ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ଚାଲିଥିବା ଟ୍ରକ୍ ଧର୍ମଘଟ ଆଜି ପ୍ରତ୍ୟାହୃତ ହୋଇଛି। ଟ୍ରକ୍ ପରିବହନକାରୀ ସଂଘ ପକ୍ଷରୁ ଯେଉଁ ଦାବିଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା ସେଗୁଡ଼ିକ ଉପରେ ବିଚାର କରାଯିବ ବୋଲି ସରକାର ପ୍ରତିଶ୍ରୁତି ଦେବା ପରେ ଧର୍ମଘଟକୁ ବନ୍ଦ ରଖାଯାଇଛି। ଚଳିତ ମାସ ୨୦ ତାରିଖରେ ଏହି ଧର୍ମଘଟ ଆରମ୍ଭ ହୋଇଥିଲା। ସେଥିରେ ଦେଶର ୯୦ ଲକ୍ଷରୁ ଅଧିକ ଟ୍ରକ୍ ସାମିଲ ହୋଇଥିଲେ। ସର୍ବଭାରତୀୟ ମୋଟରଯାନ କଂଗ୍ରେସର ଡାକରାରେ ସାରା ଦେଶର ସବୁ ଟ୍ରକ୍ ଏଥିରେ ସାମିଲ ହୋଇଥିଲେ। ଓଡ଼ିଶାରେ ଥିବା ପାଖାପାଖି ୨ ଲକ୍ଷ ଟ୍ରକ୍ ଧର୍ମଘଟରେ ସାମିଲ ହୋଇଥିଲେ। ଟ୍ରକ୍ ପରିବହନକାରୀଙ୍କ ଦାବିଗୁଡ଼ିକ ଉପରେ ବିଚାର କରିବା ପାଇଁ ଏକ କମିଟି ଗଠନ କରାଯିବ। କମିଟି ପ୍ରଥମେ ଦାବିଗୁଡ଼ିକୁ ଅନୁଧ୍ୟାନ କରିବ। ଏହା ପରେ ଯାହା କିଛି ସୁପାରିସ୍ ପ୍ରଦାନ କରିବ। ଦେଶରେ ଥିବା ଟୋଲ୍ ପ୍ଲାଜାଗୁଡ଼ିକୁ ବନ୍ଦ କରିବା, ଡିଜେଲ ଦର କମ୍ କରିବା ପାଇଁ ଟ୍ରକ୍ ମାଲିକମାନେ ଦାବି କରିଛନ୍ତି।ଗତକାଲି ଟ୍ରକ୍ ପରିବହନକାରୀ ସଂଘର ପ୍ରତିନିଧିଙ୍କ ସହିତ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଦୀର୍ଘ ସମୟ ଆଲୋଚନା କରିଥିଲେ। ଗୁରୁବାର ରାତିରେ ସଂଘର ପ୍ରତିନିଧିମାନେ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ଦୁଇ ବୈଠକ ପରେ ଟ୍ରକ୍ ଚଳାଚଳକୁ ନେଇ ଜାରି ରହିଥିବା ଅଚଳାବସ୍ଥାର ସମାଧାନ ବାଟ ବାହାରିଥିଲା। ଟ୍ରକ୍ ଧର୍ମଘଟ ଯୋଗୁଁ ଅର୍ଥନୀତିକୁ ୫୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଆଜି ଆସୋଚାମ୍ ପକ୍ଷରୁ କୁହାଯାଇଛି।
ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ
Advertisment
Follow Us