ଦେଶରେ ପଶି ପାରିବନି ନିମ୍ନମାନର ସାମଗ୍ରୀ, ଆମଦାନି ଉପରେ କଟକଣା ଲାଗିବ

Advertisment

୩୭୧ ସାମଗ୍ରୀର ତାଲିକା ପ୍ରସ୍ତୁତ, ସର୍ବାଧିକ ପ୍ରଭାବିତ ହେବ ଚୀନ୍

୩୭୧ ସାମଗ୍ରୀର ତାଲିକା ପ୍ରସ୍ତୁତ, ସର୍ବାଧିକ ପ୍ରଭାବିତ ହେବ ଚୀନ୍

ଚୀନ୍‌କୁ ଲାଗିବ ୪୦ ହଜାର କୋଟିର ଧକ୍କା, ଉତ୍ସବ ଋତୁରେ ଚୀନ୍ ସାମଗ୍ରୀ ବିକିବେନି ବ୍ୟବସାୟୀ

Exporters India

ନୂଆଦିଲ୍ଲୀ: ଭାରତକୁ ଆଉ କୌଣସି ଦେଶ ଡମ୍ପିୟାର୍ଡ ଭାବେ ବ୍ୟବହାର କରିପାରିବେ ନାହିଁ। ନିମ୍ନମାନର ସାମଗ୍ରୀ ଆଣି ଫୋପାଡ଼ି ପାରିବେନାହିଁ। ଚୀନ୍‌କୁ ନଜରରେ ରଖି ଭାରତ ସରକାର ଏକ ନିୟମ ପ୍ରସ୍ତୁତ କରୁଛନ୍ତି ଯାହା ଜରିଆରେ ନିମ୍ନ ମାନର ସାମଗ୍ରୀ ଆମଦାନି ଉପରେ କଟକଣା ଲଗାଯିବ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ୩୭୧ ପ୍ରକାର ସାମଗ୍ରୀର ନାମ ରହିଛି। ନିମ୍ନମାନର ଖେଳନା, ଇସ୍ପାତ ବାର୍‌, ଇସ୍ପାତ ଟ୍ୟୁବ୍, କଞ୍ଜ୍ୟୁମର ଇଲେକେ୍‌ଟ୍ରୋନିକ୍ସ ସାମଗ୍ରୀ, ଟେଲିକମ୍‌ ଉପକରଣ, ବୃହତ ଆକୃତି‌ର ମେସିନ, କାଗଜ, ରବରରେ ତିଆରି ସାମଗ୍ରୀ ଏବଂ କାଚ ଆଦି ଆଉ ସହଜରେ ଦେଶ ଭିତରକୁ ପ୍ରବେଶ କରିପାରିବ ନାହିଁ। ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନୂଆ ନିୟମ ଲାଗୁ କରିବାକୁ ସରକାର ଯୋଜନା ରଖିଛନ୍ତି। ନିମ୍ନ ମାନର ସାମଗ୍ରୀ ଆମଦାନି ଉପରେ ରୋକ ଲଗାଇ ଆତ୍ମନିର୍ଭର ଭାରତ ଅଭିଯାନକୁ କେନ୍ଦ୍ର ସରକାର ଶକ୍ତି ପ୍ରଦାନ କରିବାକୁ ଚାହୁଛନ୍ତି।

ଏହି ସବୁ ସାମଗ୍ରୀ ଆସିବା ବନ୍ଦ ହୋଇଯିବା ପରେ ଦେଶରେ ଥିବା କଂପାନିଗୁଡ଼ିକ ସେହି ପ୍ରକାର ସାମଗ୍ରୀ ଉତ୍ପାଦନ କରିବାକୁ ଆଗ୍ରହ ପ୍ରକାଶ କରିବେ। ଯାହା ଦ୍ବାରା ଦେଶର ଆବଶ୍ୟକତା ସହଜରେ ପୂରଣ ହେବ ଓ ଦରକାର ପଡ଼ିଲେ ଭାରତୀୟ କଂପାନିଗୁଡ଼ିକ ନିଜ ସାମଗ୍ରୀ ବାହାର ଦେଶକୁ ମଧ୍ୟ ପଠାଇ ପାରିବେ। ଦେଶକୁ ଚୀନ୍‌ରୁ ଅଧିକ ନିମ୍ନ ମାନର ସାମଗ୍ରୀ ଆସିଥାଏ। ଲଦାଖ୍‌ର ଗଲ୍‌ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପ‌ରଠାରୁ ଚୀନ୍‌କୁ ଅର୍ଥନୈତିକ ଦୃଷ୍ଟିରୁ ଚାରିଆଡ଼ୁ ଘେରିବାକୁ ଭାରତ ଉଦ୍ୟମ କରୁଛି। ପ୍ରଥମେ ଚୀନ୍‌ର ୩୫ଟି ମୋବାଇଲ୍ ଆପ୍‌କୁ ନିଷିଦ୍ଧ କରାଗଲା। ଏବେ ନିମ୍ନମାନର ସାମଗ୍ରୀ ଆମଦାନି ଉପରେ ରୋକ ଲଗାଇବା ଲାଗି ଯେଉଁ ଯୋଜନା ଚାଲିଛି ତାହା ଚୀନ୍‌କୁ ସର୍ବାଧିକ ପ୍ରଭାବିତ କରିବ। ଏ ସମ୍ପର୍କରେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ର ଡାଇରେକ୍ଟର ଜେନେରାଲ୍ ପ୍ରମୋଦ କୁମାର ତିୱାରୀ କହିଛନ୍ତି, ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୩୭୧ ପ୍ରକାର ସାମଗ୍ରୀ ଚିହ୍ନଟ କରାଯାଇଛି। ସେହି ସବୁ ସାମଗ୍ରୀଗୁଡ଼ିକର ଗୁଣାତ୍ମକ ମାନର ଏକ ସୀମା ଧାର୍ଯ୍ୟ କରାଯିବ। ତା’ଠାରୁ ନିମ୍ନ ମାନର ସାମଗ୍ରୀକୁ ଦେଶ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଆମଦାନି ପାଇଁ ସାମଗ୍ରୀର ଗୁଣାତ୍ମକ ମାନକୁ ବାଧ୍ୟତାମୂଳକ କରାଯିବ। ବିମାନବନ୍ଦର ଓ ବନ୍ଦରଗୁଡ଼ିକରେ ନିୟମ ପାଳନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସାମଗ୍ରୀଗୁଡ଼ିକର ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତ କରିବା ଲାଗି ମଧ୍ୟ ସରକାର ଯୋଜନା ରଖିଛନ୍ତି। ଯେଉଁ ସାମଗ୍ରୀଗୁଡ଼ିକୁ କମ୍ ପରିମାଣରେ ଆମଦାନି କରାଯାଉଛି ସେଥିପାଇଁ ଗୁଣାତ୍ମକ ମାନର ସୀମା ଧାର୍ଯ୍ୟ କରାଯିବ ନାହିଁ। ବାଣିଜ୍ୟ ମନ୍ତ୍ରଣାଳୟ ଯେଉଁ ସାମଗ୍ରୀଗୁଡ଼ିକୁ ଚିହ୍ନଟ କରିଛି‌ ସେଥି ମଧ୍ୟରୁ ଅଧିକାଂଶ ସାମଗ୍ରୀର ମାନକ ଆସନ୍ତା ଡିସେମ୍ବର ସୁଦ୍ଧା ଧାର୍ଯ୍ୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe