Image Courtesy of India TV
ନୂଆଦିଲ୍ଲୀ: ମଝି ଆକାଶରରେ ଉଡ଼ୁଥିବା ବେଳେ ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ଘରୋଇ ବିମାନ କଂପାନି ସ୍ପାଇସ୍ଜେଟ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ସ୍ପଟ୍ ଯାଞ୍ଚ୍ କରିବା ପରେ କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଠ ସପ୍ତାହ ପର୍ଯ୍ୟନ୍ତ ୫୦ ପ୍ରତିଶତ ବିମାନ ଉଡ଼ାଣ ପାଇଁ ଡିଜିସିଏ ଅନୁମତି ପ୍ରଦାନ କରିଛି।ଯାଞ୍ଚ ବେଳେ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଷୟ ସାମ୍ନାକୁ ଆସିଥିଲା। ସେଥିରୁ ଗୋଟିଏ ହେଉଛି ଆର୍ଥିକ ସ୍ଥିତି। ସ୍ପେୟାର ପାର୍ଟସ୍ ପାଇଁ କଂପାନି ଏହାର ଭେଣ୍ଡରମାନଙ୍କୁ ଠିକ୍ ସମୟରେ ପେମେଣ୍ଟ୍ କରୁନାହିଁ।
ଦୈନନ୍ଦୀନ କାମ ପାଇଁ ଯେତିକି ଟଙ୍କା ଦରକାର ସେତିକିରେ କାମ ଚାଲୁଛି। କଂପାନି ପାଖରେ ଆବଶ୍ୟକ ବୈଷୟିକ ଦକ୍ଷତା ମଧ୍ୟ ନଥିବା ଜଣାପଡ଼ିଛି। ଏହି ସବୁ ବିଷୟ ବିଚାରକୁ ନେଇ ଡିଜିସିଏ କଂପାନି ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ପାଇସ୍ଜେଟ୍ ପକ୍ଷରୁ କୁହାଯାଇଛି ଯେ ଏହି କଟକଣା ଦ୍ବାରା କଂପାନିର ଉଡ଼ାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିମାନ ଚଳାଚଳର ମାନ୍ଦା ସମୟ ଚାଲିଥିବାରୁ କୌଣସି ବିମାନର ଉଡ଼ାଣ ବାତିଲ କରିବାକୁ ପଡ଼ିବ ନାହିଁ।
Follow Us