ଭୁବନେଶ୍ବର: ଦେଶବିଦେଶରେ ଘଟୁଥିବା ବିଭିନ୍ନ କାରଣରୁ ଗତ କିଛି ଦିନ ଧରି ଷ୍ଟକ୍ ବଜାର କାରବାର ଅସ୍ଥିର ରହିଛି। ଏହି କ୍ଷଣସ୍ଥାୟୀ ଅସ୍ଥିରତାରେ ବିଚଳିତ ନ ହେବାକୁ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ର ଇକ୍ବିଟି ମୁଖ୍ୟ ଶ୍ରେୟସ ଡେଭଲ୍କର୍ କହିଛନ୍ତି। ସେ କହିଛନ୍ତି ଯେ ନିବେଶକମାନେ ବଜାରର ସମୟ ଉପରେ ଧ୍ୟାନ ଦେବା ଉଚିତ। ଦୃଢ଼ ଘରୋଇ ଚାହିଦା, ଏକ ବିବିଧ ଅର୍ଥନୀତି ଓ ଆର୍ଥିକ ବ୍ୟବସ୍ଥା ବଳରେ ଏଭଳି ଅସ୍ଥିରତା ସତ୍ତ୍ବେ ଭାରତ ବିଶ୍ବର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ହୋଇରହିଛି। ତେଣୁ ନୂତନ ନିବେଶକମାନେ ଇକ୍ବିଟିରେ ନିବେଶ ଜାରି ରଖିଲେ ଦୀର୍ଘକାଳୀନ ଭିତ୍ତିରେ ନିଜ ସମ୍ପତ୍ତି ବଢ଼ାଇପାରିବେ ବୋଲି ସେ କହିଛନ୍ତି।
ବଜାର ଅସ୍ଥିରତା ସମ୍ପର୍କରେ ସେ କହିଛନ୍ତି ଯେ ୨୦୨୪ର ଶେଷ ତିନି ମାସରେ ବଜାର ବିଭିନ୍ନ କାରଣ ଲାଗି ଅସ୍ଥିର ଥିଲା। ୨୦୨୫ରେ ସେହି ଧାରା ପ୍ରାୟତଃ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଉଥିବା ଶୁଳ୍କ ଦ୍ବାରା ଭାରତ ଭଳି ଦେଶର ମୁଦ୍ରା ପ୍ରଭାବିତ ହେବ। କିନ୍ତୁ ଚୀନ୍ ଉପରେ ଶୁଳ୍କ ଲାଗିଲେ, ସେଥିରୁ ଭାରତ ଉପକୃତ ହେବ। ଦୀର୍ଘକାଳୀନ ଭିତ୍ତିରେ ଭାରତର ଇକ୍ବିଟି ବଜାର ବିଶ୍ବସ୍ତରରେ ଘଟୁଥିବା ଘଟଣା ବଦଳରେ ଦେଶ ଭିତର ଘଟଣା ଦ୍ବାରା ଅଧିକ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।
Follow Us