି ଟୁ ଇଟ୍ ଓ ରେଡ଼ିଟୁ କୁକ୍ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍‌-ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଦେଶର ପ୍ରତିଷ୍ଠିତ ଶିଳ୍ପ ଓ ଉଦ୍ୟୋଗ ଜଗତର ଶିଳ୍ପପତିମାନଙ୍କ ସହିତ ରୁଚିକୁ ସାମିଲ କରି ବିଶେଷ ଦିଗ୍‌ଦର୍ଶନ ଓ ପ୍ରେରଣା ଦେଇଥିବାରୁ ଡକ୍ଟର ସାହୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ କୃତଜ୍ଞତା ଜଣାଇଥିଲେ । ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ ଓ ନିର୍ଦ୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ରୁଚିର ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ପ୍ରାରମ୍ଭିକ ସୂଚନା ଓ ମାର୍କେଟିଂ ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe