ଦୁଇଥାକିଆ ଜିଏସ୍‌ଟିରେ ରାଜ୍ୟ ସହମତ: ଉଚ୍ଛେଦ ହେବ ୧୨%, ୨୮% ସ୍ଲାବ୍

ସମ୍ପ୍ରତି ପ୍ରଚଳନରେ ଥିବା ଚାରିଥାକିଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାକୁ ବଦଳାଇ ଦୁଇଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହୋଇଛନ୍ତି। ଜିଏସ୍‌ଟି ହାରକୁ ନେଇ ଗଠନ କରାଯାଇଥିବା‌ ମନ୍ତ୍ରୀଗୋଷ୍ଠୀର ଏକ....

gst

Photograph: (CaptainBiz)

ନୂଆଦିଲ୍ଲୀ: ସମ୍ପ୍ରତି ପ୍ରଚଳନରେ ଥିବା ଚାରିଥାକିଆ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଢାଞ୍ଚାକୁ ବଦଳାଇ ଦୁଇଥାକିଆ କରିବାକୁ ଅର୍ଥ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବରେ ରାଜ୍ୟଗୁଡ଼ିକ ସହମତ ହୋଇଛନ୍ତି। ଜିଏସ୍‌ଟି ହାରକୁ ନେଇ ଗଠନ କରାଯାଇଥିବା‌ ମନ୍ତ୍ରୀଗୋଷ୍ଠୀର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେଣୁ ସୁବିଧାରେ ଏହି ପ୍ରସ୍ତାବ ଜିଏସ୍‌ଟି ପରିଷଦ ବୈଠକରେ ଗୃହୀତ ହେବା ଆଶା କରାଯାଉଛି।

ଏବେ ୫%, ୧୨%, ୧୮% ଓ ୨୮% ଭଳି ଚାରିଟି ସ୍ଲାବ୍‌ରେ ବିଭିନ୍ନ ସାମଗ୍ରୀ ଓ ସେବାକୁ ଭାଗ କରାଯାଇଛି। ଦୁଇଥାକିଆ ଢାଞ୍ଚାରେ ୧୨% ଓ ୨୮% ସ୍ଲାବକୁ ଉଚ୍ଛେଦ କରାଯିବ। ସବୁ ଜିନିଷ ଓ ସେବାକୁ କେବଳ ୫% ଓ ୧୮% ସ୍ଲାବ୍‌ରେ ରଖାଯିବ। ଫଳରେ ଅନେକ ଜିନିଷର ଦାମ୍ କମିବା ଆଶା କରାଯାଉଛି। ୫% ସ୍ଲାବ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାଗୁଡ଼ିକ ରହିବ ଓ ଅବଶିଷ୍ଟ ସାମଗ୍ରୀ ଓ ସେବା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗିବ। ପାର୍ବଣ ଋତୁ ପୂର୍ବରୁ ଏହା କେନ୍ଦ୍ରର ଏକ ମା‌ଷ୍ଟରଷ୍ଟ୍ରୋକ୍ କୁହାଯାଉଛି। କାରଣ ସେହି ସମୟରେ ଲୋକମାନଙ୍କ ପାଖରେ ବୋନସ୍ ପହଞ୍ଚିଥାଏ। ଜିନିଷର ଦାମ୍ କମିଲେ ସେମାନେ ତାହାକୁ କିଣିବାରେ ଖର୍ଚ୍ଚ କରିବେ। ତାହା ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବା ସହ ଅଭିବୃଦ୍ଧିକୁ ବଢ଼ାଇବ। ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬-ସଦସ୍ୟ ବିଶିଷ୍ଟ ମନ୍ତ୍ରୀଗୋଷ୍ଠୀ ବୈଠକରେ ଦୁଇଥାକିଆ ଜିଏସ୍‌ଟି ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଏହାର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଉତ୍ତରପ୍ରଦେଶର ଅର୍ଥମନ୍ତ୍ରୀ ସୁରେଶ କୁମାର ଖାନ୍ନା, ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ କ୍ରିଷ୍ଣା ବି ଗୌଡ଼ା ଓ କେରଳ ଅର୍ଥମନ୍ତ୍ରୀ କେ ଏନ୍ ବାଲଗୋପାଳ। ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜିଏସ୍‌ଟି ହାର କମିଲେ ତାହା ସାଧାରଣ ଜନତା, ମଧ୍ୟବିତ୍ତ ବର୍ଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ) ପାଇଁ ବଡ଼ ଧରଣର ଆଶ୍ବସ୍ତି ପ୍ରଦାନ କରିବ। 

ନୂଆ ଢାଞ୍ଚାରେ ବର୍ତ୍ତମାନର ୧୨ ପ୍ରତିଶତ ସ୍ଲାବ୍‌ରେ ଥିବା ୯୦ ପ୍ରତିଶତ ସାମଗ୍ରୀକୁ ୫ ପ୍ରତିଶତ ସ୍ଲାବ୍‌ରେ ଯୋଡ଼ାଯିବ। ସେହିପରି ୨୮ ପ୍ରତିଶତ ସ୍ଲାବ୍‌ରେ ଥିବା ୯୦ ପ୍ରତିଶତ ଜିନିଷକୁ ୧୮ ପ୍ରତିଶତ ସ୍ଲାବ୍‌ରେ ସାମିଲ କରାଯିବ। ଏହା ଦ୍ବାରା ଜିଏସ୍‌ଟିର ସରଳୀକରଣ ହେବ ଏବଂ ନିୟମ ପାଳନ କରିବା ସହଜ ହେବ ବୋଲି କେନ୍ଦ୍ର ସରକାର ଭାବୁଛନ୍ତି। ଅନ୍ୟ ପକ୍ଷରେ, ସ୍ବାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମ ଉପରୁ ଜିଏସ୍‌ଟି ଉଚ୍ଛେଦ କରିବା ଲାଗି ଦିଆଯାଇଥିବା ପ୍ରସ୍ତାବର ମଧ୍ୟ ମନ୍ତ୍ରୀଗୋଷ୍ଠୀ ସମୀକ୍ଷା କରିଛି। ଏହାଦ୍ବାରା ୯୭ ହଜାର କୋଟି ଟଙ୍କାର ରାଜସ୍ବ ହାନି ହେବା ଆକଳନ କରାଯାଇଛି। ଅଧିକାଂଶ ରାଜ୍ୟ ଏହି ପ୍ରସ୍ତାବ ଉପରେ ସହମତି ଦେଇଛନ୍ତି। କିନ୍ତୁ ଜିଏସ୍‌ଟି ଉଚ୍ଛେଦର ଲାଭ ଯେଭଳି ଗ୍ରାହକଙ୍କୁ ମିଳିତ ତାହା ନିଶ୍ଚିତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe