ରାଜ୍ୟ ଚାହିଲେ ପେଟ୍ରୋଲରେ ଜିଏସ୍‌ଟି

Advertisment

ଜିଏସ୍‌ଟି ଲାଗିଲେ ଦର ୨୦ ଟଙ୍କା କମିଯିବ

ଜିଏସ୍‌ଟି ଲାଗିଲେ ଦର ୨୦ ଟଙ୍କା କମିଯିବ

ପାକିସ୍ତାନ, ବାଂଲାଦେଶ ଠାରୁ ଭାରତରେ ପେଟ୍ରୋଲ୍‌ ମହଙ୍ଗା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ଅବଧିରେ ପ୍ରଥମ ଥର ପାଇଁ ଗତକାଲି ଜିଏସ୍‌ଟି ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଅନେକ ଜିନିଷ ଏବଂ ସେବା ଉପରେ ଜିଏସ୍‌ଟିକୁ କୋହଳ କରାଯାଇଥିବାବେଳେ ଟିକସ ଠକେଇକୁ ରୋକିବା ଲାଗି କେତେକ ଠୋସ୍‌ ପଦକ୍ଷେପ ନିଆଯାଇଛି। କିନ୍ତୁ ପେଟ୍ରୋଲ୍‌,ଡିଜେଲ୍‌, ବିମାନ ଇନ୍ଧନ ସମେତ ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରକୁ ଅଣାଯିବ ବୋଲି ଯେଉଁ ଆଶା ରହିଥିଲା ତାହା ମଉଳି ଯାଇଛି। ଜିଏସ୍‌ଟି ପରିଷଦ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପ୍ରସଙ୍ଗକୁ ଅର୍ଥମନ୍ତ୍ରୀ ସୀତାରମଣ ରାଜ୍ୟଗୁଡ଼ିକ ଉପରେ ଲଦି ଦେଇଛନ୍ତି। ସେ କହିଛନ୍ତି ଯେ ଜିଏସ୍‌ଟି ଲାଗୁ କରିବା ସମୟରେ କେନ୍ଦ୍ର ସରକାର ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଜିଏସ୍‌ଟି ଅଧୀନକୁ ଆଣିବା ପାଇଁ ତରବରିଆ ନିଷ୍ପତ୍ତି ନେବାକୁ ଚାହୁ ନଥିଲେ। କିନ୍ତୁ ଏହାକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ବ୍ୟବସ୍ଥା ହୋଇସାରିଛି ବୋଲି ସେ କହିଛନ୍ତି। ଏବେ ଜିଏସ୍‌ଟି ପରିଷଦରେ ରାଜ୍ୟମାନଙ୍କୁ ରାଜି ହେବାକୁ ପଡ଼ିବ । ଏହାପରେ ସେମାନେ କେତେ ପ୍ରତିଶତ ଜିଏସ୍‌ଟି ଲାଗୁ କରିବାକୁ ଚାହୁଛନ୍ତି ତାହା ସ୍ଥିର କରିବାକୁ ପଡ଼ିବ। ରାଜ୍ୟଗୁଡ଼ିକ ନିଷ୍ପତ୍ତି ନେବା ପରେ ଆମେ ଏହାକୁ ଜିଏସ୍‌ଟି ଆଇନରେ ଅନ୍ତର୍ଭୁକ୍ତ କରିବୁ ବୋଲି ଅର୍ଥମନ୍ତ୍ରୀ ମତ ଦେଇଛନ୍ତି।

ପେଟ୍ରୋଲ୍‌ ଓ ଡିଜେଲ୍‌କୁ ଜିଏସ୍‌ଟି ଆଇନରେ ଅନ୍ତର୍ଭୁକ୍ତ କରିବା ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପୂର୍ବରୁ ବ୍ୟବସ୍ଥା କରିସାରିଛନ୍ତି। ତାଙ୍କର ଚିନ୍ତାଧାରା ଖୁବ୍ ସ୍ପଷ୍ଟ ଥିଲା। ଏବେ ରାଜ୍ୟଗୁଡ଼ିକୁ ଏକାଠି ହୋଇ ଏ ନେଇ ନିଷ୍ପତ୍ତି ନେବାକୁ ପଡ଼ିବ। ଆମେ ପେଟ୍ରୋଲ୍‌ ଏବଂ ଡିଜେଲ୍‌କୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ଚାହୁଛୁ । ଏବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କେତେ ଜିଏସ୍‌ଟି ଲାଗୁ କରାଯିବ ତାହା ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ । ୨୦୧୭ ଜୁଲାଇ ପହିଲାରୁ ଜିଏସ୍‌ଟି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ପେଟ୍ରୋଲ୍‌, ଡିଜେଲ୍‌ ଏବଂ ବିମାନ ଇନ୍ଧନ (ଏଟିଏଫ୍‌)କୁ ଜିଏସ୍‌ଟି ଆଇନ ଅଧୀନରେ ଆଣିବା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା। ଦୀର୍ଘବର୍ଷ ଧରି ପେଟ୍ରୋଲିୟମ ଉତ୍ପାଦକୁ ଜିଏସ୍‌ଟି ପରିସରଭୁକ୍ତ କିରବା ପାଇଁ ଦାବି ହୋଇ ଆସୁଥିଲେ ବି ଏପର୍ଯ୍ୟନ୍ତ ତାହା ହୋଇପାରିନାହିଁ।

ନୂଆଦିଲ୍ଲୀ: ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଉପରେ ଜିଏସ୍‌ଟି ଲାଗୁ ହେଲେ ଏହାର ମୂଲ୍ୟ ଲିଟର ପିଛା ପାଖାପାଖି ୨୦ ଟଙ୍କା କମିଯିବା ସମ୍ଭାବନା ରହିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରତି ଲିଟର ପେଟ୍ରୋଲର ମୂଲ୍ୟ ୯୪ ଟଙ୍କା ୭୨ ପଇସା ରହିଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଆକାରରେ ୩୫ ଟଙ୍କା ୨୯ ପଇସା ଆଦାୟ କରୁଛନ୍ତି। ଅର୍ଥାତ ଜଣେ ଗ୍ରାହକ ୧ ଲିଟର ପେଟ୍ରୋଲ କିଣିଲେ ତାକୁ ୫୯ ଟଙ୍କା ୪୩ ପଇସାର ପେଟ୍ରୋଲ ମିଳୁଛି। କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ବାବଦରେ ୧୯ ଟଙ୍କା ୯୦ ପଇସା ଏବଂ ଦିଲ୍ଲୀ ସରକାର ଭାଟ୍‌ ବାବଦରେ ୧୫ ଟଙ୍କା ୩୯ ପଇସା ନେଉଥିବାବେଳେ ପରିବହନ ବାବଦରେ ୨୦ ପଇସା, ଡିଲର କମିସନ ବାବଦରେ ୩ ଟଙ୍କା ୭୭ ପଇସା ଆଦାୟ କରାଯାଉଛି। ଯଦି ବି ସରକାର ସର୍ବାଧିକ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ କରନ୍ତି ତାହେଲେ ଏ ବାବଦରେ ଗ୍ରାହକଙ୍କୁ ୧୫ ଟଙ୍କା ୫୮ ପଇସା ଦେବାକୁ ପଡ଼ିବ। ଡିଲର କମିସନକୁ ମିଶାଇଲେ ପେଟ୍ରୋଲ ମୂଲ୍ୟ ପ୍ରାୟ ୭୫ ଟଙ୍କା ରହିବ। ତେଣୁ ଗ୍ରାହକଙ୍କୁ ପାଖାପାଖି ୨୦ ଟଙ୍କା କମ୍‌ ଅର୍ଥ ପେଟ୍ରୋଲ ପାଇଁ ଦେବାକୁ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe