‘ମୋଗଲିକ୍ସ’ର ପ୍ରତିଷ୍ଠାତା ରାହୁଲ ଗର୍ଗ ଆଇଆଇଟି କାନପୁରରୁ ଇଞ୍ଜିନିୟରିଂ ଏବଂ ଇଣ୍ଡିଆନ୍ ସ୍କୁଲ୍ ଅଫ୍ ବିଜିନେସରୁ ଏମବିଏ ପଢିଥିଲେ। ଗୁଗୁଲରେ ୫ ବର୍ଷ କାମ ମଧ୍ୟ କରିଥିଲେ । ଉତ୍ପାଦ ପରିଚାଳନା କ୍ଷେତ୍ରରେ ତାଙ୍କ ନାମରେ ୧୬ଟି ଆମେରିକୀୟ ପେଟେଣ୍ଟ ରହିଛି । ୨୦୧୫ ମସିହାରେ ରାହୁଲ ଚାକିରି ଛାଡି ନିଜ ଷ୍ଟାର୍ଟଅପ୍ ‘ମୋଗଲିକ୍ସ’ ଆରମ୍ଭ କରିଥିଲେ। ଆଜି ମୋଗଲିକ୍ସ ଏସିଆର ସବୁଠାରୁ ବଡ ବିଜନେସ୍ ଟୁ ବିଜନେସ୍ ଇ-ବାଣିଜ୍ୟ କମ୍ପାନୀ ମଧ୍ୟରୁ ଅନ୍ୟତମ। ଆଜି ‘ମୋଗଲିକ୍ସ’ର ଆରମ୍ଭ, ଯାତ୍ରା ଓ ସଫଳତାର ଶିଖରରେ ପହଞ୍ଚିବା ବିଷୟରେ ଜାଣିବା ରାହୁଲ ଗର୍ଗଙ୍କ ଠାରୁ...
ମୋଗଲିକ୍ସ କେବେ ଓ କିପରି ଆରମ୍ଭ ହେଲା? ଏହି ନାମ ପଛରେ କାରଣ କ’ଣ ଥିଲା?
ରାହୁଲ ଗର୍ଗ: ଦୁନିଆ ଅନଲାଇନ୍ ପ୍ଲାଟଫର୍ମକୁ ଯାଉଛି। ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ଚାହାଁନ୍ତି। ମୁଁ ସବୁବେଳେ ଭାବୁଥିଲି ଯେ ଉତ୍ପାଦନ ଓ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ମଧ୍ୟ ଅନଲାଇନରେ ଉତ୍ପାଦ କିଣିବାର ସୁବିଧା ପାଇବା ଉଚିତ୍। ଏହି ଚିନ୍ତା ସହିତ, ମୁଁ ୨୦୧୫ରେ ମୋଗଲିକ୍ସ ଆରମ୍ଭ କରିଥିଲି। 'ଜଙ୍ଗଲ ବୁକ୍' ର 'ମୋଗଲି' ଚରିତ୍ରରୁ ମୋଗଲିକ୍ସ ନାମକରଣ କରାଯାଇଛି। ଏହା ମୋଗଲିର ଯାତ୍ରା ବିଷୟରେ କହିଥାଏ, ଯେ ସେ କିପରି ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇଥିଲା ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲା। ବ୍ୟବସାୟର ମଧ୍ୟ ସମାନ ପ୍ରକାରର ଯାତ୍ରା ଅଟେ। ଏଠାରେ ବହୁତ ସମସ୍ୟା ଉପୁଜେ, ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଆମେ କମ୍ପାନୀର ନାମ ମୋଗଲିକ୍ସ ରଖିଲୁ।
ମୋଗଲିକ୍ସ ଏହାର ପ୍ରତିଯୋଗୀମାନଙ୍କଠାରୁ କିପରି ଭିନ୍ନ?
ରାହୁଲ ଗର୍ଗ: ଦୀର୍ଘ ଦିନରୁ ଭାରତର ଲୋକମାନେ ହୋଲସେଲ ବଜାରରେ ଉତ୍ପାଦ କିଣୁଛନ୍ତି। ଆମର ପ୍ରୟାସ କେବଳ ଅନଲାଇନରେ ଉତ୍ପାଦ ବିକ୍ରୟ କରିବା ନୁହେଁ। ଆମର ପ୍ରୟାସ ହେଉଛି ଟେକ୍ନୋଲୋଜି ମାଧ୍ୟମରେ ଲୋକମାନେ ଉତ୍ପାଦ ଖୋଜନ୍ତୁ, ଅର୍ଡର କରନ୍ତୁ ଓ ତାପରେ ଆମେ ବିତରଣ କରିବୁ। ଅନଲାଇନରେ ଅତ୍ୟାବଶ୍ୟକ ଜିନିଷ କିଣିବା ଗ୍ରାହକମାନଙ୍କ ପାଇଁ ଯେପରି ବ୍ୟବସ୍ଥା ହୋଇଛି, ସେହିଭଳି ବ୍ୟବସାୟୀମାନେ ମଧ୍ୟ ଅନଲାଇନରେ ଉତ୍ପାଦ କିଣିବା ଉଚିତ୍।
/sambad/media/post_attachments/wp-content/uploads/2023/04/Rahul-Garg1.jpg)
ଗତ କିଛି ବର୍ଷ ମଧ୍ୟରେ ମୋଗଲିକ୍ସ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରାହକ ଓ ବ୍ୟବସାୟକୁ ଆକର୍ଷିତ କରିବା ପାଇଁ ଆପଣ କେଉଁ ରଣନୀତି ଆପଣେଇଛନ୍ତି ?
ରାହୁଲ ଗର୍ଗ: ଆମେ ଆମର ବ୍ୟବସାୟ ବିଷୟରେ ତିନୋଟି ଉପାୟରେ ଚିନ୍ତା କରୁ। ପ୍ରଥମେ ମୂଲ୍ୟ ପ୍ରଦାନ, ଦ୍ୱିତୀୟ ରାଜସ୍ୱ ଉତ୍ପାଦନ ଓ ତୃତୀୟଟି ଆମେ କେଉଁ ସ୍କେଲରେ ବ୍ୟବସାୟ କରୁଛୁ। ଆମେ କାର୍ଯ୍ୟ କରୁଥିବା କ୍ଷେତ୍ରର ସ୍କେଲ ବହୁତ ବଡ। ଉତ୍ପାଦନ ଓ ଭିତ୍ତିଭୂମି କ୍ଷେତ୍ର ଦେଶର ଜିଡିପିର ପ୍ରାୟ ୨୦% ଅଟେ। ଆମେ ଏକ ବଡ କ୍ଷେତ୍ର ହେବାର ସୁବିଧା ପାଇଲୁ। ଏହା ସହିତ ଜିଏସଟି ମଧ୍ୟ ଆମର ବ୍ୟବସାୟକୁ ଆଗକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଜିଏସଟି ଲାଗୁ ହେବା ପରେ ଅଧିକାଂଶ ବ୍ୟବସାୟ ଡିଜିଟାଲ୍ ପେମେଣ୍ଟ ବ୍ୟବହାର କରିବା ଆରମ୍ଭ କଲେ, ଡିଜିଟାଲ୍ ବିଲ୍ ସୃଷ୍ଟି ହେବା ଆରମ୍ଭ ହେଲା, ଯାହା ମଧ୍ୟ ଆମର ଅଭିବୃଦ୍ଧି ଘଟାଇଲା।
ଆପଣ କିପରି ପ୍ରାରମ୍ଭିକ ପର୍ଯ୍ୟାୟ ନିବେଶକଙ୍କ ବିଶ୍ୱାସ ହାସଲ କଲେ?
ରାହୁଲ ଗର୍ଗ: ଅଧିକାଂଶ ଷ୍ଟାର୍ଟଅପ୍ ଓ ପ୍ରତିଷ୍ଠାତା ପ୍ରାରମ୍ଭିକ ଦିନରେ ପାଣ୍ଠି ସଂଗ୍ରହରେ ଅନେକ ଅସୁବିଧାର ସମ୍ମୁଖୀନ କରିଥାନ୍ତି। ନିବେଶକଙ୍କ ଆତ୍ମବିଶ୍ୱାସ ହାସଲ କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ମୁଁ କୈଣସି ସମସ୍ୟାର ସମ୍ମୁଖୀନ ହୋଇ ନାହିଁ, କାରଣ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ମୋର ୧୫ ବର୍ଷର ଅଭିଜ୍ଞତା ଥିଲା। ଗୁଗୁଲ ପରି ଏକ ବଡ କମ୍ପାନୀରେ ପାଞ୍ଚ ବର୍ଷ କାମ କରିସାରିଥିଲି। ନିବେଶକମାନେ ଅନୁଭବ କଲେ ଯେ ମୁଁ ବ୍ୟବସାୟକୁ ଭଲ ଭାବରେ ଆଗକୁ ନେଇପାରିବି। ସେଥିପାଇଁ ସେମାନେ ମୋତେ ବିଶ୍ୱାସ କଲେ। ବିଶ୍ୱାସ ହେତୁ ହିଁ ଆମେ ପ୍ରଥମ ପାଣ୍ଠି ପାଇଲୁ। ତା’ପରେ ଆମେ ଆଗକୁ ଗଲୁ।
B2B ସ୍ପେସରେ ଏକ ଇ-କମର୍ସ ୱେବସାଇଟ୍ ଚଳାଇବାରେ ଅନ୍ୟ ସମସ୍ୟାଗୁଡିକ କ’ଣ ? ଆଉ ତାକୁ କିପରି ମୁକାବିଲା କରିବେ?
ରାହୁଲ ଗର୍ଗ: ସବୁଠାରୁ ବଡ ପାର୍ଥକ୍ୟ ହେଉଛି ଯେତେବେଳେ ଜଣେ ଗ୍ରାହକ କିଛି କିଣନ୍ତି, ସେତେବେଳେ ସେ ନିଜେ ଏକ ନିଷ୍ପତ୍ତି ନିଅନ୍ତି, ନିଜେ ଅର୍ଡର ଦିଅନ୍ତି। ସେ କାହିଁକି ନିଷ୍ପତ୍ତି ନେଇଛନ୍ତି ତାହା କାହାକୁ ପଚାରିବା କିମ୍ବା କାହାକୁ କହିବାକୁ ପଡିବ ନାହିଁ। ଗତ ବର୍ଷ ଆପଣ କେଉଁ ମୂଲ୍ୟରେ ଏବଂ କେଉଁଠାରୁ ଜିନଷ କିଣିଛନ୍ତି, ଏହିପରି ସମସ୍ୟାକୁ ଦୂର କରିବା ପାଇଁ ଆମେ ଟେକ୍ନୋଲୋଜି ମାଧ୍ୟମରେ ଏକ ପ୍ଲାଟଫର୍ମ ସୃଷ୍ଟି କରିଛୁ। ଯେଉଁଠାରେ ଲୋକମାନେ ପରସ୍ପର ସହ କଥା ହୋଇ, ସହଯୋଗ କରି ଜିନିଷ ଅର୍ଡର କରିପାରିବେ।
Follow Us