ବିଗ୍ ବଜାର ମାଲିକଙ୍କ ପତନ କାହାଣୀ, ଋଣ ଉଜାଡ଼ିଦେଲା କାରବାର

ବିଗ୍ ବଜାର ମାଲିକଙ୍କ ପତନ କାହାଣୀ, ଋଣ ଉଜାଡ଼ିଦେଲା କାରବାର

The Financial Express

ନୂଆଦିଲ୍ଲୀ: ବିଗ୍ ବଜାର, ବ୍ରାଣ୍ଡ୍‌ ଫ୍ୟାକ୍ଟ୍ରି, ଫୁଡ୍‌ ହଲ୍‌ ଭଳି ରିଟେଲ୍ ଷ୍ଟୋର୍‌ ସ୍ଥାପନ କରି ଖୁଚୁରା ବଜାରର ସମ୍ରାଟ ଆଖ୍ୟା ପାଇଥିଲେ କିଶୋର ବିୟାନି। ତାଙ୍କ ମସ୍ତକରୁ ସେହି ମୁକୁଟ ହଟିଯାଇଛି। ଯେଉଁ ବ୍ୟବସାୟ ସାମ୍ରାଜ୍ୟକୁ ଦୀର୍ଘ ବର୍ଷ କଠିନ ପରିଶ୍ରମ କରି ସେ ଗଢ଼ିଥିଲେ ତାହାର ଅଧିକାଂଶ ଭାଗ ବିକିବାକୁ ବାଧ୍ୟ ହୋଇଛନ୍ତି। ୧୯୮୭ରେ ମାଞ୍ଜ୍‌ ଓୟାର କାରବାରରୁ ସେ ନିଜର ଉଦ୍ୟୋଗୀ ଯାତ୍ରା ଆରମ୍ଭ କରିଥିଲେ। ବିଗ୍ ବଜାର ଖୋଲିବା ପରେ ସେ ଦେଶର ଜଣେ ଚର୍ଚ୍ଚିତ ବ୍ୟବସାୟୀ ଭାବେ ଉଭା ହୋଇଥିଲେ। ଯୁବପିଢ଼ିଙ୍କୁ ସପିଙ୍ଗ୍‌ର ଏକ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଦେଇଥିବା କି‌ଶୋର ନିଜ କାରବାର ଆଗକୁ ବଢ଼ାଇବା ଲାଗି ଅତୀତରେ ବିପୁଳ ପରିମାଣର ଋଣ କରିଥିଲେ। ମାତ୍ର କାରବାର ଠିକ୍ ଭାବେ ପରିଚାଳନା କରିନପାରିବାରୁ ସେ ଋଣ ଶୁଝିପାରିନଥିଲେ। ସେହି ବୋଝ ଏତେ ଅଧିକ ହୋଇଯାଇଥିଲା ସେ ନିଜ ମୁଣ୍ଡ ଉପରୁ ଚାପ ଦୂର କରିବା ଲାଗି ତାଙ୍କୁ ନିଜର ବହୁମୂଲ୍ୟ କାରବାର ବିକ୍ରି କରିବାକୁ ପଡ଼ିଛି।

ମୁମ୍ବାଇର ଜଣେ କପଡ଼ା ବ୍ୟବସାୟୀଙ୍କ ଘରେ ୧୯୬୧ରେ କିଶୋରଙ୍କ ଜନ୍ମ ହୋଇଥିଲା। ପାରିବାରିକ କାରବାର ପ୍ରତି ସେ ବିଶେଷ ଆଗ୍ରହ ଦେଖାଇ ତାହାକୁ ରେଡିମେଡ୍ କପଡ଼ା ଆଡ଼କୁ ଅଗ୍ରସର କରାଇଥିଲେ। ମାତ୍ର ୨୬ ବର୍ଷ ବୟସରେ ସେ ନିଜର ଯାତ୍ରା ଆରମ୍ଭ କରିଥିଲେ। ୧୯୮୭ରେ ସେ ମାଞ୍ଜ୍‌ ଓୟାର ଖୁଚୁରା ବ୍ୟବସାୟ ଆରମ୍ଭ କରିଥିଲେ। କିଛିଦିନ ପରେ ତାହାର ନାମ ବଦଳାଇ ପାଣ୍ଟାଲୁନ୍ସ କରିଥିଲେ ଓ ପ୍ରଥମ ଷ୍ଟୋର କୋଲକାତାରେ ଖୋଲିଥିଲେ। ୧୯୯୨ରେ ସେ ପାଣ୍ଟାଲୁନ୍ସକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରାଇଥିଲେ। ପୁଞ୍ଜି ବଜାରରୁ ପାଣ୍ଠି ହାସଲ କରିବା ପରେ ସେ ଆଉ ପଛକୁ ଫେରି ଚାହିନଥିଲେ। ୨୦୦୧ରେ ସେ ପ୍ରଥମ ବିଗ୍ ବଜାର ଷ୍ଟୋର୍‌ ଖୋଲିଥିଲା। ବର୍ତମାନ ଦେଶର ବିଭିନ୍ନ ସହରରେ ବିଗ୍ ବଜାରର ୨୯୫ ଷ୍ଟୋର୍‌ ରହିଛି। ୨୦୦୮ରେ ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥ‌ା ପରଠାରୁ ତାଙ୍କର ଖରାପ ବେଳା ଆରମ୍ଭ ହୋଇଥିଲା। ତଥାପି କଂପାନି ନୂତନ ଷ୍ଟୋର୍‌ ଖୋଲିବା ପ୍ରକ୍ରିୟା ଜାରି ରଖିଥିଲା। ୨୦୦୬ରେ ସେ ଇଟାଲିର ଏକ ସଂସ୍ଥା ସହ ମିଶି ଫ୍ୟୁଚର ଜେନେରାଲି ନାମକ ବୀମା କଂପାନି ସ୍ଥାପନ କରିଥିଲେ। ୨୦୦୮ ପରଠାରୁ କଂପାନିର ଋଣ ବଢ଼ିଚାଲିଲା। ତାଙ୍କ ମୂଳ କଂପାନି ଫ୍ୟୁଚର୍‌ ଗ୍ରୁପ୍‌ ଅଧୀନରେ ବିଭିନ୍ନ ସଂସ୍ଥାର ପ୍ରାୟ ୧୮୦୦ରୁ ଅଧିକ ଷ୍ଟୋର୍‌ ରହିଛି। ପାଣ୍ଠି ଅଭାବ ପଡ଼ିବାରୁ ୨୦୧୨ରେ ସେ ୧୬୦୦ କୋଟି ଟଙ୍କାରେ ପାଣ୍ଟାଲୁନ୍ସର ଅଧିକାଂଶ ସେୟାର ଆଦିତ୍ୟ ବିର୍ଲା ଗ୍ରୁପ୍‌କୁ ବିକ୍ରି କରିଥିଲେ। ସେତେବେଳେ ପାଣ୍ଟାଲୁନ୍ସ ଖାତାରେ ୮୦୦ କୋଟି ଟଙ୍କାର ଋଣ ଥିଲା। ତାହାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ଖାତାକୁ ସ୍ଥାନାନ୍ତର କରାଯାଇଥିଲା। ସେହି ବର୍ଷ ଫ୍ୟୁଚର୍ କ୍ୟାପିଟାଲ୍‌ ହୋଲ୍ଡିଂର ସେୟାରକୁ ମଧ୍ୟ ସେ ଏକ ଆମେରିକୀୟ କଂପାନିକୁ ବିକ୍ରି କରି ପାଣ୍ଠି ଯୋଗାଡ଼ କରିଥିଲେ। ୨୦୧୪ରେ ସେ ନିଳଗିରିସ୍‌ ରିଟେଲ୍‌ ଷ୍ଟୋର୍‌ଗୁଡ଼ିକୁ ୩୦୦ କୋଟି ଟଙ୍କାରେ କିଣିଥିଲେ।

୨୦୧୬ରେ କ୍ଷୁଦ୍ର ଗ୍ରୋସରି ଷ୍ଟୋର୍‌ ଚଲାଉଥିବା ଇଜିଡେକୁ ମଧ୍ୟ କିଣିଥିଲେ। ଖର୍ଚ୍ଚ କମ୍ କରିବା ଲାଗି ଗତବର୍ଷ ସେ ୧୦୦ରୁ ଅଧିକ ଇଜିଡେ ଷ୍ଟୋର୍‌ ବନ୍ଦ କରିଦେଇଥିଲେ। ୨୦୧୬ରେ ବେଙ୍ଗାଲୁରୁର କଂପାନି ହେରିଟେଜ୍ ଫ୍ରେସ୍‌ ପାଖରେ ଥିବା ୧୨୪ଟି ଷ୍ଟୋର୍‌କୁ ସେ କିଣିଥିଲେ। କ୍ଷତିରେ ଚାଲିଥିବା ହାଇପର୍‌ସିଟି ରିଟେଲ୍‌କୁ ସେ ୨୦୧୭ରେ ୬୫୦ କୋଟି ଟଙ୍କାରେ କିଣି ଭୁଲ ନିଷ୍ପତ୍ତି ନେଇଥିଲେ। ଇତି ମଧ୍ୟରେ ତାଙ୍କ ଗ୍ରୁପ୍‌ କଂପାନିର ଋଣ ପରିମାଣର ୭୦୦୦ କୋଟି ଟଙ୍କାରୁ ଅଧିକ ହୋଇଯାଇଥିଲା। ଏହାର କିଛି ବର୍ଷ ପୂର୍ବରୁ ଇ-କମର୍ସ କଂପାନି ଆମାଜନ୍ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ବଢ଼ିବାରୁ ଷ୍ଟୋର୍‌ରୁ କିଣାକିଣି ହ୍ରାସ ପାଇଥିଲା। ୨୦୧୯ ଡି‌ସେମ୍ବର ସୁଦ୍ଧା କିଶୋରଙ୍କ ମୁଣ୍ଡ ଉପରେ ୧୨,୭୭୮ କୋଟି ଟଙ୍କାର ଋଣ ଥିଲା। ଚଳିତ ବର୍ଷ କଂପାନିର ସ୍ଥିତି ଏତେ ଖରାପ ହୋଇଗଲା ଯେ ଏହା ଋଣ ଶୁଝିନପାରିଲା ନାହିଁ। ୨୦୧୯ରେ ଫୋର୍ବସ୍‌ ପତ୍ରିକାର ରୢାଙ୍କିଙ୍ଗ୍‌ ଅନୁସାରେ ୧୩,୦୧୬ କୋଟି ଟଙ୍କା ସମ୍ପତ୍ତି ସହିତ କିଶୋର ଭାରତର ୮୦ତମ ବଡ଼ ଧନୀ ବ୍ୟକ୍ତି ଥିଲେ। ମାତ୍ର ତାଙ୍କ ସଂସ୍ଥା ଋଣ ଖିଲାପ କରିବା ପରେ ସେୟାର ବଜାରରେ କଂପାନିର ସେୟାର ମୂଲ୍ୟ ବହୁତ ହ୍ରାସ ପାଇଛି। ସେହି ଅନୁସାରେ ତାଙ୍କ ସମ୍ପତ୍ତି ମଧ୍ୟ କମିଯାଇଛି। ନିଜର ମୁଣ୍ଡ ଉପରେ ଥିବା ଋଣ ବୋଝ ହାଲୁକା କରିବା ଲାଗି ସେ ନିଜର ବହୁମୂଲ୍ୟ ଖୁଚୁରା ବ୍ୟବସାୟକୁ ମୁକେଶଙ୍କ ଅମ୍ବାନିଙ୍କ କଂପାନି ରିଲାଏନ୍ସ ରିଟେଲ୍‌କୁ ୨୪,୭୧୩ କୋଟି ଟଙ୍କାରେ ବିକିବାକୁ ବୁଝାମଣା କରିଛନ୍ତି। ଅନେକ ପରିଶ୍ରମ କରି କିଶୋର ଯେଉଁ ସାମ୍ରାଜ୍ୟ ତିଆରି କରିଥିଲେ ତାହାକୁ ଆଗାମୀ ଦିନରେ ମୁକେଶ ଚଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe