ରିଜର୍ଭ ବ୍ୟାଙ୍କ ଜାରି କଲା ନିର୍ଦେଶାବଳୀ: ଅନ୍‌ଲାଇନ୍‌ ଠକେଇ ରୋକିବାକୁ ପଦକ୍ଷେପ

Advertisment
ସାଇବର୍‌ ଠକ ଦୁଇ ଭାଇଙ୍କ କାରନାମା: ଦେଶରୁ ଲୁଟିଲେଣି ହଜାରେ କୋଟି ଟଙ୍କା

ମୁମ୍ବାଇ : ଦେଶରେ ଡିଜିଟାଲ୍ ପେମେଣ୍ଟ୍‌ର ଗ୍ରହଣୀୟତା ବୃଦ୍ଧି ପାଉଥିବା ବେଳେ ସେହି ଅନୁସାରେ ଠକେଇ ମଧ୍ୟ ବଢ଼ିଚାଲିଛି। ପ୍ରତିଦିନ ଅନ୍‌ଲାଇନ୍‌ରେ ଟଙ୍କା ଠକେଇ ସମ୍ପର୍କିତ ଖବର ସମ୍ବାଦପତ୍ର ପୃଷ୍ଠ‌ାରେ ଦେଖିବାକୁ ମିଳୁଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଅନ୍‌ଲାଇନ୍ ଠକେଇକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ନିର୍ଦେଶାବଳୀ ଜାରି କରିଛି। ‌ତାହାକୁ ଅନୁସରଣ କରି ବ୍ୟାଙ୍କ, କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ, ପେମେଣ୍ଟ୍‌ ବ୍ୟାଙ୍କ ଓ କାର୍ଡ ଜାରି କରୁଥିବା ଅଣ ବ୍ୟାଙ୍କିଙ୍ଗ ଅନୁଷ୍ଠାନଗୁଡ଼ିକ ନିଜ ପେମେଣ୍ଟ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବେ। ନି‌ର୍ଦେଶାବଳୀ କାର୍ଯ୍ୟକାରୀ କରିବାକୁ ଛଅ ମାସ ସମୟ ଦିଆଯାଇଛି। ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି।

ସନ୍ଦେହଜନକ କାରବାରକୁ ଚିହ୍ନଟ କରିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବ୍ୟାଙ୍କ ଓ ‌ପେମେଣ୍ଟ୍‌ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ କୁହାଯାଇଛି। ବିଶେଷ କରି ପାଣ୍ଠି ସ୍ଥାନାନ୍ତର, ନଗଦ ଟଙ୍କା ଉଠାଣ, ଇଲେକ୍ଟ୍ରୋନିକ୍ସ ମାଧ୍ୟମ‌ରେ ପାଣ୍ଠି ସ୍ଥାନାନ୍ତର ଓ ନୂଆ ହ‌ିତାଧିକାରୀ ଯୋଡ଼ିବା ଉପରେ ତୀକ୍ଷ୍‌ଣ ନଜର ରଖାଯିବ। ଗ୍ରାହକମାନେ ନିଜ ଖାତାକୁ ଏକ ନିର୍ଦିଷ୍ଟ ଢଙ୍ଗରେ ବ୍ୟବହାର କରିଥାନ୍ତି। ଯଥା ମାସକ ଭିତରେ ନିର୍ଦିଷ୍ଟ ପରିମାଣର ଟଙ୍କା ଉଠାଣ, ନିର୍ଦିଷ୍ଟ ‌‌ଭୌଗୋଳିକ ଅଞ୍ଚଳରେ ଏଟିଏମ୍‌ର ବ୍ୟବହାର ଏବଂ ନିର୍ଦିଷ୍ଟ ସହରରୁ କିଛି ନିର୍ଦିଷ୍ଟ ଦୋକାନରୁ କିଣାକିଣି କରିଥାନ୍ତି। ପ୍ରତି ଗ୍ରାହକଙ୍କ କାରବାର କରିବାର ଏକ ନିର୍ଦିଷ୍ଟ ଢାଞ୍ଚା ରହିଛି। ମାସର କେଉଁ ସପ୍ତାହରେ ଅଧିକ ଟଙ୍କା ଉଠାଯାଏ, କେଉଁ ସପ୍ତାହରେ କାରବାର କମ୍ ରହିଥାଏ, କିଛି ନିର୍ଦିଷ୍ଟ ଆକାଉଣ୍ଟ୍‌କୁ ଟଙ୍କା ପଠାଇବା କିମ୍ବା ସେଠାରୁ ଟଙ୍କା ହାସଲ କରାଯାଇଥାଏ। ‌ସେଥିରେ କ୍ବଚିତ୍‌ ବ୍ୟତିକ୍ରମ ଦେଖିବାକୁ ମିଳେ। ଯେଭଳି ଗ୍ରାହକ ଜଣକ ଅନ୍ୟ କୌଣସି ସହରରେ ନିଜ କାର୍ଡକୁ ବ୍ୟବହାର କରୁଥିଲେ ତା’ ପୂର୍ବରୁ ସେ ବିମାନ କିମ୍ବା ରେଳ ଟିକଟ କିଣିଥିବେ। କିନ୍ତୁ ଏକ ନିର୍ଦିଷ୍ଟ ସ୍ଥାନରେ ରହୁଥିବା ଗ୍ରାହକଙ୍କ ଆକାଉଣ୍ଟ୍‌କୁ ଅନ୍ୟ ସ୍ଥାନରେ ବ୍ୟବହାର କରିବା ବେଳେ ବହୁ ପରିମାଣର ଟଙ୍କା ଉଠାଇବା, ବିଦେଶରୁ ଗ୍ରାହକଙ୍କ ଖାତାକୁ ବ୍ୟବହାର କରିବା ଲାଗି ଉଦ୍ୟମ କରିବା ଆଦି ବିଷୟକୁ ସନ୍ଦେହଜନକ କାରବାର ବର୍ଗରେ ରଖାଯିବ। ସ୍ବାଭାବିକ ଢଙ୍ଗର କାରବାରରେ ଯଦି କୌଣସି ବ୍ୟତିକ୍ରମ ଦେଖାଦିଏ ତେବେ ସେ ବିଷୟରେ ଗ୍ରାହକଙ୍କ ନିକଟକୁ ବ୍ୟାଙ୍କ ସତର୍କ ସୂଚନା ପଠାଇବ।

ବ୍ୟବସ୍ଥା ସୁଦୃଢ଼ କରି‌ବେ ବ୍ୟାଙ୍କ, ପେମେଣ୍ଟ୍‌ ସଂସ୍ଥା
ସନ୍ଦେହଜନକ କାରବାର ଉପରେ ନଜର ରଖିବେ

ଯେଉଁ ଗ୍ରାହକମାନେ କେବେବି ମୋବାଇଲ୍‌ ଆପ୍, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ କିମ୍ବା କାର୍ଡ ବ୍ୟବହାର କରୁନାହାନ୍ତି ସେମାନଙ୍କ ଖାତାକୁ ଯଦି କେହି ଡିଜିଟାଲ୍ ମାଧ୍ୟମରେ ବ୍ୟବହାର କରିବାକୁ ଉଦ୍ୟମ କରିବେ ତାହାକୁ ମଧ୍ୟ ବ୍ୟାଙ୍କ ସନ୍ଦେହଜନକ କାରବାର ବର୍ଗରେ ରଖିବେ। ଅତି ବିପଦପୂର୍ଣ୍ଣ ମର୍ଚାଣ୍ଟ୍‌ କାଟେଗୋରି କୋଡ୍ (ଏମ୍‌ସିସି) ଉପରେ ନଜର ରଖିବେ। ଏଟିଏମ୍ କିମ୍ବା କ୍ରେଡିଟ୍ କାର୍ଡର ଭୁଲ ସିଭିଭି/ପିନ୍‌କୁ ବାରମ୍ବାର ବ୍ୟବହାର କରିବାକୁ ଉଦ୍ୟମ କରିବା, କୌଣସି ନୂତନ ଖାତାରେ ମାତ୍ରାଧିକ କାରବାର ହେବା, ନିର୍ଦିଷ୍ଟ ଅଞ୍ଚଳର ଭୌଗୋଳିକ ସ୍ଥିତି ଓ କାରବାର କରାଯାଉଥିବା ସମୟ ଏବଂ ଆଇପି ଆଡ୍ରେସ୍‌ ଆଦି ଉପରେ ବ୍ୟାଙ୍କ ନଜର ରଖିବେ। ଉଦାହରଣ ସ୍ବରୂପ ଭୁବନେଶ୍ବରର ଗ୍ରାହକଙ୍କ ଖାତାକୁ ଯଦି ଅନ୍ୟ କୌଣସି ସହରରୁ ପରିଚାଳନା କରିବା ଲାଗି ଉଦ୍ୟମ କରାଯାଉଥିବ କିମ୍ବା କାରବାରର ସମୟ ଯଦି ରାତି ଭଳି ଅସମୟ ହୋଇଥିବ ତେବେ ସେହି କାରବାରକୁ ସନ୍ଦେହଜନକ ବୋଲି ବିଚାର କରାଯିବ।

ମୋବାଇଲ୍ ୱାଲେଟ୍‌, ମୋବାଇଲ୍‌ ନମ୍ବର କିମ୍ବା ଭିପିଏ ଜରିଆରେ ହେଉଥିବା କାରବାର ଉପରେ ବ୍ୟାଙ୍କଗୁଡ଼ିକ ନଜର ରଖିବେ। ସନ୍ଦେହଜନକ କାରବାରଗୁଡ଼ିକୁ ଚିହ୍ନଟ କରିବା ଲାଗି ଏକ ସୁଦୃଢ଼ ବ୍ୟବସ୍ଥା ବିକଶିତ କରିବା ଲାଗି ବ୍ୟାଙ୍କ ଓ ପେମେଣ୍ଟ୍‌ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକୁ କୁହାଯାଇଛି। ବିଶେଷ କରି ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍‌, ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ଓ କାର୍ଡ ଜରିଆରେ ହେଉଥିବା କାରବାରର ରେକର୍ଡ ରଖିବା ଲାଗି ବ୍ୟବସ୍ଥା କରିବାକୁ କୁହାଯାଇଛି। ସେହି ରେକର୍ଡଗୁଡ଼ିକୁ ବ୍ୟାଙ୍କଗୁଡ଼ିକ ନିୟମିତ ବ୍ୟବଧାନରେ ଅନୁଧ୍ୟାନ କରି ଯେଉଁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଦରକାର ତାହା ଜାଣିବାକୁ ଉଦ୍ୟମ କରିବେ। ଠକେଇକୁ ନିୟନ୍ତ୍ରଣରେ ରଖିବା ଲାଗି ଯେଉଁ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିବ ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ସେମାନେ ଉଭୟ ଗ୍ରାହକ ଏବଂ ବ୍ୟବସାୟୀମାନଙ୍କୁ ଠକେଇ ବିଷୟରେ ସଚେତନ କରିବେ। କାର୍ଡକୁ ପରିଚାଳନା କରିବାର ସଠିକ୍ ଉପାୟ ଜଣାଇବେ। ସନ୍ଦେହଜନକ କାରବାର ବିଷୟରେ ଆଇନ ପ୍ରଣୟନକାରୀ ଏଜେନ୍ସିଗୁଡ଼ିକୁ ସୂଚନା ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe