ଷ୍ଟକ୍‌ ବଜାର ଅସ୍ଥିର: ୧୩୦୦ ପଏଣ୍ଟ ବଢ଼ିଥିଲା, ୧୫୩ ପଏଣ୍ଟ ହ୍ରାସ ସହ ବନ୍ଦ

ସାତ ଦିନରେ ନିବେଶକଙ୍କ ୧୩ ଲକ୍ଷ କୋଟି କ୍ଷତି

ଷ୍ଟକ୍‌ ବଜାର ଅସ୍ଥିର: ୧୩୦୦ ପଏଣ୍ଟ ବଢ଼ିଥିଲା, ୧୫୩ ପଏଣ୍ଟ ହ୍ରାସ ସହ ବନ୍ଦ

ମୁମ୍ବାଇ: ଗତ ଶୁକ୍ରବାର ହୋଇଥିବା କ୍ଷତିକୁ ନିବେଶକମାନେ ପ୍ରାୟ ଭୁଲିଯାଇଥିଲେ। ବିଶ୍ବର ବିଭିନ୍ନ ଦେଶର ଷ୍ଟକ ବଜାରରେ କାରବାର ଭଲ ରହିବାରୁ ଆଜି ବମ୍ବେ ଷ୍ଟକ ବଜାର ଖୋଲିବା ମାତ୍ରେ ନିବେଶକମାନେ ବିପୁଳ ପରିମାଣର ସେୟାର କିଣିଥିଲେ। ଏହାର ପ୍ରଭାବରେ ସେନ୍‌ସେକ୍ସରେ କିଛି ମିନିଟ୍ ଭିତରେ ୧୩୦୦ ପଏଣ୍ଟ୍‌ ଭଳି ବଡ଼ ଧରଣର ବୃଦ୍ଧି ଘଟିଥିଲା। ନିବେଶକମାନଙ୍କ ସମ୍ପତ୍ତି ମଧ୍ୟ ବହୁତ ବଢ଼ିଯାଇଥିଲା। କିନ୍ତୁ ସେମାନଙ୍କ ସେହି ଖୁସି ଅଧିକ ସମୟ ରହିନଥିଲା। ଦେଶରେ ଦୁଇଟି ନୂଆ କରୋନା ଭୂତାଣୁ ମାମଲା ସାମ୍ନାକୁ ଆସିଥିବା ଖବର ପ୍ରଚାରିତ ହେବା ପରେ ନିବେଶକମାନେ ସେୟାର ବିକ୍ରି କରିବା ଆରମ୍ଭ କରିଥିଲେ। ଯେଉଁ ସେନ୍‌ସେକ୍ସ ୧୩୦୦ ପଏଣ୍ଟ୍‌ ଉପରକୁ ଉଠିଥିଲା ତାହା ସଙ୍ଗେ ସଙ୍ଗେ ଅସ୍ଥିର ହୋଇପଡ଼ିଲା। କାରବାର ଶେଷ ବେଳକୁ ଶୁକ୍ରବାର ଦିନର ବନ୍ଦ ତୁଳନାରେ ୧୫୩ ପଏଣ୍ଟ୍‌ ହ୍ରାସ ପାଇ ସେନ୍‌ସେକ୍ସ ୩୮,୧୪୪ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା। ସେହି ସମୟରେ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ୬୯ ପଏଣ୍ଟ୍‌ ହ୍ରାସ ପାଇ ୧୧,୧୩୩ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ଆଜି ବମ୍ବେ ଷ୍ଟକ ବଜାର ଖୋଲିବା ମାତ୍ରେ ସେନ୍‌ସେକ୍ସରେ ୭୫୦ ପଏଣ୍ଟ୍‌ର ବୃଦ୍ଧି ଘଟିଥିଲା। ଏହା ପରେ ସେଥିରେ ଆଉ ୫୫୦ ପଏଣ୍ଟ୍‌ ଭଳି ବୃଦ୍ଧି ହୋଇଥିଲା। ଏହା ପରେ ସେନ୍‌ସେକ୍ସରେ ଯେଉଁ ହ୍ରାସ ଘଟିଥିଲା ତାହାର ପ୍ରଭାବରେ ଷ୍ଟେଟ୍‌ ବ୍ୟାଙ୍କ, ଟାଟା ଷ୍ଟିଲ୍‌, ହିରୋ, ବଜାଜ, ଓଏନ୍‌ଜିସି ଓ ଏନ୍‌ଟିପିସିର ସେୟାର ମୂଲ୍ୟ କମିଥିଲା। ଗତ ଶୁକ୍ରବାର ‌‌ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ୍‌ର ହ୍ରାସ ଘଟିଥିଲା। ବିଗତ ସାତ କାରବାର ଦିନରେ ସେନ୍‌ସେକ୍ସରେ ୩୦୨୫ ପଏଣ୍ଟ୍‌ର ହ୍ରାସ ଘଟିଥିଲା। କରୋନା ଭୂତାଣୁ ଅନେକ ଦେଶକୁ ବ୍ୟାପୁଥିବାରୁ ନିବେଶକମାନେ ଚିନ୍ତିତ ହୋଇ ସେୟାର ବିକ୍ରି କରୁଛନ୍ତି। ବିଗତ ସାତ ଦିନରେ ନିବେଶକମାନେ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଲେଣି। ଗତ ଶୁକ୍ରବାର ନିବେଶକମାନଙ୍କ ସାଢ଼େ ପାଞ୍ଚ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଥିଲା। ଷ୍ଟକ ବଜାରରେ ଲାଗି ରହିଥିବା ଅସ୍ଥିରତା ଧନୀକ ଶ୍ରେଣୀର ଲୋକମାନଙ୍କ ସମ୍ପତ୍ତିକୁ କମ୍ କରିଛି। ବିଶ୍ବର ଏକ ନମ୍ବର ଧନୀ ଜେଫ୍ ବେଜୋସ୍‌ଙ୍କ ଠାରୁ ଆରମ୍ଭ କରି ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ପର୍ଯ୍ୟନ୍ତ ପ୍ରାୟ ସବୁ ଧନୀଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe